ନୟାଗଡ଼ରେ ମୋ ସ୍କୁଲ ଅଭିଯାନ ଯୋଜନାର କର୍ମଶାଳା

ଓଡ଼ିଶା ତାଜା ନ୍ୟୁଜ୍ ( ୪ ମାର୍ଚ୍ଚ , ଗୁରୁବାର ) ନୟାଗଡ଼ :- ଦିବା ୧୦ଘଟିକା ସମୟରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ନୟାଗଡ଼ ବ୍ଲକର ମୋ ସ୍କୁଲ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଡା. ଟୁଡୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ମୋ ସ୍କୁଲ ଅଭିଯାନର ଉଦ୍ଦେଶ୍ୟ ସଂପର୍କରେ ଜଣାଇ କହିଲେ ଯେ, ମୋ ସ୍କୁଲ ଅଭିଯାନ ସରକାରଙ୍କର ଏକ ସ୍ୱତନ୍ତ୍ର ଯୋଜନା । ଏହା କେବଳ ଅର୍ଥର କଥା ନୁହେଁ , ଏହା ସହଭାଗିତାର କଥା । ପୂରାତନ ଛାତ୍ରଛାତ୍ରୀମାନେ ଏଥିରେ ସଂପୃକ୍ତ ହୋଇ ନିଜ ବିଦ୍ୟାଳୟର ଭିତିଭୂମିକୁ କିପରି ଅଭିବୃଦ୍ଧି କରିବେ, ଉନ୍ନତି ପାଇଁ ଯୋଜନା କରିବେ, ପିଲାମାନଙ୍କୁ କଣ ଶିକ୍ଷା ଦିଆଯିବ ସେ ସଂପର୍କରେ ଆଲୋଚନା କରିବେ, ସ୍କୁଲର ପବିତ୍ରତାକୁ ବଜାୟ ରଖିବା ସହିତ ଭଲ କାମ କରିବା ଏବଂ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି କହିଥିଲେ ।

ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମାନ୍ୟବର ମନ୍ତ୍ରୀ କୃଷି ଓ କୃଷକ ସଶକ୍ତି କରଣ,ଉଚ୍ଚଶିକ୍ଷା , ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ଡ. ଅରୁଣ କୁମାର ସାହୁ କହିଲେ ଯେ, ମୋ ସ୍କୁଲ ଅଭିଯାନର ଉଦ୍ଦେଶ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ । ୨୦୧୭ମସିହା ନଭେମ୍ବର ୧୪ତାରିଖ ଶିଶୁ ଦିବସ ପାଳନ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହି ଯୋଜନା ଆରମ୍ଭ ହୋଇଥିଲା । ଏହି ଅଭିଯାନରେ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ, ଅଭିଭାବକ ଓ ଶିକ୍ଷାପ୍ରେମୀ ସାମିଲ ହେଲେ । ପାଠ ପଢ଼ିବା ସହିତ କ୍ରୀଡ଼ା,ସଙ୍ଗୀତ ଓ ଅନ୍ୟାନ୍ୟ ଆତ୍ମିକ ଶିକ୍ଷା ତଥା ଗୁଣାତ୍ମକ ଶିକ୍ଷା,ବୌଦ୍ଧିକ ବିକାଶ, ମାର୍ଗ ଦର୍ଶନ, ଭିତିଭୂମିର ବିକାଶ ଏବଂ ଅନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି ସକାଶେ ପୂର୍ଣମାତ୍ରାରେ ସହଯୋଗର ଆବଶ୍ୟକ ବୋଲି କହିଥିଲେ । ଛାତ୍ରଛାତ୍ରୀମାନଙ୍କୁ ଠିକ ଭାବରେ ଶିକ୍ଷାଦାନ କରିବା ସହିତ ଉନ୍ନତ ମଣିଷ ଭାବେ ଗଢ଼ି ତୋଳିବା ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି ମନ୍ତ୍ରୀ ଡ. ସାହୁ ପ୍ରକାଶ କରିଥିଲେ ।

ପୂରାତନ ଛାତ୍ରଛାତ୍ରୀମାନଙ୍କୁ ଏକତ୍ରିତ କରିବା ସହିତ ଏକ ଡାଟାବେସ୍‌ ତିଆରି କରିବା ଏବଂ ଏକ ହ୍ୱାଟସ୍ ଗ୍ରୁପ୍ ତିଆରି କରି ସମସ୍ତଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ପ୍ରଭାବିତ କରିବାକୁ ସମସ୍ତ ପ୍ରଧାନ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଶିକ୍ଷା ଅଧିକାରୀ ମୋ ସ୍କୁଲ ଅଭିଯାନର ଲକ୍ଷ୍ୟ ସଂପର୍କରେ ନିଜର ମତାମତ ପ୍ରଦାନ କରିଥିଲେ । ଏହାପରେ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହିତ ଆଲୋଚନା କରାଯାଇଥିଲା । ମୋ ସ୍କୁଲ ଅଭିଯାନ ଯୋଜନାରେ କି ପ୍ରକାର କାର୍ଯ୍ୟକ୍ରମ ସଂପାଦନ କରିଛନ୍ତି ସେ ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ସମସ୍ତ ପ୍ରଧାନ ଶିକ୍ଷକଶିକ୍ଷୟିତ୍ରୀ, ଜିଲ୍ଲାସ୍ତରୀୟ ଅଧିକାରୀ,ସ୍ୱେଚ୍ଛାସେବୀ ସଂଗଠକ,ଶିକ୍ଷାବିତ୍‌, ଅଭିଭାବକ, ଜନପ୍ରତିନିଧି ଓ ଗଣମାଧ୍ୟମର ପ୍ରତିନିଧି ଯୋଗଦାନ କରିଥିଲେ । ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରି ସଭା ସାଙ୍ଗ କରାଯାଇଥିଲା ।