No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ମାର୍ଚ୍ଚ ,ମଙ୍ଗଳବାର ) ହିଞ୍ଜିଳିକାଟୁ :- ଆଉ ମାତ୍ର କିଛି ଦିନ ପରେ ଆରମ୍ଭ ହେବ ଗଞ୍ଜାମ ପ୍ରସିଦ୍ଧ ଦଣ୍ଡ ଯାତ୍ରା । ଏଥି ସହ ଆରମ୍ଭ ହେବ ସ୍ଥାନୀୟ ବ୍ଳକ ବୁରୁପୋଡ଼ା ପଂଚାୟତର ଅଧିଷ୍ଠତ୍ରୀ ଦେବୀ ମା’ ଶ୍ୟାମଳାଇଙ୍କ ଚୈତ୍ର ମଙ୍ଗଳବାର ପର୍ବ । ପରେ ପରେ ବୈଶାଖ ମାସରେ ହିଞ୍ଜିଳିକାଟୁ ଅଂଚଳର ପ୍ରସିଦ୍ଧ ନୃସିଂହ ଠାକୁରଙ୍କ ଯାତ୍ରାତ୍ସୋବ । ଗତବର୍ଷ ମହାମାରୀ କରୋନା ଭୁତାଣୁ ସଂ୍ରକମଣକୁ ପ୍ରତିହିତ କରିବା ଲାଗି ପ୍ରଶାସନ ପକ୍ଷରୁ ଲକଡ଼ାଉନ, ସଟଡ଼ାଉନ, ବଫରଜୋନ ଓ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଥିଲା । ଫଳରେ ସ୍ଥାନୀୟ ଅଂଚଳର ଦଣ୍ଡଯାତ୍ରା ସାଙ୍ଗକୁ ଚୈତ୍ର ୨ୟ ପାଳି ମଙ୍ଗଳବାର ଠାରୁ ଭକ୍ତଙ୍କ ସମାଗମ ଉପରେ କଟକଣା ଲାଗୁ କରାଯାଇଥିଲା । ଏପରିକି ବୈଶାଖ ମାସରେ ଅନୁଷ୍ଠିତ ହେଉଥିବା ହିଞ୍ଜିଳିକାଟୁ ଅଂଚଳର ଇଷ୍ଟଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବକୁ ମଧ୍ୟ ବନ୍ଦ କରାଯାଇଥିଲା । ପ୍ରଶାସନର ନିଷ୍ପତିକୁ ସମ୍ମାନ ଜଣାଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଗତବର୍ଷ ମା’ ଶ୍ୟାମଳାଇଙ୍କ ପୀଠରେ ସେବାୟତ ମାନେ କୋଭିଡ଼ କଟକଣାକୁ ମାନିଚଳିବା ସହ କେବଳ ନୀତିକାନ୍ତି ମଧ୍ୟରେ ପୂଜାର୍ଚ୍ଚନା ସମ୍ପନ୍ନ କରିଥିଲେ । ସେହିପରି ବୈଶାଖ ମାସରେ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବକୁ ମଧ୍ୟ କେବଳ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରାଯାଇଥିଲା ।
ବର୍ତମାନ ମହାରାଷ୍ଟ୍ର, କେରଳ, ତାମିଲନାଡ଼ୁ, ତେଲଙ୍ଗାନା, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଛତିଶିଗଡ଼, ମଧ୍ୟପ୍ରଦେଶରେ ସଂକ୍ରମଣ ପୁଣି ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ନିଦେ୍ର୍ଧଶ କ୍ରମେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆଗୁଆ ସର୍ତକତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ହ୍ରାସ ହେବା ଯୋଗୁଁ ଗତ କିଛି ମାସ ପୂର୍ବରୁ ଧାର୍ମିକ ଅନୁଷ୍ଠାନ ଗୁଡ଼ିକୁ ସରକାରଙ୍କ ନିଦେ୍ର୍ଧଶ ଅନୁଯାୟୀ ଖୋଲିବା ପରେ ଭକ୍ତ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିଲା । ଆସନ୍ତା ମାର୍ଚ୍ଚ ମାସରେ ଗଞ୍ଜାମ ପ୍ରସିଦ୍ଧ ଦଣ୍ଡଯାତ୍ରା ଓ ମାର୍ଚ୍ଚ ୩୦ ତାରିଖ ଠାରୁ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ମାନସିକ ଧାରୀ ଦଣ୍ଡୁଆଙ୍କ ଠାରୁ ଆରମ୍ଭ କରି ଶ୍ରଦ୍ଧାଳୁ ଭକ୍ତ ମାନେ ଆଶା ଓ ଆଶଙ୍କାରେ ରହିଛନ୍ତି । ଅନ୍ୟପକ୍ଷରେ ହିଞ୍ଜିଳିକାଟୁ ଅଂଚଳରେ କରୋନା ସଂକ୍ରମଣ ଆଦୌନଥିବା ବେଳେ ଦଣ୍ଡଯାତ୍ରା, ମା’ ଶ୍ୟାମଳାଇଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଓ ବୈଶାଖ ମାସରେ ସ୍ଥାନୀୟ ଅଂଚଳର ଇଷ୍ଟଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ଯାତ୍ରା ଆୟୋଜନରେ କୌଣସି ପ୍ରକାର ଅସୁବିଧା ନାହିଁ ବୋଲି ଯାତ୍ରାପ୍ରେମୀଙ୍କ ମନରେ ମତ ପ୍ରକାଶ ପାଇଛି । କିନ୍ତୁ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନର ନିଷ୍ପତିକୁ ଅପେକ୍ଷା କରାଯାଇଛି । ମା’ ଶ୍ୟାମଳାଇଙ୍କ ପୀଠରେ ଚୈତ୍ର ମଙ୍ଗଳବାର ଯାତ୍ରାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ମାନସିକ ଧାରୀ ମାନେ ନିଜ ନିଜ ଶିଶୁଙ୍କ ମୁଣ୍ଡନ କରିବା ସହ ସହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ସାମ୍ଭାବ୍ୟ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ରୋକିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗତବର୍ଷ ମହାମାରୀ କରୋନା କଟକଣା ଯୋଗୁଁ ଦଣ୍ଡଯାତ୍ରାକୁ ସମ୍ପୁର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ମାସିକଧାରୀ ଦଣ୍ଡୁଆ ମାନେ ନିଜର ମାନସିକ ପୁର୍ଣ୍ଣ କରି ପାରିନଥିଲେ । ହିଞ୍ଜିଳି ଅଂଚଳର ୨ଟି ଦଣ୍ଡ ଦଳ ସମେତ ନିକଟବର୍ତି ବୁରୁପୋଡ଼ା, ସମରଝୋଳ, ପୋଚିଲିମା, ମକରଝୋଳ, ବେଲଗାଁ, ରାଳବ, କୋଳିଦାସପୁର , ଆଲପୁର ପ୍ରମୁଖ ଗ୍ରାମରେ ଦଣ୍ଡକାଳୀଙ୍କ ଯାତ୍ରାତ୍ସୋବ ପ୍ରତିବର୍ଷ ପାଳନ କରାଯାଇଥାଏ । ଗତବର୍ଷ ମାନସିକଧାରୀ ଦଣ୍ଡୁଆ ମାନେ ଦଣ୍ଡଯାତ୍ରାରେ ସାମିଲ ହୋଇପାରିନଥିବା ବେଳେ ଚଳିତ ବର୍ଷ ଦଣ୍ଡଯାତ୍ରାରେ ସାମିଲ ହୋଇ ନିଜର ମାନସିକ ପୁରଣ କରିପାରିବେ ବୋଲି ଆଶାବାଦୀ ରହିଛନ୍ତି । ଅନୁରୂପ ଭାବେ ଗତ ୧୯୪୨ ମସିହାରେ ହିଞ୍ଜିଳିକାଟୁ ଅଂଚଳରେ ମ୍ୟାଲେରିଆ ଓ ହଇଜା ରୋଗ ବ୍ୟାପି ବହୁ ଲୋକେ ମୃତ୍ୟବରଣ କରିଥିଲେ । ସ୍ଥାନୀୟ ଅଂଚଳବାସୀ ଅନ୍ୟ ଉପାୟ ନପାଇ ଲକ୍ଷ୍ମୀ ନୃସିଂହ ଠାକୁରଙ୍କୁ ଗ୍ରାମ ପରିକ୍ରମା କରିବା ପରେ ଆପଣାଛାଏଁ ସ୍ଥାନୀୟ. ଅଂଚଳରୁ ରୋଗ ଉଭେଇ ଯାଇଥିଲା । ସେହିଦିନ ଠାରୁ ସ୍ଥାନୀୟ ଅଂଚଳର ଇଷ୍ଟଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ପ୍ରତିବର୍ଷ ତ୍ରିଦିନାତ୍ମକ ଯାତ୍ରାତ୍ସୋବ ପାଳନ କରାଯାଇ ଆସୁଛି । ଚଳିତ ବର୍ଷ ଦଣ୍ଡଯାତ୍ରା, ଚୈତ୍ରଯାତ୍ରା ଓ ନୃସିଂହ ଯାତ୍ରା ସକାଶେ ଅନିଶ୍ଚିତତା ଲାଗି ରହିଥିବା ବେଳେ ଉପରୋକ୍ତ ସମସ୍ତ ଯାତ୍ରା କମିଟି ଯାତ୍ରା ପାଳନ କରିବାକୁ ଆଶାବାଦୀ ରହିଛନ୍ତି । ( ରିପୋର୍ଟ: ଶୁସାନ୍ତ ପ୍ରଧାନ, ହିଞ୍ଜିଳିକାଟୁ )
No Result
View All Result