ଓଡ଼ିଶା ତାଜା ନ୍ୟୁଜ୍ (୧ ମାର୍ଚ୍ଚ,ସୋମବାର ) ରଣପୁର :- ରାଜ୍ୟରେ ଖରାର ତାତି ବଢୁଥିବାରୁ ସମସ୍ତ ସ୍କୁଲରେ ଆଜିଠୁ ସକାଳୁଆ ପାଠ ପଢା ଆରମ୍ଭ ହୋଇଛି । ସକାଳ ୭ଟାରୁ ଆରମ୍ଭ ହୋଇ ୧ଟା ଯାଏ ବିଦ୍ୟାଳୟ ଚାଲିବ । ୭ଟାରୁ ୯ଟା ଯାଏ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା ହେବ । ସେହିପରି ୯ଟାରୁ ୧ଟା ଯାଏ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ କ୍ଲାସ୍ ହେବ ।
ସକାଳୁଆ ସ୍କୁଲ ହୋଇଥିଲେ ମଧ୍ୟ ଦିନ ଦ୍ୱିପ୍ରହରରେ ସ୍କୁଲ ଛୁଟି ହେବ । ମଧ୍ୟାହ୍ନ ୧ଟାରେ ପିଲାମାନେ ଡହ ଡହ ଖରାରେ ସ୍କୁଲରୁ ଘରକୁ ଫେରିବେ, ଯାହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଶିକ୍ଷକ ଓ ଅଭିଭାବକ । ବ୍ରଜେନ୍ଦ୍ର ଚନ୍ଦ୍ର ବିଦ୍ୟାଳୟ ପରିଚାଳନା କମିଟିରେ ସଭାପତି ମାଧବ ଚନ୍ଦ୍ର ପ୍ରଧାନ କହିଛନ୍ତି, ସକାଳ ୭ରୁ ୧ଟା ଯାଏ ସ୍କୁଲ ଖୋଲିଲେ ଛାତ୍ରଛାତ୍ରୀ ଅଂଶୁଘାତର ଶିକାର ହୋଇ ପାରନ୍ତି । ସକାଳ ସାଢ଼େ ୧୧ଟା ସୁଦ୍ଧା ସ୍କୁଲ ବନ୍ଦ ହେବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି, (ରଣପୁର ପ୍ରତିନିଧି ପ୍ରିୟମ୍ବଦା ମହାପାତ୍ରଙ୍କ ରିପୋର୍ଟ)