No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ଫେବୃଆରୀ,ମଙ୍ଗଳବାର ) ଭୁବନେଶ୍ୱର :- ପିପିଲି ବିଧାନସଭା ଉପନିର୍ବାଚନ ପୂର୍ବରୁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଗାଁ, ଆମ ବିକାଶ’ ନାଁରେ ପିପିଲି ବ୍ଲକ ଓ ପିପିଲି ପୌରାଂଚଳ ଏବଂ ଡେଲାଙ୍ଗ ବ୍ଲକ ପାଇଁ ପୃଥକ୍ ପୃଥକ୍ ଭାବେ ଦୁଇଟି ସାଧାରଣ ସଭା ଆୟୋଜନ କରି ହଜାର ହଜାର ଲୋକଙ୍କୁ ଏକତ୍ରିତ କରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରକଳ୍ପ ପାଇଁ ୬୭ କୋଟି ୬୮ ଲକ୍ଷ ପ୍ରକଳ୍ପର ବ୍ୟୟ ମଞ୍ଜୁରୀ କରିବା ଏବଂ ଉକ୍ତ ବୈଠକକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବା ସ୍ପଷ୍ଟ ପ୍ରମାଣିତ କରୁଛି ସମଗ୍ର ରାଜ୍ୟରେ ମିତବ୍ୟୟତା ଲାଗୁ ହୋଇଥିବା ବେଳେ ଗୋଟିଏ ଗୋଟିଏ ବୈଠକ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ଏବଂ ହଜାର ହଜାର ଲୋକଙ୍କୁ ଏକତ୍ରିତ କରି ନିର୍ବାଚନର ଅବ୍ୟବହିତ ପୂର୍ବରୁ ନିର୍ଦ୍ଧିଷ୍ଟ ଗୋଟିଏ ନିର୍ବାଚନ ମଣ୍ଡଳୀରେ ‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମ କରିବା, ଏହା ବିଜୁ ଜନତା ଦଳର ହୀନ ରାଜନୈତିକ ପ୍ରୟାସ ।
‘ଆମ ଗାଁ, ଆମ ବିକାଶ’ର ଦ୍ୱାହି ଦେଇ ରାଜକୋଷରୁ ଅର୍ଥ ଖର୍ଚ୍ଚ କରି ଉପନିର୍ବାଚନ ଘୋଷଣା ପୂର୍ବରୁ ବିଜେଡି ନିର୍ବାଚନ ପ୍ରଚାର ଆରମ୍ଭ କରିଛି ବୋଲି କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି । ବିଗତ ଦିନରେ ଯେଉଁସବୁ ସ୍ଥାନରେ ଉପନିର୍ବାଚନ ହୋଇଥିଲା ବିଜେପୁର, ପାଟକୁରା, ତିର୍ତୋଲ, ବାଲେଶ୍ୱରର ବିକାଶ ମୋ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେଠାରେ କ’ଣ ବିକାଶ ହୋଇଛି? ଅନୁରୂପ ଭାବେ ପିପିଲିରେ ମୁଖ୍ୟମନ୍ତ୍ରୀ ଏବେ ଏକ ନୂଆ ସ୍ଲୋଗାନ ‘ପ୍ରଗତି ପଥେ ପିପିଲି’ ଦେଇଛନ୍ତି । ତା’ର ଅର୍ଥ ୨୧ ବର୍ଷ ଭିତରେ ବିଜୁ ଜନତା ଦଳ ସରକାର ପିପିଲିରେ କୌଣସି ପ୍ରଗତି କରିନାହିଁ । କଂଗ୍ରେସ ବିକାଶକୁ ବିରୋଧ କରୁନାହିଁ, ବିକାଶ ନାଁରେ ଭଣ୍ଡାମୀକୁ ବିରୋଧ କରୁଛି ବୋଲି ଶ୍ରୀ ମିଶ୍ର କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମ କେବଳ ନିର୍ବାଚନୀ ଧୂଆଁବାଣ । ମୁଖ୍ୟମନ୍ତ୍ରୀଙ୍କର ପିପିଲି ପ୍ରତି ତିଳେମାତ୍ର ଆନ୍ତରିକତା ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ ।
No Result
View All Result