No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୨ ଫେବୃଆରୀ ସୋମବାର ) ରଣପୁର :- ଅତ୍ୟନ୍ତ ଉତ୍ସାହପୂର୍ଣ୍ଣ ବାତାବରଣ ମଧ୍ୟରେ ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ରଣପୁର ଶାଖା ଖୋଲିବାକୁ ସ୍ଥାନୀୟ କାର୍ଯ୍ୟକର୍ତ୍ତାମାନେ ସ୍ଥିର କରିଛନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ରଣପୁର ଅଞ୍ଚଳର କିଛି ଉଦ୍ୟମୀ ସାମାଜିକ କର୍ମୀମାନଙ୍କର ଏକ ବୈଠକ ଗତ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବର୍ତ୍ତମାନର ଦୁର୍ନୀତିଗ୍ରସ୍ତ ସମାଜ ଓ ଏହାର ନିରାକରଣ ଉପରେ ଚିନ୍ତା ପ୍ରକଟ କରି ସଦସ୍ୟମାନେ ବ୍ୟାପକ ଆଲୋଚନା କରିଥିଲେ । ରଣପୁର ଅଞ୍ଚଳର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏବଂ ଅନ୍ୟ ପ୍ରଶାସନିକ ସ୍ତରରେ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ଏକ ସଙ୍ଗଠନର ଆବଶ୍ୟକତା ରହିଛି ଏବଂ ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ ଏ ଦିଗରେ ସହାୟକ ହେବ ବୋଲି ସାମୁହିକ ମତ ପ୍ରକାଶ ପାଇଥିଲା ।

ବୈଠକର ଆହ୍ୱାନ କରି ସମାଜସେବୀ ତଥା ପୂର୍ବତନ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଡ଼ଃ ସତ୍ୟନାରାୟଣ ମିଶ୍ର ଦୁର୍ନୀତି ସମ୍ପର୍କରେ ଅଧିକାଂଶ ଲୋକଙ୍କ ମାନସିକତା ଉପରେ ଆଲୋକପାତ କରିଥିଲେ । ଦୁର୍ନୀତି ବିନା ଚଳିବା ଅତ୍ୟନ୍ତ କଷ୍ଟକର ଏବଂ ସମାଜରୁ ଏହାର ମୂଳୋତ୍ପାଟନ କରିବା ଦୁରୁହ ବ୍ୟାପାର ବୋଲି ଅନେକ ଲୋକ ବିଚାର କରୁଥିବା ବେଳେ ବାସ୍ତବରେ ସମଗ୍ର ସମାଜ ଦୁର୍ନୀତିମୁକ୍ତ ହେଲେ ସମସ୍ତଙ୍କର ବଞ୍ଚିବା ସହଜ ହେବ ବୋଲି ସେ ମତ ପ୍ରକାଶ କରିଥିଲେ । ବ୍ୟବସ୍ଥା ଭିତରେ ଅନେକ ତ୍ରୁଟି ରହିଥିବାରୁ ଯଥାସମ୍ଭବ ଦୁର୍ନୀତି ବିରୋଧରେ ଜନ ସଚେତନତା ସୃଷ୍ଟି କରି କିଛି ମାତ୍ରାରେ ଏହାର ନିରାକରଣ କରାଯାଇପାରିବ ବୋଲି ଅବସରପ୍ରାପ୍ତ ଅଧ୍ୟାପକ ବିଜୟ କୁମାର ରାଉତ କହିଥିଲେ ।

ରଣପୁର ଅଞ୍ଚଳରେ ଏଭଳି ଏକ ସଙ୍ଗଠନର ଦୃଢ଼ ଆବଶ୍ୟକତା ରହିଛି ବୋଲି ଅନ୍ୟତମ ସାମାଜିକ କର୍ମୀ ଅଶୋକ ମହାପାତ୍ର କହିଥିଲେ । ସର୍ବସହମତି କ୍ରମେ ରଣପୁରରେ ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ଏକ ଶାଖା ଖୋଲିବାକୁ ନିଷ୍ପତ୍ତି ନିଆଗଲା । ପରବର୍ତ୍ତୀ ବୈଠକରେ ଅଧିକ ସଦସ୍ୟଙ୍କ ସହ ଆଲୋଚନା କରି ସଙ୍ଗଠନର ସାମ୍ବିଧାନିକ ପଦପଦବୀଗୁଡ଼ିକ ପୂରଣ କରିବା ପାଇଁ ସ୍ଥିର କରାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ତ୍ରିପାଠୀ, ଯୋଗାଚାର୍ଯ୍ୟ ବାଳକୃଷ୍ଣ ନନ୍ଦ, ଭୀମସେନ ପ୍ରଧାନ, ଆଡଭୋକେଟ ଶ୍ରୀକାନ୍ତ ସାହୁ, ଅବସରପ୍ରାପ୍ତ ନୌସୈନିକ ଦୀନବନ୍ଧୁ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ ।
No Result
View All Result