No Result
View All Result
ସମର୍ପଣରେ ସମ୍ପର୍କ ସମାବେଶ

ଓଡ଼ିଶା ତାଜା ନ୍ୟୁଜ (୨୧ ଫେବୃଆରୀ ରବିବାର) ନୟାଗଡ଼ :- ଲେଖନପୁର ଠାରେ ସ୍ଥାପିତ ବୃଦ୍ଧାଶ୍ରମ (ସମର୍ପଣ) ରେ ଜିଲ୍ଲାପାଳ ତଥା “ସମର୍ପଣ ” ପରିଚାଳନା କମିଟିର ଅଧ୍ଯକ୍ଷା ଡ.ପୋମା ଟୁଡୁଙ୍କ ସଭାପତିତ୍ୱରେ ଏକ ସମ୍ପର୍କ ସମାବେଶ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଓଡ଼ିଶାର ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ବିଡିଓ ମନୋଜ କୁମାର ପାତ୍ର ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାତ କୁମାର ସାହୁ ଯୋଗଦେଇ ଥିଲେ। ସର୍ବପ୍ରଥମେ ସମର୍ପଣ ପରିଚାଳନା କମିଟିର କାର୍ଯ୍ଯକାରୀ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ ଏହି ସମର୍ପଣ ଗୃହର ପରିକଳ୍ପନା କରିଥିବା ତଥା ମାର୍ଗଦର୍ଶନ କରୁଥିବା ମାନ୍ଯବର ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।

“ସମର୍ପଣ”ର ସମ୍ପାଦକ ଅରୁଣ କୁମାର ମହାନ୍ତି ବାର୍ଷିକ ବିବରଣୀ ସହିତ ସହଯୋଗ କରିଥିବା ବଦାନ୍ଯ ବ୍ଯକ୍ତି ବିଶେଷଙ୍କ ନାମ ପାଠ କରିଥିଲେ।ମୁଖ୍ଯ ଅତିଥି ଶ୍ରୀଯୁକ୍ତ ସାହୁ ସମର୍ପଣ ଗୃହର ପରିଚଳନା ତଥା କଳେବର ବୃଦ୍ଧିରେ ସହଯୋଗ କରିଥିବା ବଦାନ୍ଯ ବ୍ଯକ୍ତି ବିଶେଷଙ୍କୁ ଅଶେଷ ଧନ୍ଯବାଦ ପ୍ରଦାନ କରିବା ସହିତ ପ୍ରତିଦିନ ରୋଷେଇ ପାଇଁ ପରିବା ଯୋଗାଉଥିବା ପରିବା ବ୍ଯବସାୟୀ ସଂଘ ଓ ପ୍ରତ୍ଯେକ ମାସରେ ଅନ୍ତେବାସୀ ମାନଙ୍କ ସ୍ବାସ୍ଥ୍ଯ ପରୀକ୍ଷା କରୁଥିବା ଡାକ୍ତର ବନ୍ଧୁ ମାନଙ୍କୁ କ୍ରୁତଜ୍ଞତା ଜ୍ଞାପନ କରିଥିଲେ। ଏହି ଆଶ୍ରମ ପରିସରରେ ପ୍ଳେ ସ୍କୁଲ,ପରିବା ବଗିଚା ଆଦି ବିଭିନ୍ନ ପ୍ରକଳ୍ପ ନିର୍ମାଣ କରି ଓଡ଼ିଶାରେ ଏହାକୁ ସର୍ବଶ୍ରେଷ୍ଠ ଜରାଶ୍ରମ ଭାବେ ଗଢ଼ି ତୋଳିବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଥିଲାବେଳେ ବିଦ୍ଯାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏହି ବୃଦ୍ଧାଶ୍ରମକୁ ବୁଲି ଦେଖନ୍ତୁ ଯେପରି ଭବିଷ୍ଯତରେ ଭାରତ ବର୍ଷରେ ବୃଦ୍ଧାଶ୍ରମର ଆବଶ୍ଯକତା ରହିବ ନାହିଁ, ସେଥିପାଇଁ ସମସ୍ତେ ଯତ୍ନଶୀଳ ହେବା ଆବଶ୍ଯକ ବୋଲି ପରାମର୍ଶ ଦେଇଥିଲେ।

ସମର୍ପଣ ପରିଚଳନା କମିଟିର କାର୍ଯ୍ଯନିର୍ବାହୀ ସଦସ୍ଯ ସମାଜସେବୀ ଶ୍ରୀଧର ସାହୁଙ୍କ ସଂଯୋଜନାରେ ପ୍ରତ୍ଯେକ ମାସରେ ନିଃଶୁଳ୍କ ସ୍ବାସ୍ଥ୍ଯସେବା ଯୋଗାଉଥିବା ଡାକ୍ତର ରାଜେଶ କୁମାର ମିଶ୍ର, ଡାକ୍ତର ବିଭୁତି ଭୂଷଣ ଦଳେଇ, ଫାର୍ମାସିଷ୍ଟ ପ୍ରତିଭା ମିଶ୍ର, ପାଥୋଲୋଜିସ୍ଟ ପ୍ରଫୁଲ୍ଲ କୁମାର ବେହେରା, ବୈଦ୍ଯ ଜନ୍ମେଜୟ ମହାନ୍ତି, ଆକ୍ଯୁପ୍ରେସର ସେବା ପାଇଁ ସମାଜସେବୀ ଭାସ୍କର ଚନ୍ଦ୍ର ସାହୁ ଓ ପ୍ରତିଦିନ ପରିବା ଯୋଗାଉଥିବା ପରିବା ବ୍ଯବସାୟୀ ସଂଘ ସଭାପତିଙ୍କୁ ମୁଖ୍ଯ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ସମର୍ପଣର ଅଭିବୃଦ୍ଧି ନିମିତ୍ତ ଉପସ୍ଥିତ ବ୍ଯକ୍ତି ମାନେ ଅନେକ ପ୍ରସ୍ତାବ ଦେଇଥିଲା ବେଳେ ପରିଚାଳନା କମିଟିର କାର୍ଯ୍ଯନିର୍ବାହୀ ସଦସ୍ଯ ପ୍ରସନ୍ନ କୁମାର ବସନ୍ତିଆ, ଧୀରେନ୍ଦ୍ର କୁମାର ପଟ୍ଟନାୟକ,ସମାଜସେବୀ ଶ୍ରୀଧର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି କାର୍ଯ୍ଯକ୍ରମରେ ବହୁ ଶିକ୍ଷାବିତ୍,ସମାଜସେବୀ,ବ୍ଯବସାୟୀ ଓ ମୁର୍ଦ୍ଧନ୍ଯବ୍ଯକ୍ତି ମାନେ ଉପସ୍ଥିତ ଥିଲେ। ପରିଶେଷରେ ସମର୍ପଣର କାର୍ଯ୍ଯନିର୍ବାହୀ ସଦସ୍ଯ ତଥା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାତ କୁମାର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ । (ରିପୋର୍ଟ-ରାମକୃଷ୍ଣ ରଥ)
No Result
View All Result