No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ଫେବୃଆରୀ ,ବୁଧବାର ) ହିଞ୍ଜିଳିକାଟୁ :- ହିଞ୍ଜିଳି ଥାନା ତଥା ଆସିକା ବନାଞ୍ଚଳ ରେଞ୍ଜ ଶେରଗଡ ସେକ୍ସନ ଅଧିନ ନରେନ୍ଦ୍ରପୁର ଗାଁରେ ବୁଧବାର ଚନ୍ଦନ ତସ୍କର କାଟି ନେଇଛନ୍ତି ମୂଲ୍ୟବାନ ଚନ୍ଦନ ଗଛ।ଗାଁ ଦାଣ୍ଡ ଶୂନଶାନ ତଥା ନିଃଶବ୍ଦ ରାତ୍ରରେ ଦୁର୍ବୃତ୍ତ ମାନେ ଏଭଳି କାଣ୍ଡ କାରନାମା ଘଟାଇ ପ୍ରାୟ ଲକ୍ଷାଧିକ ଟଙ୍କା ମୂଲ୍ୟର ଚନ୍ଦନ କାଠ ଚୋରୀ କରିଥିବା ଜଣାପଡିଛି । ସୂଚନା ମୁତାବକ ସମ୍ପୃକ୍ତ ଗ୍ରାମ ମଧ୍ୟ ଭାଗରେ ଗୋପୀନାଥ ମହାପ୍ରଭୁଙ୍କ ମନ୍ଦିର ରହିଛି । ଉକ୍ତ ମନ୍ଦିର ବେଢାରେ କିଛି ବର୍ଷ ଧରି ୮ ଫୁଟ ଉଚ୍ଚତା ବିଶିଷ୍ଟ ଏକ ମୂଲ୍ୟବାନ ଚନ୍ଦନ ଗଛ ରହିଥିଲା । କିନ୍ତୁ ପୂଜକ ଜଣକ ବୁଧବାର ଭୋର ସମୟରେ ପୂଜାର୍ଚ୍ଚନା ପାଇଁ ମନ୍ଦିରକୁ ଆସିଲା ବେଳେ ସେଠାରେ ପୂର୍ବରୁ ଥିବା ଚନ୍ଦନ ଗଛଟିକୁ କେହି ଦୁର୍ବୃତ୍ତ କାଟିଦେଇଥିବା ଦେଖିଥିଲେ । ପରେ ଖବର ପାଇ ଗ୍ରାମବାସୀ ସେଠାରେ ପହଞ୍ଚି ମଧ୍ୟ ରାତ୍ର ସମୟରେ ଏଭଳି ହୋଇଥିବା ଆଶଙ୍କା ପ୍ରକାଶ କରିଥିଲେ ।

ଦୁର୍ବୃତ୍ତ ମାନେ କାଟି ନେଇଥିବା ୮ ଫୁଟ ଲମ୍ବ ଓ ୨ ଫୁଟ ଗୋଲେଇ ବିଶିଷ୍ଟ ଚନ୍ଦନ ଗଛର ଆନୁମାନିକ ମୂଲ୍ୟ ପ୍ରାୟ୧ ଲକ୍ଷ ଟଙ୍କା ହେବ ବୋଲି ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି । ଏନେଇ ମନ୍ଦିର ପୂଜକ କିମ୍ବା ଗ୍ରାମବାସୀଙ୍କ ତରଫରୁ ସ୍ଥାନୀୟ ହିଞ୍ଜିଳି ଥାନାରେ ଲିଖିତ ଭାବେ ଅଭିଯୋଗ ହୋଇ ନ ଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ସୂଚନାଯୋଗ୍ୟ , ପୂର୍ବରୁ ମନ୍ଦିର ବେଢାର ଥିବା ଉକ୍ତ ଚନ୍ଦନ ଗଛଟିକୁ ନୟାଗଡ ଅଞ୍ଚଳର କିଛି ବ୍ୟକ୍ତି କିଣିବାକୁ ଆସି ମୁଲଚାଲ କରି ଫେରି ଯାଇଥିବା ଗ୍ରାମବାସୀଙ୍କ ଠାରୁ ଶୁଣିବାକୁ ମିଳିଛି । ସେମାନଙ୍କ ସହ ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କ ଏହି ଚୋରୀ ଘଟଣାରେ ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି । ତେଣୁ ପୁଲିସ ଓ ବନ ବିଭାଗ ପକ୍ଷରୁ ଏ ଦିଗରେ ତଦନ୍ତ କରି ଘଟଣାରେ ସଂପୃକ୍ତ ଥିବା ଦୁର୍ବୃତ୍ତଙ୍କୁ ଗିରଫ କରିବା ପାଇଁ ମତ ପ୍ରକାଶ ପାଇଛି । (ରିପୋର୍ଟ- ଶୁସାନ୍ତ ପ୍ରଧାନ )
No Result
View All Result