No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଫେବ୍ରୁଆରି,ରବିବାର ) ରଣପୁର/ଅଭିମନ୍ୟୁ :- ରବିବାର ପୂର୍ବାହ୍ନରେ ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୟୁରଝାଲିଆ ପଞ୍ଚାୟତ ବ୍ରାହ୍ମଣଦେଇ ମନ୍ଦିର ପରିସରରେ ବୃତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟକରିବା ନିମନ୍ତେ ଗଠିତ କ୍ରିୟାନୁଷ୍ଠାନ କମିଟିର ଚତୁର୍ଥ ବୈଠକ ଅନୁଷ୍ଠିତ ହୋଇଯାଇଛି । କୃଷକନେତା ସୁରେନ୍ଦ୍ର ନାଥ କଳସ,ବିପିନ ବିହାରୀ ନାୟକ ଓ ବିଭୁତି କୁମାର ଜେନାଙ୍କ ସହଯୋଗରେ ଆୟୋଜିତ ଏହି ବୈଠକରେ କମିଟିର ସଭାପତି ଆଡ୍ଭୋକେଟ ମନୋଜ କୁମାର ସାହୁ ସଭାପତିତ୍ୱ କରିଥିଲେ ।

ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ଆସିଥିବା ୬୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ନେଇ ହୋଇଥିବା ଏହି ବୈଠକରେ ବୃତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ନିମନ୍ତେ ଦାବିକୁ ବଳବତର ରଖିବା ନିମନ୍ତେ ବହୁମତ ପ୍ରକାଶ ପାଇଥିଲା । ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ମାନ୍ୟବର ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଉପସ୍୍ଥିତ ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍ଧରିବାରୁ ଆସନ୍ତା ୨୪ ତାରିଖଠାରୁ ଦଶପଲ୍ଲାସ୍ଥିତ ମହାବୀର ମନ୍ଦିର ନିକଟରେ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

ଉକ୍ତ ବୈଠକରେ ସମ୍ପାଦକ ଆଡଭୋକେଟ ବେଣୁଧର ନାୟକ, ଉପସଭାନେତ୍ରୀ ବିନୋଦିନୀ ମହାନ୍ତି, ସହ ସମ୍ପାଦକ ଲକ୍ଷ୍ମୀଧର ରାଉତରାୟ, ଉପଦେଷ୍ଠ ଉମେଶ ଚନ୍ଦ୍ର ପଟ୍ଟନାୟକ, ଧୃବଚରଣ ପରିଡା, ସୁରଥ ମହାନ୍ତି, ଆଚାର୍ଯ୍ୟ ବିଶ୍ୱରଞ୍ଜନ, ଉମେଶ ଚନ୍ଦ୍ର ମହାପାତ୍ର, ରାମକୃଷ୍ଣ ପରିଡ଼ା, ରବିନ୍ଦ୍ର କୁମାର ସାହୁ, ପ୍ରଫୁଲ୍ଲ କୁମାର ମିଶ୍ର, ଭାଗ୍ୟଧର ଦଳେଇ, ସୌରୀବନ୍ଧୁ ସାହୁ, ସଂଜୀବ କୁମାର ପରିଡା ଏବଂ ଅକ୍ଷୟ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ବୃତଙ୍ଗ ପ୍ରକଳ୍ପ କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ । ଶେଷରେ ବିମଳ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result