No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଫେବ୍ରୁଆରି,ରବିବାର )ପୁରୀ :- କୋହଳ ହୋଇଛି ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା । ଏଣିକି ପୂର୍ବପରି ସବୁଦିନ ଜଗା ଦର୍ଶନର ସୁଯୋଗ ପାଇବେ ଭକ୍ତ। ଶୁକ୍ରବାର ଠାରୁ ଏହି ବ୍ୟବସ୍ଥା ଲାଗୁ ହୋଇଛି । କୋଭିଡ ନିୟମ ସହିତ ଦର୍ଶନ ବ୍ୟବସ୍ଥାକୁ କିପରି ସୁରୁଖୁରୁରେ କରାଯାଇ ପାରିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶୁକ୍ରବାର ଏକ ଗାଇଲାଇନ ଜାରି ହୋଇଛି ।
ଶ୍ରୀମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ଭକ୍ତମାନଙ୍କୁ ଏହିସବୁ ନିୟମ ପାଳନ କରିବାକୁ ପଡ଼ିବ ; ଜଗା ଦର୍ଶନ କରିବାକୁ ଆସୁଥିବା ଭକ୍ତମାନଙ୍କ ପାଇଁ କେତେକ କରୋନା ଗାଇଡଲାଇନ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଏହି ଗାଇଡ଼ିଲାଇନ ଗୁଡ଼ିକ ହେଉଛି :–
1.ଶ୍ରୀମନ୍ଦିରକୁ ପ୍ରବେଶ କରୁଥିବା ପ୍ରତିଟି ଭକ୍ତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ ।
2. ଶ୍ରୀମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ଶ୍ରଦ୍ଧାଳୁମାନେ ନିଜ ହାତକୁ ସାନିଟାଇଜ କରିବେ ।
3. ଦେଉଳକୁ ପ୍ରବେଶ ପୂର୍ବରୁ ଏବଂ ଦେଉଳ ଭିତରେ ସାମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ ।
4. ସେହିପରି ବଡ଼ ଦେଉଳକୁ ପ୍ରବେଶ ପରେ ଭକ୍ତମାନେ କେଉଁ କେଉଁ କାର୍ଯ୍ୟ କରିପାରିବେ ନାହିଁ ସେ ବାବଦରେ ଶ୍ରୀମନ୍ଦିର ପ୍ରଶାସନ କହିଛି ଯେ,
5. ଶ୍ରୀମନ୍ଦିର ଭିତରେ ଦର୍ଶନ ସମୟରେ କୌଣସି ମୂର୍ତ୍ତି କିମ୍ଵା ପ୍ରତିମୂର୍ତ୍ତିକୁ ଛୁଇଁ ପାରିବେନି ଭକ୍ତ ।
6. ବଡ଼ ଦେଉଳ ମଧ୍ୟରେ ପାନ, ଗୁଟୁଖା ଖାଇବା କିମ୍ଵା ଛେପ ପକାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।
7. ଯଦି କେହି ଏପରି କରୁଥିବା ବେଳେ ଧରାପଡ଼ିବେ ସେମାନଙ୍କୁ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ ।
8. ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକମୁକ୍ତ କରାଯାଇଛି ।
9. ଯଦି କେହି ଦେଉଳ ମଧ୍ୟକୁ ପଲିଥିନି ବ୍ୟାଗ୍ ନେଇକି ଆସିବେ ତାଙ୍କଠାରୁ ୧୦୦ ଟଙ୍କା ଜରିମାନା ଆଦାୟ କରାଯିବ ।
10. ବଡ଼ ଦେଉଳକୁ ପ୍ରବେଶ ପାଇଁ ଜୋତା ଷ୍ଟାଣ୍ଡ ଆରପଟେ ଥିବା ବ୍ୟାରିକେଟରେ ‘କ୍ୟୁ’ ଧାଡ଼ି ବ୍ୟବସ୍ଥାରେ ଭକ୍ତମାନେ ଯିବେ ।
11. ଭକ୍ତମାନେ କେବଳ ସିଂହଦ୍ଵାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ ।
12. ଦର୍ଶନ ସାରିବା ପରେ ସିଂହଦ୍ଵାରକୁ ଛାଡ଼ି ଅନ୍ୟ ୩ଟି ଦ୍ଵାର ଦେଇ ପ୍ରସ୍ଥାନ କରିବେ ।
13. ଶ୍ରୀମନ୍ଦିରର ଉତ୍ତର-ପୂର୍ବ ପଟରେ ଥିବା ଜୋତା, ବ୍ୟାଗ ଷ୍ଟାଣ୍ଡରେ ଶ୍ରଦ୍ଧାଳୁମାନେ ନିଜ ଜିନିଷପତ୍ର ରଖିପାରିବେ ।
ସେହିପରି ଶ୍ରୀମନ୍ଦିର ଭିତରେ ଦୀପ ଜାଳିବା ଏବଂ ମହାପ୍ରସାଦ ସେବନ କରିବା ନେଇ ପ୍ରଶାସନ ପକ୍ଷରୁ କିଛି କଟକଣା ଲଗାଯାଇଛି । ପ୍ରଶାସନ ପକ୍ଷରୁ ଚିହ୍ନିତ କରାଯାଇଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ଭକ୍ତମାନେ ଦୀପ ଜାଳି ପାରିବେ । ସେହିପରି ଆଜିଠାରୁ ଆନ୍ଦନବଜାରରେ ସର୍ବସାଧାରଣ ମହାପ୍ରସାଦ ସେବନ ଆରମ୍ଭ ହେଉଥିବା ବେଳେ ପ୍ରଶାସନ ଦ୍ଵାରା ଚିହ୍ନିତ ନିର୍ଦ୍ଦିଷ୍ଟ ସ୍ଥାନରେ ହିଁ ଶ୍ରଦ୍ଧାଳୁମାନେ ମହାପ୍ରସାଦ ସେବନ କରିପାରିବେ । (ପୁରୀ ଜିଲ୍ଳା ନ୍ୟୁଜ୍ ବ୍ୟୁରୋ /ବିଶ୍ଵନାଥ ମିଶ୍ର )
No Result
View All Result