ଓଡ଼ିଶା ତାଜା ନ୍ୟୁଜ୍ (୧୩ ଫେବୃଆରୀ ଶନିବାର ) ଭୁବନେଶ୍ୱର :- ଶନିବାର ବିଜେଡି ସାଂସଦମାନଙ୍କର ଏକ ଦଳ ଦିଲ୍ଲୀରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏବଂ ଅର୍ଜୁନ ରାମ ମେଘଓ୍ଵାଲଙ୍କୁ ଭେଟିଛନ୍ତି । ପୁରୀ ପରି ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ ଏବଂ ବ୍ରହ୍ମେଶ୍ଵର ମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ’କୁ ପ୍ରତ୍ୟାହାର କରିବାକୁ ବିଜେଡି ସାଂସଦମାନେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ।
ଭୁବନେଶ୍ଵରର ଅନନ୍ତ ବାସୁଦେବ ମନ୍ଦିର ଏବଂ ବ୍ରହ୍ମେଶ୍ଵର ମନ୍ଦିର ପାଇଁ ବାଇ-ଲ’ ଲାଗୁ ହେଲେ ଏହି ଦୁଇଟି ପୁରାତନ ମନ୍ଦିର ସହ ଏକାମ୍ର କ୍ଷେତ୍ରର ପ୍ରସିଦ୍ଧ ବାବା ଲିଙ୍ଗରାଜଙ୍କ ମନ୍ଦିର ଏବଂ ଐତିହ୍ୟ ପୁଷ୍କରିଣୀ ବିନ୍ଦୁସାଗରର ବିକାଶ କାର୍ଯ୍ୟ ପ୍ରଭାବିତ ହେବ । ସେହିପରି ସେବାୟତମାନେ ମଧ୍ୟ ଏହାଦ୍ଵାରା ବେଶ୍ ପ୍ରଭାବିତ ହେବେ । ତେଣୁ ଓଡ଼ିଶାର ଧାର୍ମିକ ଭାବନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ଆଇନକୁ ପ୍ରତ୍ୟାହାର କରନ୍ତୁ ବୋଲି ବିଜେଡି ସାଂସଦମାନେ ନିବେଦନ କରିଛନ୍ତି ।
ଅନ୍ୟପଟେ ଏକାମ୍ର କ୍ଷେତ୍ରରୁ ବାଇ-ଲ’ ପ୍ରତ୍ୟାହାର କରିବା ପାଇଁ ଶନିବାର ଦାବି କରିଛି ଓଡ଼ିଶା ମନ୍ଦିର ସେବାୟତ ସଂଘ । ଯଦି ତୁରନ୍ତ କେନ୍ଦ୍ର ସରକାର ଏହି ଆଇନକୁ ପ୍ରତ୍ୟାହାର ନ କରନ୍ତି ତେବେ ଆସନ୍ତା ୧୬ ତାରିଖରେ ୧୮ ହଜାର ସେବାୟତ ଆନ୍ଦୋଳନକୁ ଓହ୍ଳାଇବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।