ଆନ୍ତଜିଲ୍ଲା ଚେନ୍ ଲୁଟିଆ ଗ୍ୟାଙ୍ଗର ୪ଜଣ ସଦସ୍ୟଙ୍କୁ ଗିରଫ କରି ଫର୍ଦ୍ଦାଫାସ୍ କରିଛି କଟକ ଚାଉଳିଆଗଞ ଥାନା ପୋଲିସ୍ ।

ଓଡ଼ିଶା ତାଜା ନ୍ୟୁଜ୍ (୮ ଫେବୃଆରୀ, ସୋମବାର ) କଟକ :- ଏକ ଆନ୍ତଜିଲ୍ଲା ଚେନ୍ ଲୁଟିଆ ଗ୍ୟାଙ୍ଗର ୪ଜଣ ସଦସ୍ୟଙ୍କୁ ଗିରଫ କରି ଫର୍ଦ୍ଦାଫାସ୍ କରିଛି କଟକ ଚାଉଳିଆଗଞ ଥାନା ପୋଲିସ୍ । କଟକ ସହର ସମେତ ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଅନୁଗୁଳ ଆଦି ଜିଲ୍ଲାରେ ଚେନ୍ ଛିଡାଇବା ସହ ମୋବାଇଲ ମଧ୍ୟ ଲୁଟ୍ କରି ବିକି ଦେଉଥିଲେ ଏହି ଲୁଟିଆ ଗ୍ୟାଙ୍ଗ୍ । ଆଉ ଲୁଟ୍ ଟଙ୍କାରେ ଅଏସ୍ କରିବା ସହ ବିଭିନ୍ନ ଗାଡି ମଧ୍ୟ କିଣି ଜଣେ ଜଣେ ଗାଡି ମାଲିକ ହୋଇଥିବାର ପୋଲିସ୍ ଏକ ପ୍ରେସମିଟ୍ ରେ ସୂଚନା ଦେଇଛି ।

ଲୁଟ ଘଟଣାରେ ସଂପୃକ୍ତ ଗ୍ୟାଙ୍ଗର ୪ ଜଣଙ୍କୁ ପୋଲିସ୍ ଧରିବାରେ ସକ୍ଷମ ହୋଇଥିଲାବେଳେ , ଏମାନେ ୩୦ ରୁ ଉର୍ଦ୍ଧ୍ବ ଜାତୀୟ ରାଜପଥ ରେ ଲୁଟ୍ କରୁଥିଲେ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ବଗ ଓ ଷଣ୍ଡ ମୋଷ୍ଟ୍ ୱ।ଣ୍ଟେଡ୍ ଥିବା ଜଣାପଡିଛି । ସୂଚନା ଅନୁସାରେ ଜଗତସିଂହପୁର ନାଉଗାଁ ଅଞ୍ଚଳର ମାନସ ସାହୁ ଓଏମପି ଛକରେ ଘରକୁ ଯିବାକୁ ବସ୍ କୁ ଅପେକ୍ଷା କରିଥିଲେ । ଏହି ସମୟରେ ଏକ କଳାରଙ୍ଗର ପଲସର୍ ରେ ଦୁଇ ଜଣ ଯୁବକ ମାନସଙ୍କୁ ମାରଣାସ୍ତ୍ର ଦେଖାଇ ମନିପର୍ସ୍ ଓ ମୋବାଇଲ ଫୋନ୍ ଛଡାଇ ନେଇ ଫେରାର ହୋଇଯାଇଥିଲେ ।

ଘଟଣା ସମ୍ପର୍କରେ ଥାନାରେ ଏତଲା ହେବା ପରେ ଆଇଆଇସି ତାପସ ପ୍ରଧାନ ଏବଂ ତାଙ୍କ ଟିମ୍ ସହ ତଦନ୍ତକୁ ଜୋରଦାର କରିଥିଲେ । ସ୍ଥାନୀୟ ଅଞ୍ଚଳରେ ସିସିଟିଭି ଫୁଟେଜ୍ କୁ ଆଧାର କରି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଅଞ୍ଚଳରୁ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ଗିରଫ ଅଭିଯୁକ୍ତ ମାନେ ହେଲେ ବଡ଼ମ୍ବା ଭାଲୁବେନି ଗ୍ରାମର ବଗ ଓରଫ୍ ଜଗନ୍ନାଥ ବେହେରା, ଜଗତପୁର ଖଇରା ଅଞ୍ଚଳର ଷଣ୍ଢ ଓରଫ୍ ବୁଲୁ ମଲ୍ଲିକ,ସାଲେପୁର ପାଗା ମହାଜନପୁର ଅଞ୍ଚଳର ଅଜିତ୍ ସାମଲ,ଜଗତସିଂହପୁର ବାଲିକୁଦା ଅଞ୍ଚଳର ରତନ ମଣ୍ଡଳ ।

ଏମାନେ ଜଣେ ଜଣେ ପେଶାଦାର ଲୁଟେରା ହୋଇଥିବା ବେଳେ କଟକ ସହରର ବିଭିନ୍ନ ଥାନା ସମେତ ଅନ୍ୟ ଜିଲ୍ଲାର ଥାନାମାନଙ୍କରେ ଏକାଧିକ ରେକର୍ଡ ରହିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ୫୦ ଗ୍ରାମ୍ ର ୫ଟି ସୁନା ଚେନ୍,୫ ଟି ମୋବାଇଲ ଫୋନ୍, ଦୁଇଟି ବାଇକ୍ କୁ ଜବତ କରିଥିବା ପ୍ରେସ୍ ମିଟ୍ ରେ ସୂଚନା ଦେଇଛନ୍ତି ଏ ସି ପି ଅମରେନ୍ଦ୍ର ପଣ୍ଡା ।ଗିରଫ ଲୁଟେରାଙ୍କୁ କୋର୍ଟ ଚାଲାଣ କରାଯାଇଛି । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)