No Result
View All Result
ଓଡ଼ିଶା ତାଜା ନ୍ୟୁଜ(୫ ଫେବୃଆରୀ ଶୁକ୍ରବାର) ନୂଆପଡ଼ା :- ଭାରତବର୍ଷର ପ୍ରାଚୀନ ଐତିହାସିକ ସ୍ଥଳ ମଧ୍ୟରୁ ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ନେହେନା ଗ୍ରାମ ଅନ୍ୟତମ। ପ୍ରାଚୀନ କାଳରେ ଏହି ଗ୍ରାମର ନାମ ନବାନ୍ନକ ନାମରେ ନାମିତ ଥିଲା । ଏହି ନେହେନା ଗ୍ରାମରୁ ସୋମବଂଶୀ କାଳର ଏକ ଶିବଲିଙ୍ଗ ପ୍ରତ୍ନତତ୍ତ୍ଵବିଦ ଜିତେନ୍ଦ୍ର କୁମାର ନାଗ ଉଦ୍ଧାର କରିଛନ୍ତି। ଯାହାର ଲିଙ୍ଗ ଅଂଶ ଭଗ୍ନାବସ୍ଥାରେ ରହିଛି ଏବଂ ତା ସହିତ ଗୋଟିଏ ଦେବୀ ମୂର୍ତ୍ତି ମଧ୍ୟ ଉଦ୍ଧାର କରାଯାଇଛି । ଯାହା ସ୍ପଷ୍ଟ ଭାବରେ ଜଣାପଡୁ ନାହିଁ। ଏହି ଶିବଲିଙ୍ଗର ବିଶେଷତ୍ଵ ହେଉଛି ଯେ ଏହା ଦେଖିବାକୁ ଛୋଟ ଆକାରର ଓ ଏହି ପ୍ରକାରର ଶିବଲିଙ୍ଗ ଓଡ଼ିଶାର କମ୍ ସ୍ଥାନରେ ଦେଖିବାକୁ ମିଳେ। ଶିବଲିଙ୍ଗ ଉଦ୍ଧାରରୁ ପ୍ରମାଣିତ ହୁଏ ଯେ ସୋମବଂଶୀ ରାଜା ମହାଶିବଗୁପ୍ତ ବାଳାର୍ଜୁନଙ୍କ ରାଜତ୍ଵ କାଳରେ ନେହେନା ଗ୍ରାମରେ ଏକ ଭବ୍ୟ ଶିବ ମନ୍ଦିର ନିର୍ମିତ ହୋଇଥିଲା। ବର୍ତମାନ ମଧ୍ୟ ଏହି ଭବ୍ୟ ଶିବ ମନ୍ଦିରର କିଛି ଭଗ୍ନାବଶେଷ ଦେଖିବାକୁ ମିଳେ ।
ଏହି ସ୍ଥଳରୁ ୧୯୯୦ ମସିହାରେ ମହାଶିବଗୁପ୍ତ ବାଳାର୍ଜୁନଙ୍କ (୫୯୫-୬୫୫ ଖ୍ରୀଷ୍ଟାବ୍ଦ)ଙ୍କର ଶୈବ ଧର୍ମ ବିଶିଷ୍ଟ ମୋହର ଉଦ୍ଧାର ହୋଇଥିଲା। ଏହି ମୋହରରୁ ପ୍ରମାଣିତ ହୁଏ ଯେ ସୋମବଂଶୀ ରାଜା ମହାଶିବଗୁପ୍ତ ବାଳାର୍ଜୁନ ଶୈବ ଧର୍ମର ପ୍ରଚାର ଓ ପ୍ରସାର ପାଇଁ ଗୋଟିଏ ମଠ ଓ ମନ୍ଦିର ନିର୍ମାଣ କରାଇଥିଲେ ଏବଂ ଜଣେ ସାମନ୍ତଙ୍କୁ ନିଯୁକ୍ତି କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ଏହି ମହତ୍ୱପୂର୍ଣ୍ଣ ପ୍ରାଚୀନ ଐତିହାସିକ ସ୍ଥଳ ନେହେନାରୁ ଏକ ଇଟାରେ ନିର୍ମିତ ଭିତ୍ତିପ୍ରସ୍ତର ମିଳିଥିବାର ପ୍ରମାଣ ରହିଛି। ଏଥିରୁ ଜଣାଯାଏ ଯେ ଏହି ଅଞ୍ଚଳ ଦିନେ ମୋର୍ଯ୍ୟ ସାମ୍ରାଜ୍ୟ ଭୁକ୍ତ ଜନବସତିର ଅଂଶ ବିଶେଷ ଥିଲା। ପୁଣି ଏହି ଅଞ୍ଚଳରୁ ଗୋଟିଏ ମାଟିରେ ନିର୍ମିତ ସିଂହର ମୂର୍ତ୍ତି ଉଦ୍ଧାର କରାଯାଇଛି। ଯାହାକି ରୋମାନ କଳାରୁ ପ୍ରଭାବିତ ।
ଏଥିରୁ ପ୍ରମାଣିତ ହୁଏ ଯେ ପଶ୍ଚିମ ଓଡ଼ିଶା ସହ ରୋମାନ ସଭ୍ୟତାର ସର୍ମ୍ପକ ରହିଥିଲା।ସାତବାହାନ କାଳର ଏକ ହାତୀ ଚିହ୍ନ ବିଶିଷ୍ଟ ମୋହର ମଧ୍ୟ ଉଦ୍ଧାର କରାଯାଇଛି। ଯାହା କି ମଲ୍ଲାର ଗ୍ରାମ ବିଲାସପୁର ଜିଲ୍ଲା ଛତିଶଗଡ଼ରୁ ମଧ୍ୟ ଉଦ୍ଧାର ହୋଇଥିବା ମୋହର ସହିତ ମେଳ ଖାଉଥିବାରୁ ଏଥିରୁ ପ୍ରମାଣିତ ହୁଏ ଯେ ଦିନେ ନେହେନା ଅଞ୍ଚଳ ସାତବାହାନ ସାମ୍ରାଜ୍ୟଭୁକ୍ତ ଥିଲା। ବର୍ତମାନ ଶିବଲିଙ୍ଗ ଓ ଦେବୀ ମୂର୍ତ୍ତିକୁ ଆବିଷ୍କାର ଓ ଲୋକଲୋଚନକୁ ଆଣିବାରେ ସହାୟକ ହୋଇଥିବା ବେଣୁଧର ବାଗ ଓ ମନ୍ଦିର ପୂଜକ ଦୁଃଶାସନ ଥନାପତିଙ୍କୁ ଧନ୍ୟବାଦ ଅର୍ପଣ କରାଯାଏ। ପଶ୍ଚିମ ଓଡ଼ିଶାର ଏହି ମହତ୍ୱପୂର୍ଣ୍ଣ ପ୍ରାଚୀନ ଐତିହାସିକ ସୁନ୍ଦର ନଦୀ ନିକଟବର୍ତ୍ତୀ ସ୍ଥାନରେ କେନ୍ଦ୍ର ସରକାର ପ୍ରତ୍ନତାତ୍ବିକ ବିଭାଗ ଦ୍ଵାରା ଉତଖନନ କଲେ ଆହୁରି ନୂତନ ତଥ୍ୟ ଆସିବ ବୋଲି ମତ ପ୍ରକାଶ ପାଏ । ଆଲେଖ୍ୟ-ଜିତେନ୍ଦ୍ର କୁମାର ନାଗ, ପ୍ରତ୍ନତତ୍ତ୍ଵବିଦ, ନୂଆପଡ଼ା,ଓଡ଼ିଶା । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result