No Result
View All Result
ଓଡିଶା ତାଜା ନ୍ୟୁଜ (୩ ଫେବୃଆରୀ ବୁଧବାର ) ଢେଙ୍କାନାଳ :- ଆସନ୍ତା ଫେବୃୟାରୀ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ନିମନ୍ତେ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସଦଭାବନା ଗୃହରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ଥିବାରୁ ଯେପରି ସଂକ୍ରମଣର ସମ୍ଭାବନା ରହିବ ନାହିଁ ସେଥିପ୍ରତି ଧ୍ୟାନ ଦେଇ କୋଭିଡ୍ ପ୍ରୋଟୋକଲ୍ କୁ ମାନି ଅଧିକ ଜନସମାଗମ ନକରି ସମସ୍ତ ନୀତି ନିୟମ , ପରମ୍ପରା ଓ ସଂସ୍କୃତିକୁ ନେଇ ମେଳା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ମେଳାରେ କୌଣସି ଦୋଳି , ଅପେରା , ନାଚ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ ।
ଶୂନ୍ୟ ମନ୍ଦିର ବେଢା ମଧ୍ୟକୁ ୫୦ ଜଣ ଦର୍ଶନାର୍ଥୀଙ୍କୁ ୧୦ ମିନିଟ୍ ରହିବା ପାଇଁ ଅନୁମତି ମିଳିବ । ସେହିପରି ସୀମିତ ସଂଖ୍ୟକ ଦୋକାନ ଖୋଲାଯିବ । ବାହାର ଜିଲ୍ଲାରୁ ଆସୁଥିବା ମହିମା ଧର୍ମର ଅନୁଗାମୀ, ବ୍ୟବସାୟୀ ଏବଂ ସମସ୍ତ ଅନ୍ତେବାସୀ ମାନଙ୍କର ୨୪ ତାରିଖରେ ଆଣ୍ଟିଜେନ୍ ଟେଷ୍ଟ କରାଯିବ ଏବଂ ୨୫ ତାରିଖ ପରେ ଆସୁଥିବା ସନ୍ଦିଗ୍ଧ ଅସୁସ୍ଥ ମାନଙ୍କର ମଧ୍ୟ ଆଣ୍ଟିଜେନ୍ ଟେଷ୍ଟ କରାଯିବ ।ଏଣୁ ବାହାରୁ ଆସୁଥିବା ଦର୍ଶନାର୍ଥୀ ମାନେ ୭ ଦିନ ମଧ୍ୟରେ କରୋନା ଟେଷ୍ଟ୍ ରିପୋର୍ଟ ସାଙ୍ଗରେ ଆଣିବାକୁ କୁହାଯାଇଛି । ଏହି ବୈଠକରେ ପାନୀୟ ଜଳଯୋଗାଣ, ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା,ପରିମଳ,କୂଅ ପୋଖରୀ ବିଶୋଧନ, ମୋବାଇଲ ଟଏଲେଟ୍ , ଯାନବାହାନ ନିୟନ୍ତ୍ରଣ, ପୋଲିସ ନିୟୋଜନ ଆଦି ସମ୍ପର୍କରେ ଆଲୋଚନା କରାଯାଇଛି ।
ଶେଷରେ ସଦର ଉପ-ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ, ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିନୟ କୁମାର କାମିଲା,ଡିଏଫ୍ଓ ପ୍ରକାଶ ଚାନ୍ଦ ଯୋଗିନେନୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ସୁଜାତାରାଣୀ ମିଶ୍ର, ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମାଝୀ, ନିର୍ବାହୀ ଯନ୍ତ୍ରୀ ନିରଞ୍ଜନ ବିଶ୍ୱାଳ , ସୁରେନ୍ଦ୍ର କୁମାର ବେହେରା , ଗନ୍ଦିଆ ବିଡ଼ିଓ ଶିବ ଶଙ୍କର ମିଶ୍ର, ଆପାତକାଳୀନ ଅଧିକାରୀ ଶଶାଙ୍କ ଶେଖର ମିଶ୍ର, ଯୋରନ୍ଦା ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ କୁମାର ରାଉତ, ମହିମା ଗାଦିର ବାବା ଦୀନବନ୍ଧୁ ଦାସ,ରଘୁବର ଦାସ,ବିଜୟ ଦାସ , ଇନ୍ଦ୍ରମଣି ଦାସ ପ୍ରମୁଖ ଉପସ୍ଥିତ ଥିଲେ । ( ରିପୋର୍ଟ , ଅମର ରଞ୍ଜନ ଦାସ )
No Result
View All Result