No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୩୧ ଜାନୁଆରି ,ରବିବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା, ଆର.ଉଦୟଗିରି, ନୂଆଁଗଡ଼ ଅଞ୍ଚଳ ଗଞ୍ଜେଇ ମାଫିଆଙ୍କର ଭୂସର୍ଗପାଲଟିଛି । ଶୀତଋତୁ ଆରମ୍ଭ ହୋଇଗଲେ ପୁଲିସ, ଅବକାରୀ, ବନ ଓ ରାଜସ୍ୱ ବିଭାଗ ପକ୍ଷରୁ ଚାଲେ ଗଞ୍ଜେଇ କଟା ଅଭିଯାନ। ବର୍ଷକୁ କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ କାଟି ପୋଡ଼ି ନଷ୍ଟ କରାଯାଉଥିବାବେଳେ ଏହି ବ୍ଲକଗୁଡ଼ିକର ବିଭିନ୍ନ ଅଞ୍ଚଳରୁ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ସଂଗ୍ରହ କରାଯାଇ ରାଜ୍ୟ ଓ ବାହାର ରାଜ୍ୟକୁ ଚାଲାଣ ହେଉଥିବାର ନଜିର ରହିଛି । ତଥାପି ଏତେ ପରିମାଣର ଗଞ୍ଜେଇ ଆସୁଛି କୁଆଡୁ ? ତାହା ଏବେ ବୃଦ୍ଧିଜୀବି ମହଳରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରା.ଉଦୟଗିରି ଏସଡିପିଓ ବିଲ୍ଲୀପ କୁମାର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵବଧାନରେ ଅଡବା ଥାନା
ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର , ଏସଆଇ ହୃଷିକେଶ ପଣ୍ଡା ଓ କର୍ମଚାରୀ ମାନେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମାଣ୍ଡିମେରା ଅଞ୍ଚଳରୁ ଗଞ୍ଜୋଇ ସଂଗ୍ରହ କରି ମାଫିଆ ମାନେ ୨ଟି ମିନି ପିକଅପ ଭ୍ୟାନ ଯୋଗେ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ । ପୁଲିସ୍ର ସନ୍ଦେହ ହେବାରୁ ୨ଟି ଭ୍ୟାନକୁ ବାଲିବନ୍ଧ ଗ୍ରାମ ନିକଟରେ ଅଟକାଇ ଯାଞ୍ଚ କରିଥିଲା । ଗାଡ଼ିର ଉପର ଭାଗରେ ବିଭିନ୍ନ ରକମର ପୁରୁଣା ଶାଢି, କନାପଟା ରହିଥିବାବେଳେ ତଳେ ଗଞ୍ଜେଇ ବସ୍ତା ଗୁଡିକ ରହିଥିଲା । ଗଞ୍ଜେଇ ବସ୍ତା ଗୁଡ଼ିକୁ ପୁଲିସ ଜବତ କରି ମାଜିଷ୍ଟେଟ୍ ଦାୟୀତ୍ଵରେ ରହିଥିବା ଅତିରିକ୍ତ ତହସିଲଦାର ଆଶିଷ୍ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଓଜନ କରିବାରୁ ୪୧୮ କିଲୋ ହୋଇଥିଲା I ଏଥିରେ ସଂପୃକ୍ତ ଥିବା ହରିଆନା ରାଜ୍ୟର ଗଞ୍ଜେଇ ମାଫିଆ ରାମ କୁମାର(୫୬), ରାଜକୁମାର(୨୮), ବକିଲ ସିଂ(୨୭) ଏବଂ ଶ୍ରୀଧର ସାହୁ, ଦୁର୍ଗାପ୍ରସାଦ, କେ. ନବୀନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ( ଗରୁଡ଼ ଧ୍ୱଜ ଚୌଧୁରୀ / ଗଜପତି )
No Result
View All Result