No Result
View All Result
ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବୀର ସୁରେନ୍ଦ୍ରସାଏ ଏବଂ ବିପ୍ଳବୀ ଚକରା ବିଷୋୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଦେଶ ପାଇଁ ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନ ଅବିସ୍ମରଣୀୟ ଯୁବପିଢି ସ୍ୱାଧୀନତା ସଂଗ୍ରାମୀଙ୍କ ସଂପର୍କରେ ଅଧିକରୁ ଅଧିକ ଅନୁଶୀଳନ କରିବା ଆବଶ୍ୟକ ।
ଓଡିଶା ତାଜା ନ୍ୟୁଜ୍ (୨୪ ଜାନୁଆରି, ରବିବାର )ଭୁବନେଶ୍ୱର :- ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବୀର ସୁରେନ୍ଦ୍ର ସାଏ ଏବଂ ବିପ୍ଲବୀ ଚକରା ବିଷୋୟୀ ନିଜ ନିଜର ସ୍ୱକୀୟ ବିପ୍ଲବୀ ଚିନ୍ତାଧାରାରେ ସ୍ୱାଧୀନତା ସଂଗ୍ରାମରେ ନେତୃତ୍ୱ ନେଇ ଯେପରି ଭାବେ ଦେଶ ଓ ଜାତିର ଟେକ ରଖି ଯାଇଛନ୍ତି, ତାହା ଓଡିଶା ତଥା ଜାତୀୟ ଇତିହାସ ପାଇଁ ସର୍ବଦା ଗର୍ବ ଓ ଗୌରବ ଆଣି ଦେଇଛି । ସେମାନଙ୍କ ସମ୍ପର୍କରେ ଯୁବ ପିଢିମାନେ ଅଧିକରୁ ଅଧିକ ଜାଣିବା ଓ ଅନୁଶୀଳନ କରିବାର ଆବଶ୍ୟକତା ରହିଛି ବୋଲି ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଆଜି ସଂଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଓଡିଶା ମାଟିର ଏହି ୩ ସୁଯୋଗ୍ୟ ସନ୍ତାନଙ୍କର ରାଜ୍ୟ ସ୍ତରୀୟ ଜୟନ୍ତୀରେ ଯୋଗଦେଇ ବକ୍ତାମାନେ ଏହା ପ୍ରକାଶ କରିଛନ୍ତି । ଉଭୟ ମଂଚ ଓ ଭର୍ଚୁଆଲ ବ୍ୟବସ୍ଥାରେ ଆୟୋଜିତ ଏହି ଉତ୍ସବରେ ଅତିଥିମାନେ ପ୍ରଥମେ ବରପୁତ୍ରମାନଙ୍କର ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରି ପ୍ରଦୀପ ପ୍ରଜ୍ଜଳନ କରିଥିଲେ ।
କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ,ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ କହିଲେ ଯେ, ଓଡିଶାର ଏହି ତିନି ମହାନ୍ ସଂଗ୍ରାମୀ ସ୍ୱାଧୀନତା ସଂଗ୍ରାମରେ ଯେଉଁ ଅତୁଳନୀୟ ଅବଦାନ ରଖି ଯାଇଛନ୍ତି, ତାହା ଭାରତର ଇତିହାସକୁ ଋଦ୍ଧିମନ୍ତ କରୁଛି । ଆଜିର ପିଢି ଓ ପରପିଢି ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ଆଦର୍ଶ ସଂପର୍କରେ ଅଧିକରୁ ଅଧିକ ଜାଣିବାର ଆବଶ୍ୟକତା ରହିଛି ବୋଲି ଡଃ. ସାହୁ କହିଥିଲେ । ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ରାଜ୍ୟ ଯୋଜନା ଓ ସଂଯୋଜନା ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀଶ୍ରୀ ପଦ୍ମନାଭ ବେହେରା ଯୋଗଦେଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷ , ବୀର ସୁରେନ୍ଦ୍ର ସାଏ ଓ ଚକରା ବିଷୋୟୀଙ୍କର ଦେଶପାଇଁ ସଂଗ୍ରାମ ଓ ବିପ୍ଲବର କାହାଣୀ ଉପରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ ।
ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ତ୍ୟାଗ ଓ ଆଦର୍ଶର କାହାଣୀ, ଅସୀମ ଧୈର୍ଯ୍ୟ ଓ ସାହସର ପ୍ରତୀକ ବୀର ସୁରେନ୍ଦ୍ରସାଏଙ୍କର କୌଶଳପୂର୍ଣ୍ଣ ରଣନୀତି, ତତ୍କାଳୀନ ଘୁମୁସର ଅଂଚଳର ମହାନ୍ ବିପ୍ଲବୀ ଗରିଲା ଯୁଦ୍ଧ ବିଦ୍ୟାରେ ନିପୁଣ ଥିବା ଚକରା ବିଷୋୟୀ ଓ ଦୋରା ବିଶୋୟୀଙ୍କର ସ୍ୱାଧୀନତା ଆନ୍ଦୋଳନରେ ଅବଦାନ ଅବସ୍ମରଣୀୟ ହୋଇରହିଛି ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଓଡିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ସଂପାଦକ ଡଃ. ଲେନିନ୍ ମହାନ୍ତି କହିଲେ ଯେ ଶାନ୍ତି, ଭକ୍ତି, ବିଶ୍ୱାସକୁ ପାଥେୟ କରୁଥିବା ଏହି ମହା ମନିଷୀମାନେ ଦେଶ ମାତୃକା ପାଇଁ ବିଦ୍ରୋହ ଓ ବଳିଦାନର ପନ୍ଥା ଆପଣେଇଥିଲେ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍ ତଥା ସ୍ତମ୍ଭକାର ଡଃ. ଅଭିରାମ ବିଶ୍ୱାଳ ଯୋଗଦେଇ ଏହି ସଂଗ୍ରାମୀମାନଙ୍କର ସଶସ୍ତ୍ର ସଂଗ୍ରାମର ରୋମାଂଚକର କାହାଣୀ ଉପରେ ବିଶଦ୍ ଭାବେ ଆଲୋକପାତ କରିଥିଲେ ।
ପ୍ରାରମ୍ଭରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି ଏହି ବରପୁତ୍ରମାନଙ୍କର ସାହସ, ସଂଗ୍ରାମ ଓ ଜାତିପ୍ରେମର ସଂପର୍କରେ ଆଲୋକପାତ କରିଥିଲେ । ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ପ୍ରମୋଦ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଅଧିକାରୀ ଶ୍ରୀମତୀ ଦିପ୍ତିମୟୀ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସକାଳେ ବିଭାଗୀୟ ନିର୍ଦ୍ଦେଶକ ( ବୈଷୟିକ) ଶ୍ରୀ ନିରଞ୍ଜନ ସେଠୀ , ବିଭାଗୀୟ ପଦାଧିକାରୀ ଓ ଅତିଥିମାନେ ଯୋଗଦେଇ ଭୁବନେଶ୍ୱର ରସୁଲଗଡ ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଭି.ଏସ୍.ଏସ୍ ନଗରଠାରେ ଥିବା ବୀର ସୁରେନ୍ଦ୍ର ସାଏଙ୍କର ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ ।
No Result
View All Result