No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଜାନୁଆରୀ ସୋମବାର ) ଢେଙ୍କାନାଳ :- ଜିଲ୍ଲାର ବିଶିଷ୍ଟ ଆଇନଜୀବୀ ତଥା କମ୍ୟୁନିଷ୍ଟ ନେତା ପଦ୍ମଚରଣ ଧଳଙ୍କ ସହରର ଅମଲାପଡା ସ୍ଥିତ ବାସଭବନରେ ଆଜି ସକାଳ ୭ଟା ୧୫ମି ସମୟରେ ପରଲୋକ ଘଟିଛି।ସେ ଢେଙ୍କାନାଳ ଆଇନ୍ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଥିଲେ।ସେ ଜଣେ ବିଶିଷ୍ଟ ଆଇନଜୀବୀ ଏବଂ କମ୍ୟୁନିଷ୍ଟ ନେତା ଭାବେ ବେଶ୍ ପରିଚିତ ଥିଲେ।ସେ ମଧ୍ୟ ଅକ୍ଷମ କଲ୍ୟାଣ ସମିତିର ସଭାପତି ଭାବେ ଦାୟିତ୍ଵ ନିର୍ବାହ କରିଥିଲେ ଏବଂ ପବ୍ଳିକ୍ ପ୍ରସିକ୍ୟୁଟର୍ ଭାବେ ମଧ୍ୟ କାର୍ଯ୍ୟଭାର ବହନ କରୁଥିଲେ। ତାଙ୍କର ବିୟୋଗରେ ମାନ୍ୟବର ସାଂସଦ ଶ୍ରୀ ମହେଶ ସାହୁ, ସଦର ବିଧାୟକ ସୁଧୀର କୁମାର ସାମଲ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ସ୍ବର୍ଗତ ଧଳଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ମିଶ୍ର ଜିଲ୍ଲା ପ୍ରଶାସନ ପକ୍ଷରୁ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ପୂର୍ବତନ ମନ୍ତ୍ରୀ, ବିଧାୟକ, ଜିଲ୍ଲାର ବିଶିଷ୍ଟ ବ୍ୟକ୍ତି ଏବଂ ବହୁ ଆଇନଜୀବୀ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ସ୍ବର୍ଗତ ଧଳ ଭାପୁର ଅନ୍ତର୍ଗତ ଗଞ୍ଜେଇଡିହି ଗ୍ରାମରେ ୧୯୨୬ ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଦୁଇ ପୁଅ ଓ ଜଣେ ଝିଅ ଅଛନ୍ତି। ତାଙ୍କର ମର ଶରୀରକୁ ଢେଙ୍କାନାଳ ସିଭିଲ କୋର୍ଟ ଏବଂ ଆଇନ ମହାବିଦ୍ୟାଳୟକୁ ଶେଷ ଦର୍ଶନ ନିମନ୍ତେ ଶୋଭାଯାତ୍ରାରେ ନିଆଯାଇଥିଲା। ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଜଣେ ସ୍ଫଷ୍ଟବାଦୀ,ନିର୍ଭିକ ନେତା, ବିଶିଷ୍ଟ ଆଇନଜୀବୀଙ୍କ ପରଲୋକରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ମର୍ମାହତ ହେବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି। (ରିପୋର୍ଟ୍, ଅମର ରଞ୍ଜନ ଦାସ)
No Result
View All Result