ସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ : ବାରଙ୍ଗ ବିଇଓ ଅଫିସରେ ବିଦ୍ୟାଳୟ ସୁରକ୍ଷା କମିଟି ଓ ଏଆଇଡିଏସଓ ର ବିକ୍ଷୋଭ

ଓଡ଼ିଶା ତାଜା ନ୍ୟୁଜ (୧୫ ଜାନୁଆରୀ ଶୁକ୍ରବାର ) କଟକ :- ରାଜ୍ୟ ସରକାର ଉପସ୍ଥାନ କମ ଆଳରେ ବାରଙ୍ଗ ବ୍ଲକର ୨୯ ଟି ବିଦ୍ୟାଳୟ ସମେତ କଟକ ଜିଲ୍ଲାର ୪୪୮ଟି ବିଦ୍ୟାଳୟ ଓ ସାରା ରାଜ୍ୟର ପ୍ରାୟ ୧୪,୩୭୯ଟି ବିଦ୍ୟାଳୟ ବନ୍ଦ କରିବା ପାଇଁ ନେଇଥିବା ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବା ସହ ବିଦ୍ୟାଳୟ ଗୁଡିକର ଉପଯୁକ୍ତ ସୁରକ୍ଷା ଦାବିରେ ଆଜି ବାରଙ୍ଗ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏଆଇଡିଏସଓ ତଥା ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ ଛାତ୍ର ଓ ଅଭିଭାବକ ମାନଙ୍କର ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ବିକ୍ଷୋଭ ସ୍ଥଳରୁ ଏଆଇଡିଏସଓ ତଥା ବିଦ୍ୟାଳୟ ସୁରକ୍ଷା କମିଟିମାନଙ୍କ ପକ୍ଷରୁ ୪ଟି ସ୍ମାରକ ପତ୍ର ବିଇଓଙ୍କୁ ପ୍ରଦାନ କରାଯାଇଥିଲା ।

ବିକ୍ଷୋଭ ସ୍ଥଳରେ ଏଆଇଡିଏସଓ ବାରଙ୍ଗ ଆଂଚଳିକ କମିଟିର ସମ୍ପାଦିକା ଭାଗ୍ୟଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଏଆଇଡିଏସଓ ରାଜ୍ୟ ଉପ-ସଭାପତି ସିଦ୍ଧାର୍ଥ ରଥ, ଜିଲ୍ଲା ସଭାପତି ଭାଗ୍ୟରବି ଦାସ, ଅଭିରାମ ବେହେରା, ଛାତ୍ର ନେତା ରାଜେଶ ରାଉତ, ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ କିଶୋର ବେହେରା, ପ୍ରଭାକର ବେହେରା, ବସନ୍ତ ବେହେରା, ଟିକା ସାମଲ, ଅଶୋକ ବେହେରା, ନଳିନୀ ପାଇଟାଲ, କିଶୋର ପାଇଟାଲ, ଝରଣା ଦାସ, ଡଲି ପ୍ରଧାନ, ପ୍ରଶାନ୍ତ ବେହେରା, ସସ୍ମିତା ପାଇଟାଲ, ସୁଜାତା ଓଝା, ଡଲି ପ୍ରଧାନ ପ୍ରମୂଖ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ବକ୍ତା ମାନେ କହିଥିଲେ ସରକାରୀ ଅବହେଳା ଯୋଗୁଁ ଆମ ରାଜ୍ୟ ତଥା ଆମ ବ୍ଲକରେ ସ୍କୁଲ ମାନଙ୍କରେ ଉପସ୍ଥାନ କମିଛି ।

ଦୀର୍ଘ ବର୍ଷ ଧରି ସ୍କୁଲ ମାନଙ୍କରେ ହଜାର ହଜାର ଶିକ୍ଷକ ପଦବୀ ଖାଲି ପଡିବା, ଅଳ୍ପ ସଂଖ୍ୟକ ହେଲେ ମଧ୍ୟ ଯେତିକି ବି ଶିକ୍ଷକ ଅଛନ୍ତି ସେମାନଙ୍କୁ ବର୍ଷସାରା ଶିକ୍ଷା ବର୍ହିଭୁତ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା, ଗୁଣାତ୍ମକ ଶିକ୍ଷାଭିତ୍ତିକ ପାଠ୍ୟ ଖସଡାର ଅଭାବ, ପାସ-ଫେଲ୍ ବ୍ୟବସ୍ଥା ଉଚ୍ଛେଦ, ଆବଶ୍ୟକ ଭିତ୍ତିଭୂମିର ଅଭାବ ଇତ୍ୟାଦି ଫଳରେ ସରକାରୀ ସ୍କୁଲ ଶିକ୍ଷା ଅତି ଦୃତ ବିପର୍ଯ୍ୟସ୍ତ ହେବାକୁ ଲାଗିଛି । କୋମଳମତି ଛାତ୍ରଛାତ୍ରୀ ମାନେ ନିରାପଦରେ ନିଜ ଗାଁ ସ୍କୁଲରେ ପଢିବା ଲକ୍ଷ୍ୟ ରେ ପ୍ରତିଷ୍ଠିତ ସ୍କୁଲରେ ଉପସ୍ଥାନ ହାର ବଢାଇବା ପାଇଁ ପ୍ରକୃତ ପଦକ୍ଷେପ ଗ୍ରହଣ ନକରି ତାକୁ ବନ୍ଦ କରିଦେବା “ମୁଣ୍ଡ ବିନ୍ଧିଲେ ମୁଣ୍ଡ କାଟିଦେବା” ନ୍ୟାୟ ସହ ସମାନ । ଗୋଟିଏ ଦିଗରେ ସରକାରୀ ସ୍କୁଲ ବନ୍ଦ କରିବା ଅନ୍ୟ ଦିଗରେ ଘରୋଇ ସ୍କୁଲକୁ ପ୍ରୋତ୍ସାହନ ଦେବା ବିଷୟଟି ଆମର ଶିକ୍ଷା ବ୍ୟବସ୍ଥାକୁ ସ୍ପଷ୍ଟଭାବେ ‘ଥିଲାବାଲାଙ୍କ ପାଇଁ’ ଓ ‘ନଥିଲା ବାଲାଙ୍କ ପାଇଁ’ ଏହିପରି ଦୁଇଭାଗରେ ବିଭକ୍ତ କରିଦେଇଛି ।

ସରକାରଙ୍କ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ଫଳରେ ଗରିବ ଘରର ପିଲାମାନଙ୍କ ପାଇଁ ପଢିବାର ଯେତିକି ବି ସୁଯୋଗ ଥିଲା, ତାହା ମଧ୍ୟ ସଂପୂର୍ଣ୍ଣଭାବେ ବନ୍ଦ ହୋଇଯିବ । ତେଣୁ ସରକାର ତୁରନ୍ତ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର କରିବା ସହ ବାରଙ୍ଗ ବ୍ଳକର ସମସ୍ତ ବିଦ୍ୟାଳୟଗୁଡିକର ସୁରକ୍ଷା ଉଦ୍ଦେଶ୍ୟରେ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ବକ୍ତା ମାନେ ଦୃଢ ଦାବି ଉପସ୍ଥାପନ କରିଥିଲେ । ଅନ୍ୟଥା ଆଗାମୀ ଦିନରେ ଏହା ଗଣ ଅନ୍ଦୋଳନର ରୁପ ପରିଗ୍ରହଣ କରିବ ବୋଲି ଚେତାବନୀ ଦେଇଥିଲେ । ନିଜ ଗାଁ ସ୍କୁଲ ତଥା ରାଜ୍ୟର ସାଧାରଣ ଘରର ପିଲା ପଢିବା ପାଇଁ ପ୍ରତିଷ୍ଠିତ ସରକାରୀ ସ୍କୁଲ ରକ୍ଷା ପାଇଁ ସମସ୍ତ ସ୍ତରର ଜନଗଣ ଆଗେଇ ଆସିବାକୁ ବକ୍ତା ମାନେ ଆହ୍ୱାନ ଦେଇଥିଲେ । (କଟରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)