No Result
View All Result
ଓଡିଶା ତାଜା ନ୍ୟୁଜ୍ (୧୪ ଜାନୁଆରୀ ଗୁରୁବାର ) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ପୌରାଂଚଳ ବଇଁଚବଣିଆ ପାବନଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ମାସନ୍ତ ସନ୍ଧ୍ୟାରେ ଶ୍ରୀ ଜୀଉମାନଙ୍କ ନବାଙ୍କବେଢା ବେଶ ଓ ନୀତି ସମ୍ପର୍ଣ୍ଣ ହୋଇଛି । ଶ୍ରୀଜଗନ୍ନାଥ ସଂସ୍କୃତିରେ ଧନୁ ସଂକ୍ରାନ୍ତି ଠାରୁ ମାସନ୍ତ ପର୍ଯ୍ୟନ୍ତ ଦେବୀ ମହାଲକ୍ଷ୍ମୀ ନିଜ ବାପ ଘରକୁ ଯାଇଥାନ୍ତି । ତେଣୁ ତାଙ୍କ ଅନୁପସ୍ଥିତିରେ ପିତୃଲୋକରୁ ଯଶୋଦା ମାତା ଆସି ଶ୍ରୀଜୀଉ ମାନଙ୍କୁ ସୂର୍ଯ୍ୟୋାଦୟ ପରେ ପରେ ବିଭିନ୍ନ ସୁସ୍ୱାଦ ପିଠାପଣା ପ୍ରସ୍ତୃତ କରି ଶ୍ରୀଜୀଉଙ୍କୁ ଭୋଜନ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ମାତା ମହାଲକ୍ଷ୍ମୀ ସନ୍ଧ୍ୟାରେ ବାପଘରୁ ଓଡ଼ିଆଣୀ ବୋହୁ ପରି ଫେରିବା ବେଳକୁ ବିଭିନ୍ନ ଭାରଥୋଇ ନେଇ ଫେରିଥାନ୍ତି । ସ୍ଥାନୀୟ ପାବନ ଶ୍ରୀକ୍ଷେତ୍ରାଧିପତି ଶ୍ରୀ ଜଗନ୍ନାଥଙ୍କ ଶ୍ୱଶୁର ଭାବେ ସ୍ୱୀକୃତି ପାଇଥିବା ନିତ୍ୟାନନ୍ଦ ସାହୁଙ୍କ ପ୍ରଦତ ମକର ଭାର ସହିତ ମାତା ଲକ୍ଷ୍ମୀ ଶ୍ରୀ ମନ୍ଦିରକୁ ପ୍ରତ୍ୟାବର୍ତନ କରିଛନ୍ତି । ଏଥିରେ ଚାଉଳ, ଡ଼ାଲି, ମନ୍ଦିର ମଣୋହି ଯୋଗ୍ୟ ପରିବାପତ୍ର, ମୁଆଁ, ପାଚିଲାଫଳ ଓ ନୂଆଁ ଲୁଗା ଆଦି ନାନା ସମ୍ଭାର ଥାଏ ।
ଶ୍ରୀ ଜଗନ୍ନାଥଙ୍କ ବିଜେ ପ୍ରତିମା ଶ୍ରୀ ମଦନମୋହନ, ମହାଲକ୍ଷ୍ମୀଙ୍କୁ ସ୍ୱାଗତ ଜଣାଇ ମକରଭାର ସହ ବିଭିନ୍ନ ବାଦ୍ୟ ବାଜଣା, ହରିବୋଲ, ହୁଳହୁଳି ଧ୍ୱନି ମଧ୍ୟରେ ଭକ୍ତ ମାନଙ୍କ ଗହଣରେ ମନ୍ଦିର ବେଢାକୁ ୯ ଥର ପରିକ୍ରମା କରିଥିଲେ । ଏହି ନବାଙ୍କ ବେଢା ପରିକ୍ରମା ପରେ ପରେ ଠାକୁରଙ୍କୁ ବନ୍ଦାପନା କରି ରତ୍ନ ସିଂହାସନକୁ ବିଜେ କରାଯାଇଥିଲା । ଗୁରୁବାର ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ମନ୍ଦିର ଭୋର ୪ଟା ବେଳେ ଉନ୍ମୋଚିତ ହୋଇଥିଲା । ଶ୍ରୀଜୀଉ ମାନଙ୍କ ମଙ୍ଗଳଆଳତି ଦର୍ଶନ ପାଇଁ ମାଘସ୍ନାନ ସାରିଥିବା ଭକ୍ତମାନଙ୍କ ଗହଳି ଲାଗିଥିଲା । ପରେ ଶ୍ରୀଜୀଉ ମାନେ ନୂତନ ବସ୍ତ୍ର ଭୂଷଣ ପରିଧାନ ପୂର୍ବକ ଅପୂର୍ବ ମକର ବେଶରେ ସୁସଜ୍ଜିତ ହୋଇଥିଲେ । ସକାଳ ୭ଟା ଠାରୁ ଅପରାହ୍ନ ୨ଟା ଯାଏଁ ଦୂରଦୁରାନ୍ତରୁ ଆସୁଥିବା ଅଗଣିତ ଭକ୍ତ ପ୍ରଭୂଙ୍କୁ ଦର୍ଶନ କରି ଭୋଗାର୍ପଣ କରିଥିଲେ । ପ୍ରଭୂଙ୍କ ଅନ୍ନ ପ୍ରସାଦ ସେବନ ପାଇଁ ଅପରାହ୍ନରେ ଓ ସନ୍ଧ୍ୟାରେ ୧୦୮ ଆଳତି ଦର୍ଶନ ପାଇଁ ମଧ୍ୟ ମନ୍ଦିରରେ ଭକ୍ତ ମାନଙ୍କ ଅସମ୍ଭବ ଭିଡ଼ ଲାଗି ରହିଥିଲା । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result