ନୟାଗଡ ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ ସ୍ଥିତି ପରଖିବା ପାଇଁ ; ବଜେନ୍ଦ୍ର ଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟରେ ପହଂଚି ଥିଲେ ଓ ପାଠ ପଢା ବ୍ୟବସ୍ଥା ଆଦି ବୁଲି ଦେଖିଥିଲେ l

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜାନୁଆରୀ ରବିବାର ) ରଣପୁର :- କରୋନା ମହାମାରୀ କାରଣରୁ ଦୀର୍ଘ ୯ ମାସ ପରେ ଗତ ଶୁକ୍ରବାର ୮ ତାରିଖରେ ବିଦ୍ୟାଳୟ ଖୋଲିଛି l ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏସ.ଓ.ପି ପାଳନ ସହିତ ବିଦ୍ୟାଳୟକୁ ସଫା ସୁତୁରା ରଖିବାକୁ କଡା ନିର୍ଦ୍ଦେଶ ରହିଛି l ଏହା ସହିତ ବିଦ୍ୟାଳୟଗୁଡିକରେ ସାନିଟାଇଜ, ସ୍କ୍ରିନିଂ ଟେଷ୍ଟ, ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା କରିବା, ବିଦ୍ୟାଳୟ ପରିବେଶ ସଫା ସୁତୁରା ରଖିବା ପାଇଁ ସରକାରଙ୍କ ତରଫରୁ କଡା ନିର୍ଦ୍ଦେଶ ରହିଛି l ଏହା ସହିତ ରବିବାର ମଧ୍ୟ ବିଦ୍ୟାଳୟ ଖୋଲା ରହି ପାଠ ପଢ଼ାଇବା ପାଇଁ ନିର୍ଦ୍ଦେଶ ରହିଛି l

ଏହି ନିୟମ ଠିକ ଭାବେ ପାଳନ କରାଯାଉଛି କି ନାହିଁ ତାହା ପରଖିବା ପାଇଁ ବିଭିନ୍ନ ଅଧିକାରୀ ତଥା ଉଚ୍ଚ ପଦସ୍ଥ ଅଧିକାରୀମାନେ ବିଦ୍ୟାଳୟ ବୁଲି ଦେଖୁଛନ୍ତି l ବିଦ୍ୟାଳୟ ଗୁଡିକର ସ୍ଥିତି ପରଖିବା ପାଇଁ ପୂର୍ବାହ୍ନରେ ଜିଲ୍ଲା ମଙ୍ଗଳ ଅଧିକାରୀ ସିମାଚଳ ବେହେରା ଆସି ରଣପୁର ବ୍ଲକର ବଜେନ୍ଦ୍ର ଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟରେ ପହଂଚି ଥିଲେ l ଅପରାହ୍ନରେ ନୟାଗଡ ଜିଲ୍ଲାପାଳ ଡ଼ ପୋମା ଟୁଡୁ ମଧ୍ୟ ସ୍ଥିତି ପରଖିବା ପାଇଁ ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ପହଂଚି ଥିଲେ l ଜିଲ୍ଲାପାଳ ମହୋଦୟା ବିଦ୍ୟାଳୟର ପରିଷ୍କାର ପରିଚ୍ଛନତା, ସାନିଟାଇଜ ବ୍ୟବସ୍ଥା, ପାଠ ପଢା ବ୍ୟବସ୍ଥା ଆଦି ବୁଲି ଦେଖିଥିଲେ l ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାପାଳ ମହୋଦୟା ପାଠ ପଢା ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ କଥା ପଚାରି ଥିଲେ l

 

ଏହା ସହିତ ବିଦ୍ୟାଳୟର “ମୋ ସ୍କୁଲ” କାର୍ଯ୍ୟକ୍ରମକୁ ମଧ୍ୟ ବୁଲି ଦେଖିଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତଥା ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା ଓ ବରିଷ୍ଠ ଶିକ୍ଷକ ବସନ୍ତ କୁମାର ସାହୁ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଜିଲ୍ଲାପାଳ ମହୋଦୟାଙ୍କୁ ବିଦ୍ୟାଳୟର ପରିବେଶ, ବିଭିନ୍ନ କାର୍ଯ୍ୟକ୍ରମ ବୁଲାଇ ଦେଖାଇ ଥିଲେ l ସର୍ବଦା ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦେବା ପାଇଁ ଜିଲ୍ଲାପାଳ ମହୋଦୟା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ l ରବିବାରରେ ବିଦ୍ୟାଳୟ ସୁଚାରୁରୂପେ ଚାଲିଥିବା ଜିଲ୍ଲାପାଳ ମହୋଦୟା ମତ ଦେଇଥିଲେ l