ନୂତନ ଜିଲ୍ଲାପାଳ – ଶ୍ରୀଯୁକ୍ତ ଅମ୍ରିତ ଋତୁରାଜ, କେନ୍ଦ୍ରାପଡ଼ା

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜାନୁଆରୀ ଶନିବାର ) କେନ୍ଦ୍ରାପଡ଼ା  :- କେନ୍ଦ୍ରାପଡ଼ା  ନୂତନ ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ରିତ ଋତୁରାଜ କେନ୍ଦ୍ରାପଡ଼ା ର ସିଦ୍ଧ ବଳଦେବ ଜୀଉ ଙ୍କ ଦର୍ଶନ ସାରିବା ପରେ ଜିଲ୍ଲାପାଳ ସିଧା ନିଜ ଅଫିସରେ ଯୋଗଦାନ କରିଛନ୍ତି ଏହି ପରିପ୍ରେକ୍ଷୀରେ ଜିଲ୍ଲା ଅଫିସର ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ଉପସ୍ଥିତ ରହିଥିଲେ, ୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକ କଟକ ଜିଲ୍ଲାକୁ ୪ ଭାଗରେ ବିଭକ୍ତ କରିଦେଇଥିଲେ । ଯାହାଫଳରେ ଜନ୍ମ ନେଇଥିଲା କେନ୍ଦ୍ରାପଡ଼ା ଜିଲ୍ଲା । ଏହାରି ଭିତରେ ପ୍ରାୟ ତିନି ଦଶନ୍ଧି ବିତିଯାଇଥିଲେ ବି କେନ୍ଦ୍ରାପଡ଼ାର ବିକାଶ ହୋଇପାରିନି । ରେଳ ଆଉ କଳନଥିବା ଜିଲ୍ଲା କହିଲେ କେନ୍ଦ୍ରାପଡ଼ା ଜିଲ୍ଲାର ନା ଆଗକୁ ଆସେ  ।

ଗତ ୨୦୨୦ ମସିହାରେ କେନ୍ଦ୍ରାପଡ଼ା ଦେଇ ରେଳ ଯିବା ଆସିବା ଆରମ୍ଭ କରିଥିଲେ ବି କେନ୍ଦ୍ରାପଡ଼ାବାସୀ ଏହାଦ୍ୱାରା ଉପକୃତ ହୋଇପାରିନାହାନ୍ତି । ତେଣୁ ଜିଲ୍ଲାରେ ରେଳସେବା ଯୋଗାଇବା ନୂଆ ଜିଲ୍ଲାପାଳଙ୍କ ପାଇଁ ପ୍ରମୁଖ କାମ ହୋଇପାରେ । ସେହିପରି ଜିଲ୍ଲାରେ କୃଷି ହିଁ ଏକମାତ୍ର ଜୀବିକା ହୋଇଥିଲେ ମଧ୍ୟ କୃଷିର ବିକାଶ ହୋଇପାରିନି । ଜିଲ୍ଲାରେ ଜଳସେଚନ ବ୍ୟବସ୍ଥା ଇଞ୍ଚେ ବି ଆଗକୁ ବଢିନି ବରଂ ଜଳସେଚନ କମି କମି ଆସୁଛି । ଜିଲ୍ଲାରେ ଆଗରୁ ଶହ ଶହ ଉଠା ଜଳସେଚନ ପଏଣ୍ଟ ରହିଥିଲା ଏବେ କିନ୍ତୁ ଏହା ୨ ଅଙ୍କକୁ ଖସି ଆସିଛି ।

ଜିଲ୍ଲାରେ ଦୁଇଟି ଉଠାଜଳସେଚନ ସବଡିଭିଜନ ଥିବାବେଳେ ଆଳି ସବଡିଭିଜନ ବନ୍ଦ ହୋଇଯାଇଛି । କେନ୍ଦ୍ରାପଡା ସବଡିଭିଜନ ମଧ୍ୟ ଅଳ୍ପ ଚାଲିଲେ ବହୁ ସମୟ ବନ୍ଦ ହେଇ ପଡୁଛି । ଯାହା ଜିଲ୍ଲାର ଚାଷୀମାନଙ୍କ ପାଇଁ ପ୍ରମୁଖ ସମସ୍ୟା ହୋଇ ଛିଡ଼ା ହୋଇଛି । ଏଥିସହ ବିଜୁବାବୁଙ୍କ ସମୟରେ ଆରମ୍ଭ ହୋଇଥିବାମହାନଦୀ ଚିତ୍ରୋତ୍ପଳା ଆଇଲ୍ୟାଣ୍ଡ ଇରିଗେସନ ଡିଭିଜନ୍ ମଧ୍ୟ ଏବେ ବନ୍ଦ ହୋଇପଡ଼ିଛି । ଜିଲ୍ଲାରେ ଚାଷୀମାନଙ୍କର ପନିପରିବା ସାଇତି ରଖିବାକୁ ଶୀତଳ ଭଣ୍ଡାର ଟିଏ ନଥିବାରୁ ଜିଲ୍ଲାରେ ଶୀତଭଣ୍ଡାର ସ୍ଥାପନ ନୂଆ ଜିଲ୍ଲାପାଳଙ୍କର ପ୍ରମୁଖ କର୍ତ୍ତବ୍ୟ ହେବା ବୋଲି ସାଧାରଣରେ ଦାବି ହେଉଛି ।

ଅନ୍ୟପଟେ ଶିଳ୍ପ କହିଲେ କେନ୍ଦ୍ରାପଡ଼ାବାସୀ ତିନିମୁହାଣୀ ନିକଟରେ ତିଆରି ହୋଇଥିବା ବଳଦେବଜୀୟୁ ପାଓ୍ୱାରଲୁମକୁ ବୁଝୁଥିଲେ । ଏଠାରୁ ଜିଲ୍ଲାର କୁଶଳୀ ବୁଣାକାରଙ୍କର ହାତ ତିଆରି ଶାଢ଼ି ବାଉଁଶ ନଳିରେ ପ୍ୟାକିଂ ହୋଇ ଜାଭା, ବୋର୍ଣ୍ଣିଓ ଓ ସୁମାତ୍ରା ଦ୍ୱୀପକୁ ବ୍ୟବସାୟ ପାଇଁ ଯାଉଥିଲା । ସେହି ବଂଶର ଶତାଧିକ ବଂଶଜ ବଳଦେବଜୀୟୁ ପାୱାରଲୁମ କଳତନ୍ତରେ କାମକରି ଜୀବିକା ନିର୍ବାହ କରୁଥିଲେ । ୨୦୦୧ ମସିହାରେ ସରକାର ଏହି କଳତନ୍ତ ବିକ୍ରି କରିଦେଇଛନ୍ତି । ସେବେଠୁ ଅନେକ ଶ୍ରମିକ ବୃତ୍ତିହରା ହୋଇ ବିଭିନ୍ନ ଅସୁବିଧାରେ ସମୟ କାଟୁଛନ୍ତି ।

ସେମାନଙ୍କୁ ନିଯୁକ୍ତି ଦେବାକୁ ମଧ୍ୟ ସାଧାରଣରେ ଦାବି କରାଯାଉଛି।ସେହିପରି ଜିଲ୍ଲାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ଅବସ୍ଥା କଥା ନକହିଲେ ଭଲ । ଉଚ୍ଚଶିକ୍ଷା ପାଇଁ ଜିଲ୍ଲାରେ କିଛି ବ୍ୟବସ୍ଥା ନଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫୦ ପ୍ରତିଶତ ଡାକ୍ତର ପଦବୀ ଖାଲିପଡ଼ିଛି । ଗ୍ରାମାଞ୍ଚଳର ଅନେକ ଡାକ୍ତରଖାନାରେ ମଧ୍ୟ ଫାର୍ମାସିଷ୍ଟ ଓ ହୋମିଓପ୍ୟାଥି ଡାକ୍ତରଙ୍କ ହାତରେ ଏହି ଜିଲ୍ଲାବାସୀଙ୍କର ଜୀବନ ବନ୍ଧାପଡ଼ିଛି । କେତେବେଳେ ଚିକିତ୍ସା ଅଭାବରୁ କାହାର ଜୀବନ ଯାଉଛି ତ କେଉଁଠି ଗର୍ଭବତୀ ମା’ ତା’ର ଗର୍ଭସ୍ଥ ଶିଶୁଟିକୁ ଜନ୍ମ ଦେଇନପାରି ଜୀବନ ହାରୁଛି । ତେଣୁ ଜିଲ୍ଲାରେ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ପାଇଁ ଚାଲେଞ୍ଜପୂର୍ଣ୍ଣ ହେବ । (କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ )