ଅବ୍ୟବହୃତ ୨ଟି ୧୦୮ ଆମ୍ବୁଲାନ୍ସ ଆରଏମସି ପରିସରରେ ପଡ଼ି ଖତ ଖାଉଛି 

ଓଡ଼ିଶା ତାଜା ନ୍ୟୁଜ (୮ ଜାନୁଆରୀ ଶୁକ୍ରବାର ) ହିଞ୍ଜିଳିକାଟୁ  :-  ଦୂର୍ଘଟଣାରେ ଆହତ ବ୍ୟକ୍ତି ଓ ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କୁ ତୁରନ୍ତ ଏବଂ ମାଗଣାରେ ଡ଼ାକ୍ତରଖାନାରେ ଭର୍ତି କରିବା ପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଗତ ମାର୍ଚ୍ଚ ୨୦୧୩ରେ ଓଡ଼ିଶା ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବାର ପ୍ରଚଳନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକକୁ ଗତ ମେ ୨୦୧୩ରେ ୨ଟି ୧୦୮ ଆମ୍ବୁଲାନ୍ସ (ଓଡ଼ି୦୨ଜେ ୩୩୧୭ ଓ ଓଡ଼ି୦୨ଜେ ୪୪୩୭) ଯୋଗାଇ ଦିଆଯାଇଥିଲା । ଭୂବନେଶ୍ୱର ଜିକିତ୍ସା ହେଲଥ୍ କେର୍‌ ଏହାର ଦାୟିତ୍ୱ ବହନ କରିଥିଲେ । ଦୀର୍ଘ ୬ବର୍ଷ ଆମ୍ବୁଲାନ୍ସ ୨ଟି କାର୍ଯ୍ୟକ୍ଷମ ହେବା ପରେ ଆମ୍ବୁଲାନ୍ସ ୨ଟି ନଷ୍ଟ ହୋଇ ପଡ଼ିଥିଲଶ । ପରେ ୨୦୨୦ ମସିହା ଆରମ୍ଭ ସମୟରେ ସଂପୃକ୍ତ ଆମ୍ବୁଲାନ୍ସକୁ ହିଞ୍ଜିଳିକାଟୁ ପୌରାଂଚଳ ନିୟନ୍ତ୍ରିତ ବଜାର ପରିସରରେ ରଖାଯାଇ ୨ଟି ନୂତନ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା ।

ଦୀର୍ଘ ୧ବର୍ଷ ଧରି ସଂପୃକ୍ତ ଆମ୍ବୁଲାନ୍ସ ୨ଟି ସ୍ଥାନୀୟ ପୌରାଂଚଳ ଆରଏମସି ପରିସରରେ ପଡ଼ି ରହି ସମ୍ପୁର୍ଣ୍ଣ ନଷ୍ଟ ହେବାକୁ ବସିଲାଣି । ହିଞ୍ଜିଳିକାଟୁ ଓ ଏହାର ନିକଟବର୍ତି ଅଂଚଳରେ ଘଟୁଥିବା ଦୂର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ ଓ ଗୁରୁତର ରୋଗରେ ପୀଡ଼ିତ ରୋଗୀଙ୍କୁ ବିନା ମୂଲ୍ୟରେ ଜରୁରୀ କାଳୀନ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଅତ୍ୟାଧୁନିକ ସେବା ପ୍ରଦାନକାରୀ ୨ଟି ୧୦୮ ଆମ୍ବୁଲାନ୍ସକୁ ହିଞ୍ଜିଳିକାଟୁ ସହରକୁ ଯୋଗାଇ ଦିଆଯାଇଥିଲା । ୨୦୨୦ ମସିହା ଆରମ୍ଭ ବେଳକୁ କୌଣସି କାରଣ ବଶତଃ ସ୍ଥାନୀୟ ସହରକୁ ଯୋଗାଇ ଦିଆଯାଇଥିବା ଆମ୍ବୁଲାନ୍ସ ଦ୍ୱୟ ଯାନ୍ତ୍ରିକ ତୃଟି କାରଣରୁ ବନ୍ଦ କରି ସେହି ସ୍ଥାନରେ ୨ଟଠି ନୂତନ ୧୦୮ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା । ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଉପରେ ସ୍ଥାନୀୟ ପୌରାଂଚଳ ଓ ବ୍ଳକ ସମେତ ନିକଟବର୍ତି ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଗ୍ରାମର ଜନସାଧାରଣ ଚିକିତ୍ସା ସେବା ପାଇଁ ନିର୍ଭର କରିଥାନ୍ତି । ଉକ୍ତ ଉପଖଣ୍ଡ ଚିକିତ୍ସାଳୟକୁ ଦୈନିକ ୪ଶହରୁ ଉର୍ଦ୍ଧ୍ୱ ରୋଗୀ ଚିକିତ୍ସା ସକାଶେ ଆସିଥାନ୍ତି ।

ବହୁ ସମୟରେ ଗୁରୁତର ରୋଗୀ ମାନଙ୍କୁ ଅଧିକ ଚିକିିତ୍ସା ସକାଶେ ବ୍ରହ୍ମପୁର ଓ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଥିବାର ନଜିର ରହିଛି । ଏପରିକି ବହୁ ସମୟରେ ବହୁ ଗରୀବ ରୋଗୀ ଅଧିକ ଚିକିତ୍ସା ସେବା ସକାଶେ ବ୍ରହ୍ମପୁର ଓ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ ହେଉଥିବା ବେଳେ ମାଗଣା ଆମ୍ବୁଲାନ୍ସ ପାଇନପାରି ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି । ଏପରି ସ୍ଥଳେ ସ୍ଥାନୀୟ ସହର ଆରଏମସି ପରିସରରେ ପଡ଼ି ରହିଥିବା ୨ଟି ଆମ୍ବୁଲାନ୍ସକୁ କାର୍ଯ୍ୟକ୍ଷମ କରାଗଲେ ବହୁ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ଏ ନେଇ ୧୦୮ ଆମ୍ବୁଲାନ୍ସ ଦାୟିତ୍ୱ ବହନ କରୁଥିବା ଜିକିତ୍ସା ହେଲଥକ କେର୍‌ ପରିଚାଳନା ନିର୍ଦ୍ଦେଶକ ଦୀପକ ଶ୍ରୀବାସ୍ତବଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥଲେ ମଧ୍ୟ ସମ୍ଭବପର ହୋଇ ପାରିନାହିଁ । ( ରିପୋର୍ଟ ଶୁସାନ୍ତ ପ୍ରଧାନ ହିଞ୍ଜିଳିକାଟୁ )