No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୬ ଜାନୁଆରୀ ବୁଧବାର ) ହିଞ୍ଜିଳିକାଟୁ :- ବୁଧବାର ସକାଳେ ହିଞ୍ଜିଳି ଥାନା କେ. ଖରିଡ଼ା ଗ୍ରାମର ଏକ ମାଟିପୋଡ଼ା ଇଟା ଭାଟି ରେ କାମ କରୁଥିବା ଜଣେ ମହିଳା ଶ୍ରମିକଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି । ମୃତକ ଜଣକ ଶେରଗଡ଼ ଥାନା ପଥରପୁଞ୍ଜି ଗ୍ରାମର କୃପା ନାୟକଙ୍କ ସ୍ତ୍ରୀ ସୁଚିତ୍ରା ନାୟକ (୩୦) । ପ୍ରକାଶ ଯେ, ମହିଳା ଜଣକ ଦୀର୍ଘ ଦିନ ଧରି ସଂପୃକ୍ତ ମାଟିପୋଡ଼ା ଇଟାଭାଟିରେ ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲେ । ଗତ ଦେଢ ମାସ ପୂର୍ବରୁ ଏକ ପୁତ୍ର ସନ୍ତାନ ଜନ୍ମ ଲାଭ କରିଥିଲେ । ମଙ୍ଗଳବାର ରାତିରେ ସଂପୃକ୍ତ ମାଟିପୋଡ଼ା ଇଟାଭାଟିରେ କାମ କରୁଥିବା ବେଳେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ପରେ କିଛି ସମୟ ବିଶ୍ରାମ କରିବା ପରେ ବୁଧବାର ସକାଳେ ପ୍ରଚୁର ରକ୍ତସ୍ରାବ ହେବା ସହ ପେଟ ଫୁଲି ଯାଇଥିଲା ।
କାର୍ଯ୍ୟରତ କିଛି ଶ୍ରମିକ ଅସୁସ୍ଥ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର, ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଡ଼ାକ୍ତରଖାନାରେ ପଂହଚି ଶବକୁ ଜବତ କରିବା ସହ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ । ଏ ନେଇ ହିଞ୍ଜିଳି ଥାନାରେ ନଂ-୧/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ଦେଢ ମାସ ପୂର୍ବରୁ ମହିଳା ଜଣକ ଶିଶୁ ଜନ୍ମ କରିଥିବା ଜାଣିମଧ୍ୟ ସଂପୃକ୍ତ ମାଟିପୋଡ଼ା ଇଟାଭାଟି ମାଲିକ କିପରି ମହିଳାଙ୍କୁ ଏଭଳି ବିପଦପୁର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରିଥିଲେ ତାହା ପ୍ରଶ୍ନବାଚି ସୃଷ୍ଟି କରିଛି । ମୃତ୍ୟୁର ସଠିକ କାରଣ ଜଣାପଡ଼ିନଥିବା ବେଳେ ବ୍ୟବଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ସଠିକ ରହସ୍ୟ ଜଣାପଡ଼ିବ ବୋଲି ପୁଲିସ କହିଛି ।( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result