No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୬ ଜାନୁଆରୀ ବୁଧବାର ) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ପୌରାଂଚଳ ପରିବା ବଜାରର ଉଭୟ ପ୍ୱାଶ୍ୱର୍ ରାସ୍ତାରେ ବସି ସ୍ଥାନୀୟ ଅଂଚଳର କ୍ଷୁଦ୍ର ପରିବା ବ୍ୟବସାୟୀ ମାନେ ବେପାର ବଣିଜ କରି ଆସୁଥିଲେ । ସଂପୃକ୍ତ ରାସ୍ତାଟି ୩୬ନଂ ରାଜ୍ୟ ରାଜପଥ ହିଞ୍ଜିଳିକାଟୁ ବିଜୁ ପଟ୍ଟନାୟକ ଛକ ଠାରୁ ତରାତାରିଣୀ ଛକ ପର୍ଯ୍ୟନ୍ତ ଲମ୍ବି ରହିଛି । ଉକ୍ତ ରାସ୍ତା ଦେଇ ସରକାରୀ ବୃନ୍ଦାବନ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟକୁ ଶିକ୍ଷାର୍ଥୀ ମାନେ ଯାତାୟତ କରିବା ସହ ସ୍ଥାନୀୟ ଡ଼ାକଘର ଓ ହିଞ୍ଜିଳି ଗ୍ରାମ ସମେତ ତରାତାରିଣୀ ମନ୍ଦିର ଓ ନିକଟସ୍ଥ ଖରିଡ଼ା, ଆଲପୁର, ସିକିରି, ରାଳବ, ଶାସନଆମ୍ବଗାଁ, ବାଦିଆମ୍ବଗାଁ, ନନ୍ଦିକ, ପୁଟିଆପଦର, ଦିଗାପଡ଼ା, ବୁରୁତୁଳୁ, ପୁରୁଷୋତମପୁର, ଅନ୍ତରିଗାଁ ସମେତ ବିଭିନ୍ନ ଗ୍ରାମକୁ ସଂପୃକ୍ତ ରାସ୍ତା ସଂଯୋଗ ହୋଇଅଛି । ଉକ୍ତ ରାସ୍ତା ଦେଇ ପ୍ରତ୍ୟହ ବହୁ ଛୋଟବଡ଼ ଯାତ୍ରୀ ପରିବହନ ଓ ମାଲ ପରିବହନକାରୀ ଯାନବାହନ ଯାତାୟତ କରିଥାନ୍ତି । ପରିବା ବଜାର ପ୍ୱାଶ୍ୱର୍ରେ କ୍ଷୁଦ୍ର ପରିବା ଚାଷୀ ମାନେ ନିଜ ନିଜର ବ୍ୟବସାୟ କରିବା ଦ୍ୱାରା ସଂପୃକ୍ତ ରାଜ୍ୟ ରାଜପଥ ସଂକୀର୍ଣ୍ଣ ହୋଇପଡ଼ିବା ସହ ବହୁ ସମୟରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଅଛି । ଘଟଣା ନେଇ ବିଭିନ୍ନ ଗଣମାଧ୍ୟମରେ କବର ପ୍ରକାଶିତ ହେବା ପରେ ପୌର ପ୍ରଶାସନ ପକ୍ଷରୁ ସଂପୃକ୍ତ ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଇ ପରିବା ବଜାର ପଛପଟ ଲକ୍ଷ୍ମୀ ପଡ଼ିଆ ମଧ୍ୟରେ ବ୍ୟବସାୟ କରିବା ସକାଶେ ଅନୁରୋଧ
କରାଯାଇଥିଲା । କିଛି କ୍ଷୁଦ୍ର ବ୍ୟବସାୟୀ ଲକ୍ଷ୍ମୀ ପଡ଼ିଆ ମଧ୍ୟରେ ବ୍ୟବସାୟ ଆରମ୍ଭ କରିଥିଲେ ମଧ୍ୟ ସମସ୍ତ କ୍ଷୁଦ୍ର ଚାଷୀ ସଂପୃକ୍ତ ସ୍ଥାନରେ ବ୍ୟବସାୟ ନକରିବାରୁ ଲକ୍ଷ୍ମୀ ପଡ଼ିଆ ମଧ୍ୟରେ ବ୍ୟବସାୟ କରୁଥିବା କ୍ଷୁଦ୍ର ଚାଷୀଙ୍କ ଆଶାଜନକ ବ୍ୟବସାୟ ନହେବାରୁ ପୂର୍ବ ସ୍ଥାନରେ ବ୍ୟବସାୟ କରିବା ନେଇ ଗତ ଡ଼ିସେମ୍ବର ୧୮ ତାରିଖରେ ସ୍ଥାନୀୟ ଅଂଚଳର କ୍ଷୁଦ୍ର ପରିବା ବ୍ୟବସାୟୀ ମାନେ ୫ଦଫା ଦାବିରେ ଏକ ଶୋଭାଯାତ୍ରା କରିବା ସହ ପୌର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଥିଲେ । ପରବର୍ତି ସମୟରେ ସଂପୃକ୍ତ କ୍ଷୁଦ୍ର ଚାଷୀ ମାନେ ପରିବା ବଜାର ରାସ୍ତା ପ୍ୱାଶ୍ୱର୍ରେ ପୁର୍ନବାର ନିଜ ନିଜର ବ୍ୟବସାୟ ଆରମ୍ଭ କରିଥିଲେ । ଯଦ୍ୱାରା ରାସ୍ତା ସଂକୀର୍ଣ୍ଣ ହୋଇ ପଡ଼ିବା ସହ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଲା । ବୁଧବାର ପୂର୍ବାହ୍ନରେ ପୌର ଓ ପୁଲିସ ପ୍ରଶାସନର ମିଳିତ ସହଯୋଗରେ ସ୍ଥାନୀୟ ଅଂଚଳର କ୍ଷୁଦ୍ର ପରିବା ବ୍ୟବସାୟୀଙ୍କୁ ସଂପୃକ୍ତ ସ୍ଥାନରୁ ଉଚ୍ଛେଦ କରାଯାଇ ପରିବା ବଜାର ପଛପଟ ଲକ୍ଷ୍ମୀ ପଡ଼ିଆକୁ ସ୍ଥାନାନ୍ତରିତ କରାଯାଇଥିଲା । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସମେତ ପୌର ଓ ପୁଲିସ କର୍ମଚାରୀ ବୃନ୍ଦ ଉଚ୍ଛେଦ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result