No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୬ ଜାନୁଆରୀ ବୁଧବାର ) ପୁରୀ :- ବାଇଶି ପାହାଚ ବଉଳମାଳା ମାଙ୍କଡ଼ା ପଥରରେ ତିଆରି ବାଇଶି ପାହାଚର ନିର୍ମାଣ ସମ୍ପର୍କରେ ଏକ କିମ୍ବଦନ୍ତି ପ୍ରଚଳିତ । କିମ୍ବଦନ୍ତୀ ମତେ ନିଃସନ୍ତାନ ରାଜା ଭାନୁଦେବ ଜମ୍ବେଶ୍ଵରଙ୍କୁ ଆରାଧନା କରି ପୁତ୍ର ସନ୍ତାନଟିଏ ଲାଭକଲେ । ଜାତକରୁ ରାଜା ଜାଣିଲେ ତାଙ୍କ ପୁତ୍ରର ଆୟୁଷ କେବଳ ୨୨ବର୍ଷ । ଏହା ଜାଣିପାରି ରାଜା ଭାନୁଦେବ ପୁନଶ୍ଚ ଜମ୍ବେଶ୍ଵରଙ୍କୁ ଆରାଧନା କଲେ। ଜମ୍ବେଶ୍ଵର ରାଜାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଶ୍ରୀମନ୍ଦିର ଭିତରେ ବାଇଶି ପାହାଚ ନିର୍ମାଣ କରିବାକୁ ଆଜ୍ଞା ଦେଲେ । ରାଜା ବାଇଶି ପାହାଚ ନିର୍ମାଣ କରି ତାଙ୍କ ସନ୍ତାନର ଆୟୁ ବୃଦ୍ଧି ପାଇଁ ସେହି ବାଇଶି ପାହାଚରେ ଗଡ଼ାଇ ଦେଇଥିଲେ । ଶ୍ରଦ୍ଧାଳୁମାନେ ସେଥିପାଇଁ ନିଜ ନିଜ ପିଲାମାନଙ୍କର ଆୟୁଷ ବୃଦ୍ଧି ନିମନ୍ତେ ବାଇଶି ପାହାଚରେ ଗଡ଼ାଇ ଦେଇଥାନ୍ତି ।
ବାଇଶି ପାହାଚରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ । ଭକ୍ତମାନେ ବର୍ଷତମାମ ବାଇଶି ପାହାଚ ବାଟଦେଇ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ଆଷାଢ଼ ଶୁକ୍ଳ ଦ୍ଵିତୀୟା ଦିନ ଶ୍ରୀଜୀଉମାନେ ଶ୍ରୀମନ୍ଦିରର ରତ୍ନସିଂହାସନ ଛାଡ଼ି ବାଇଶି ପାହାଚ ବାଟ ଦେଇ ବଡ଼ଦାଣ୍ଡରେ ଥିବା ରଥକୁ ଆସିଥାନ୍ତି । ବିଭିନ୍ନ ତତ୍ତ୍ଵ ଓ ମତ ସମ୍ପାଦନ କରନ୍ତୁ ଜଗନ୍ନାଥଙ୍କ ଦର୍ଶନ କରିବାକୁ ହେଲେ ବାଇଶି ପାହାଚ ଅତିକ୍ରମ କରି ଯିବାକୁ ପଡ଼ିଥାଏ । ତେଣୁ ଏହି ବାଇଶି ପାହାଚ ହେଉଛି ତତ୍ତ୍ଵମୟ ଓ ପବିତ୍ରମୟ । ବିଶ୍ଵାସ ଅଛି ଯେ, ପ୍ରତ୍ୟେକ ମଣିଷ ୨୨ ପ୍ରକାର ପାପରୁ ମୋକ୍ଷ ନିମନ୍ତେ ୨୨ ପାହାଚ ଅତିକ୍ରମ କରିବା ଆବଶ୍ୟକ । ୨୨ ପାହାଚ ଯୋଗ ବିଦ୍ୟା ବର୍ଣ୍ଣିତ ୨୨ଟି ସ୍ତରର ପ୍ରତୀକ । ବାଇଶି ପାହାଚରେ ଦ୍ଵିତୀୟ ସୋପାନରେ ରହିଛି ଯମଶିଳା । ଶ୍ରଦ୍ଧାଳୁମାନେ ଏହି ଶିଳାକୁ ସ୍ପର୍ଶ କରି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଅକାଳ ମୃତ୍ୟୁ ହୁଏ ନାହିଁ ଓ ସମସ୍ତ ପାପ ନାଶ ହୋଇ ଜୀବ ବୈକୁଣ୍ଠଗାମୀ ହୁଏ ବୋଲି ବିଶ୍ଵାସ ରହିଛି ।
ବାଇଶି ପାହାଚର ତାତ୍ତ୍ଵିକ ମାହାତ୍ମ୍ୟ ଉପରେ ଅନେକ ବିଶ୍ଵାସ ପ୍ରଚଳିତ, ଯଥା; କେତେକଙ୍କ ମତରେ ଦଶ ଅବତାର ଗୁଡ଼ିକର ଗୋଡ଼ ସଂଖ୍ୟା ମିଶି ବାଇଶି ହୋଇଥିବାରୁ ସେହି ଅନୁସାରେ ବାଇଶି ପାହାଚ ହୋଇଛି। ଦ୍ଵିତୀୟତଃ ପରଂବ୍ରହ୍ନ ହିରଣ୍ୟ ଗର୍ଭରେ ପଦ୍ମାସନରେ ଥାଆନ୍ତି । ଏହି ରତ୍ନବେଦୀ ନିକଟକୁ ଯିବାକୁ ହେଲେ ଅଷ୍ଟ ବୈକୁଣ୍ଠ ଓ ଚଉଦ ଭୁବନ ଦେଇ ଯିବାକୁ ହୁଏ । ଅଷ୍ଟ ବୈକୁଣ୍ଠ ଯଥା- ଶ୍ରୀବୈକୁଣ୍ଠ, କୌବଲ୍ୟ ବୈକୁଣ୍ଡ, କାରଣାର୍ଣ୍ଣବ ବୈକୁଣ୍ଡ, ଶେଷଶାୟୀ ବୈକୁଣ୍ଡ, ଶ୍ଵେତଦୀପ ବୈକୁଣ୍ଡ, ପରବେଶ୍ୟାମ ବୈକୁଣ୍ଡ ଗଭୌଦକ ଶାୟୀ ବୈକୁଣ୍ଡ ଓ କୈଳାସ ବୈକୁଣ୍ଠ । ଏହି ଅଷ୍ଟ ବୈକୁଣ୍ଠ ନିମ୍ନରେ ଚଉଦ ଭୁବନ ବିଦ୍ୟମାନ । ଚଉଦ ଭୁବନ ମଧରେ ସପ୍ତ ଭୁବନ ମର୍ତ୍ତ୍ୟରେ ଓ ସପ୍ତଭୁବନ ପାତାଳରେ ଭୁମ୍ଫା, ଭୁବ, ସ୍ଵା, ମହ, ଜନ, ତପ ଓ ସତ୍ୟ ଏବଂ ସପ୍ତ ପାତାଳ ହେଉଛି ଅତଳ, ସ୍ଵତଳ, ବିତଳ, ତଳାତଳ, ମହୀତଳ, ରସାତଳ ଓ ପାତାଳ ।
ତେଣୁ ଅଷ୍ଟ ବୈକୁଣ୍ଠ ଓ ଚଉଦ ଭୁବନ (ସପ୍ତ ମର୍ତ୍ତ୍ୟ ଓ ସପ୍ତ ପାତାଳ) ମିଶି ବାଇଶି ଯାହାକି ବାଇଶି ପାହାଚର ପ୍ରତୀକ ରୂପେ ସୂଚିତ ହୋଇଛି । ଭାଗବତ ହେଉଛି ଜଗନାଥଙ୍କ ହୃଦୟର ଭାଷା ସ୍ଵରୂପ । ଏହା ଦ୍ଵାଦଶ (୧୨) ଖଣ୍ଡ ସହିତ ବାସୁଦେବ, ନୃସିଂହ, ରାମକୃଷ୍ଣ, ନାରାୟଣ, ଗୋବିନ୍ଦ, ମାଧବ, ମଦନମୋହନ, ଶ୍ରୀଦେବୀ, ଭୂଦେବୀ, କମଳା ଓ ଭୁବନେଶ୍ଵରୀ । ବାରଖଣ୍ଡ ଭାଗବତ ଓ ଦଶ ଦେବାଦେବୀ ମିଶି ବାଇଶି ସଂଖ୍ୟା ହେଉଛି ବାଇଶି ପାହାଚର ପ୍ରତିଫଳନ । ପଞ୍ଚମାତ୍ରା, ପଞ୍ଚଭୂତ, ପଞ୍ଚବୀଜ, ପଞ୍ଚଦେବଙ୍କ ସହିତ ଜୀବ ଓ ପରମ ଦୁଇ ମିଶି ବାଇଶି, ଏହାର ପ୍ରତୀକାମୂକ ହେଉଛି ବାଇଶି ପାହାଚ । ଅନ୍ୟ କେତେକଙ୍କ ମତରେ ବାଇଶିଟି ତୀର୍ଥ ଭୂମିର ସ୍ୱରୂପ ବାଇଶି ତତ୍ତ୍ଵର ପ୍ରତୀକ ଓ ବାଇଶିଟି ଭାବର ପ୍ରତୀକ ହେଉଛି ବାଇଶି ପାହାଚ । ପଞ୍ଚରସ, ଅଷ୍ଟାତାଳ୍ପିକ ଭାବ, ତ୍ରିବୀଜ, ତ୍ରିଶକ୍ତି, ତ୍ରିଗୁଣର ସମାହାର ହେଉଛି ବାଇଶି । ଯାହାକି ବାଇଶି ପାହାଚରେ ପ୍ରତିଫଳିତ ରୂପେ କେତେକ କହନ୍ତି । ତେଣୁ ବାଇଶି ପାହାଚ ହେଉଛି ଅତ୍ୟନ୍ତ ତତ୍ତ୍ଵପୂର୍ଣ୍ଣ ଓ ରହସ୍ୟମୟ । ବାଇଶି ପାହାଚ କୁହାଯାଉଥଲେ ମଧ୍ୟ ତାହା ବାସ୍ତବରେ ୨୦ଟି ପାହାଚ ରହିଛି । ପୁରୁଣା ବା ମୂଳ ସିଂହଦ୍ଵାରଠାରୁ ନୂଆ ସିଂହଦ୍ଵାର ପର୍ଯ୍ୟନ୍ତ ଲାଗିଥିବା ଏହି ପାହାଚକୁ ବାଇଶି ପାହାଚ ବୋଲି କୁହାଯାଏ ।
ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପି ଅନୁଯାୟୀ ଶ୍ରୀମନ୍ଦିର ପ୍ଳଟ ନଂ୧୫୭ (କ)ରେ ଏହା ଅବସ୍ଥିତ । ପୂର୍ବରୁ ଏଠାରେ ମହାପ୍ରସାଦ ବିକ୍ରି ହେଉଥଲା । ଭକ୍ତମାନେ ମହାପ୍ରସାଦ ଓ କୈବଲ୍ୟ ପାଉଥଲେ । ସେଥପାଇଁ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଲେଖିଛନ୍ତି : ବାଇଶି ପାବଚ୍ଛ ଗଲି ସୁଖେ , କୈବଲ୍ୟ ପସରା ବେନି ପାଶେ । ଚାଣ୍ଡାଳୁ ବ୍ରାହ୍ମଣ ଶୁଦ୍ର ପରିଯନ୍ତେ, କୈବଲ୍ୟ ଭୂଞ୍ଜନ୍ତି ମୁଖେ ମୁଖେ । ବାଇଶି ପାହାଚରେ ପ୍ରତି ପାହାଚର ଉଚ୍ଚ ୬ରୁ ୭ଇଞ୍ଚ, ଓସାର ୬ଫୁଟ ଓ ଲମ୍ବ ୭୦ଫୁଟ ରହିଛି । ଏହାର ଅଷ୍ଟାଦଶ ପାହାଚଟିର ପ୍ରସ୍ଥ ୧୫ ଫୁଟ, ଆନନ୍ଦବଜାର ପ୍ରବେଶ ମାର୍ଗରେ ଏହାର ୧୯ ଓ ୨୦ ତମ ପାହାଚ ରହିଛି । ଯାହା ଅର୍ଦ୍ଧଗୋଲାକାର । ଏହାର ପ୍ରବେଶ ମାର୍ଗର ତୃତୀୟ ପାହାଚରେ କାଶୀବିଶ୍ଵନାଥ ମନ୍ଦିର ରହିଛି । ଜନଶ୍ରୁତି ଅନୁଯାୟୀ ରାଜା ଭାନୁଦେବ ବାଇଶି ପାହାଚ ନିର୍ମାଣ କରିଥଲେ । ବାଇଶି ପାହାଚ ନିର୍ମାଣ କରିଥିବାରୁ ତାଙ୍କ ପୁତ୍ର ବିପଦମୁକ୍ତ ହୋଇଥବା କୁହଯାଏ ।
No Result
View All Result