No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୬ ଜାନୁଆରୀ ବୁଧବାର ) ଭୁବନେଶ୍ୱର :- ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗ ବନ୍ଦର ନିର୍ମାଣ କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ଉଭୟ ବନ୍ଦରର ନିର୍ମାଣ କାର୍ଯ୍ୟରେ ହୋଇଥିବା ଅଗ୍ରଗତି ସଂପର୍କରେ ମନ୍ତ୍ରୀ ଅବଗତ ହୋଇ ନିର୍ମାଣ ପାଇଁ ରହିଥିବା ପ୍ରାଥମିକ ସମସ୍ୟା ଗୁଡ଼ିକର ଦୂରୀକରଣ ନିମନ୍ତେ ପରାମର୍ଶ ଦେବା ସହିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ ଥାଉ କି ୨୦୦୮ ମସିହା ଜାନୁଆରୀ ୧୧ ତାରିଖରେ ସୁବର୍ଣ୍ଣରେଖା ବନ୍ଦରର ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ସମୀକ୍ଷା ବୈଠକରୁ ଜଣାଯାଇଛି ଯେ ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣରେଖା ମୁହାଣରେ ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କି୍ରଏଟିଭ୍ ପୋର୍ଟ ଡେଭ୍ଲପ୍ମେଣ୍ଟ ଲିଃ ସହ ଚୁକ୍ତିିନାମା ସ୍ୱାକ୍ଷର କରିଛନ୍ତି । ୫୦୦୦ କୋଟି ଟଙ୍କା ବିନିଯୋଗରେ ପ୍ରତିଷ୍ଠା ହେବାକୁ ଥିବା ଏହି ବନ୍ଦରର ପରିବହନ କ୍ଷମତା ବାର୍ଷିକ ୨୫ ନିୟୁତ ଟନ୍ରୁ ୫୫ ନିୟୁତ ଟନ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୫ଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୭ଟି ବର୍ଥ ନିର୍ମିତ ହେବ ।
୨୦୨୨ ମସିହା ମାର୍ଚ୍ଚ ପର୍ଯ୍ୟନ୍ତ ଏହାର ପରିବେଶଗତ ମଞ୍ଜୁରୀ ବଳବତ୍ତର ରହିଛି । ଅନ୍ୟପକ୍ଷରେ ବନ୍ଦର ପାଇଁ ଆବଶ୍ୟକ ୯୬୫.୧୮୦ ଏକର ଜମିରୁ ୬୯୨.୬୮୦ ଏକର ଜମି ବନ୍ଦର ବିକାଶ ସଂସ୍ଥାକୁ ହସ୍ତାନ୍ତର କରାଯାଇଥିବାବେଳେ ଅବଶିଷ୍ଟ ଜମି ଜବରଦଖଲକାରୀ ଏବଂ ଭୂଦାନ ଯଜ୍ଞ ସମିତି ଅଧୀନରେ ରହିଛି । ଜବରଦଖଲ ହୋଇଥିବା ଜମିକୁ ମୁକ୍ତ କରିବା ପାଇଁ ବାଲେଶ୍ୱର ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଓ ସରକାରୀ ଜମି ପ୍ରତିବଦଳରେ ଭୂଦାନ ଯଜ୍ଞ ସମିତି ଅଧୀନସ୍ଥ ଜମିର ଅଧିଗ୍ରହଣ ନିମନ୍ତେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ା ସେହିପରି ବନ୍ଦର ପ୍ରତିଷ୍ଠା ନିମନ୍ତେ ବସ୍ତା-ବାଲିଆପାଳ- ଚଉମୁଖ ସଡ଼କର ରକ୍ଷଣାବେକ୍ଷଣ ପାଇଁ ପୂର୍ତ୍ତ ବିଭାଗକୁ ଅନୁରୋଧ କରାଯାଇଛି । ସଡ଼କ ପଥ ଚଉଡ଼ା କରିବା ପାଇଁ ୪୪.୮୭ ଏକର ଜମି ଅଧିଗ୍ରହଣ ଆବଶ୍ୟକ । ଏଥିରୁ ୨୨.୪୪ ଏକର ସରକାରୀ ଜମି ଓ ୨୨.୪୩ ଏକର ବେସରକାରୀ ଜମି । ସଡ଼କ ପଥର ଉନ୍ନତିକରଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି ।
ରେଳପଥ ସଂଯୋଗୀକରଣ ପାଇଁ ଆବଶ୍ୟକ ୨୪୪.୯୦ ଏକର ଜମିରୁ ୪୩.୪୮ ଏକର ସରକାରୀ ଜମି, ୧୯୭.୧୮ ଏକର ବେସରକାରୀ ଜମି ଓ ୪.୨୪ ଏକର ଭୂଦାନ ଯଜ୍ଞ ସମିିତି ଅଧୀନରେ ରହିଛି । ଜମି ଅଧିଗ୍ରହଣ ନିମିତ୍ତ ପ୍ରକ୍ରିୟା ଜାରି ରହିଛି । ପୁରୀ ଜିଲ୍ଲାର ଅସ୍ତରଙ୍ଗଠାରେ ବନ୍ଦର ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ୨୦୧୦ ମସିହାରେ ନବଯୁଗ ଇଂଜିନିୟରିଂ କମ୍ପାନୀ ସହିତ ଚୁକ୍ତି ସ୍ୱାକ୍ଷର କରିଥିଲେ । ୭୪୧୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ବନ୍ଦରରରେ ୪ଟିରୁ ୧୪ଟି ବର୍ଥ ରହିବ ଓ ଏହାର ପଣ୍ୟ ପରିବହନ କ୍ଷମତା ବାର୍ଷିକ ୧୭.୭ରୁ ୭୧.୩ ନିୟୁତ ମେଟି୍ରକ୍ ଟନ୍ ହେବ । ସଂଯୋଗୀକରଣ ନିମନ୍ତେ ଫୁଲନଖରାରୁ ସଡ଼କ ପଥ ଓ ଭୁବନେଶ୍ୱରରୁ ରେଳପଥ ବିସ୍ତାର ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି । ରେଳ/ରାସ୍ତା ନିର୍ମାଣ ପାଇଁ ୧୬୯୬.୮୪୨ ଏକର ଜମି ଆବଶ୍ୟକ ଏବଂ ଏଥିରେ ଥିବା ୧୪୯୦.୮୬୨ ଏକର ବେସରକାରୀ ଜମିର ଅଧିଗ୍ରହଣ ନିମନ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
ବନ୍ଦର ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ୩୮୯୯.୯୮୭ ଏକର ଜମିରୁ ୨୪୩୫.୮୬୭ ଏକର ଜମି ବେସରକାରୀ । ବେସରକାରୀ ଜମିଗୁଡ଼ିକ ୧୩ଟି ଗ୍ରାମର ଅନ୍ତର୍ଭୁକ୍ତ ହୋଇଥିବାବେଳେ ସେସବୁ ଜମି ଅଧିଗ୍ରହଣ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା । କିନ୍ତୁ ୭ଟି ଗ୍ରାମର ଗ୍ରାମବାସୀ ବିଜ୍ଞପ୍ତିକୁ ବିରୋଧ କରି ଉଚ୍ଚନ୍ୟାୟାଳୟରେ ଆପତ୍ତି ଦର୍ଶାଇଥିଲେ ଓ ମାନ୍ୟବର ଉଚ୍ଚନ୍ୟାୟାଳୟ ରହିତାଦେଶ ପ୍ରଦାନ କରିଛନ୍ତି । ସେହିପରି ୪ଟି ଗ୍ରାମର ବେସରକାରୀ ଜମି ଅଧିଗ୍ରହଣ ନିମିତ୍ତ ଆବଶ୍ୟକ ହେଉଥିବା ଅର୍ଥ କମ୍ପାନୀ କର୍ତ୍ତୃପକ୍ଷ ପ୍ରଦାନ କରିନଥିବାରୁ ତାହାର ବୈଧତା ଶେଷ ହୋଇଛି । ଜମି ଅଧିଗ୍ରହଣ ନିମିତ୍ତ ମାମଲାର ସମାଧାନ ସକାଶେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ପଣ୍ୟ ପରିବହନକୁ ଭିତ୍ତିକରି ବାଣିଜି୍ୟକ ଅଭିବୃଦ୍ଧି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଥିବାବେଳେ ଉଭୟ ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗ ବନ୍ଦରର ନିର୍ମାଣ କାର୍ଯ୍ୟରେ ରହିଥିବା ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ।
ବନ୍ଦର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ । ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢ଼ୀ, ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀଧର ବେହେରା, ବନ୍ଦର ଓ ଅନ୍ତର୍ଦେଶୀୟ ଜଳପଥ ପରିବହନ ନିର୍ଦ୍ଦେଶକ ଶ୍ରୀ ପଦ୍ମଲୋଚନ ରାଉଳ, ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ପୁରୀ ଅତିରିକ୍ତ ଜିଲ୍ଲାପାଳ, ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ଏବଂ ନବଯୁଗ ଇଂଜିନିୟରିଂ କମ୍ପାନୀର ଅଧିକାରୀଗଣ ତଥା ଅନ୍ୟ ସଂପୃକ୍ତ ବରିଷ୍ଠ ଅଧିକାରୀମାନେ ଏହି ସମୀକ୍ଷା ବୈଠକରେ ଯୋଗଦେଇଥିଲେ ।
No Result
View All Result