ଓଡ଼ିଶା ତାଜା ନିୟୁଜ୍ (୪ ଜାନୁଆରୀ ମଙ୍ଗଳବାର ) ଢେଙ୍କାନାଳ :- ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଭିଡିଓ କନଫରେନ୍ସି ମାଧ୍ଯମରେ ଜିଲ୍ଲାର ସମସ୍ତ ଉପ-ଜିଲ୍ଲାପାଳ ତହସିଲଦାର, ବିଡ଼ିଓ, ପୌରାଞ୍ଚଳ ଏବଂ ବିଜ୍ଞାପିତ ପରିଷଦ ନିର୍ବାହୀ ଅଧିକାରୀ ଓ ସିଡିପିଓ ମାନଙ୍କ ସହିତ ଜିଲ୍ଲାର କରୋନା ପରିସ୍ଥିତି ସମ୍ପର୍କରେ ଆଲୋଚନା କରି ସମୀକ୍ଷା କରିଛନ୍ତି । ଜିଲ୍ଲାରେ ଜାନୁଆରୀ ୮ ତାରିଖରୁ ଦଶମ ଓ ଦ୍ଵାଦଶ ଶ୍ରେଣୀର ପାଠପଢ଼ା ଆରମ୍ଭ ହେବ । ଏଣୁ ଖୋଲାଯିବାକୁ ଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକ ବିଶୋଧନ ବ୍ୟବସ୍ଥା, ଜଳଯୋଗାଣ ଓ ବିଦ୍ୟୁତ ସରବରାହ ନିଶ୍ଚିତ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜଳଯୋଗାଣ ନିମନ୍ତେ ଆବଶ୍ୟକ ମରାମତିର ବିହିତ ବ୍ୟବସ୍ଥା କରିବାକୁ ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମାନଙ୍କୁ ବିଦ୍ୟାଳୟ ପରିସର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଗୁରୁତ୍ବ ଦେବାକୁ କହିଛନ୍ତି ।
ଶିକ୍ଷକ ଏବଂ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନଙ୍କର କୋଭିଡ୍ ଟେଷ୍ଟ ଆବଶ୍ୟକ ସ୍ଥଳେ କରାଇବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲାରେ ଖୋଲିଥିବା ୭ଟି ପ୍ରମୁଖ ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁମାନେ ଆଣ୍ଟିଜେନ୍ ଟେଷ୍ଟ କେନ୍ଦ୍ରରେ ପରୀକ୍ଷା କରାଇ ନେବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହି ଆଲୋଚନା ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ, ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା, ସଦର ଉପ-ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଡେପୁଟି କଲେକ୍ଟର ସୀତାଂଶୁ ଶେଖର ଦାସ,ଏଡିଏମ୍ଓ ଡା ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ପୌର ନିର୍ବାହୀ ଅଧିକାରୀ ଅତନୁ କୁମାରସାମନ୍ତ, ଆପାତ୍ତକାଳୀନ ଅଧିକାରୀ ଶଶାଙ୍କ ଶେଖର ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜ୍ୟୋତ୍ସ୍ନା ରାୟ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । (ରିପୋର୍ଟ ; ଅମର ରଞ୍ଜନ ଦାସ )