No Result
View All Result
ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ଛତ୍ରଛାୟାରେ କୁଳମଣି ଓ ସହଯୋଗୀଙ୍କୁ ହତ୍ୟା କରାଯାଇଥିବା ଖୋଦ୍ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଓଡ଼ିଶା ତାଜା ନ୍ୟୁଜ୍ (୩ ଜାନୁଆରୀ ରବିବାର) ଭୁବନେଶ୍ୱର :- ଗତକାଲି ରାତି ୭ଟାରୁ ୭.୧୫ ମଧ୍ୟରେ ଏହି ଘଟଣା ଘଟିଛି । ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୁତା ଥିବା କୁଳମଣିଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ବଳରେ ତାଙ୍କ ପାଖଲୋକମାନେ ଏହି ହତ୍ୟାକାଣ୍ଡ ଭିଆଇଥିବା ସେମାନେ ଅଭିଯୋଗ କରିଛନ୍ତି । ହତ୍ୟାକାରୀ ଭାବେ ସ୍ଥାନୀ ୟ ସରପଞ୍ଚଙ୍କ ସ୍ୱାମୀ ପ୍ରଫୁଲ୍ଲ ବିଶ୍ୱାଳ, ବ୍ଲକ୍ ଅଧ୍ୟକ୍ଷ ଭିକାରୀ ସ୍ୱାଇଁ ଓ ସେମାନଙ୍କ ସହଯୋଗୀଙ୍କ ନାଁ ସିଧାସଳଖ ନେଇଛନ୍ତି । ମାହାଙ୍ଗା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ପ୍ରଭାରୀ କୁଳମଣି ବରାଳ(୭୫) ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ(୮୦)ଙ୍କୁ ଦୁବୃର୍ତ୍ତମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି । କୁଳମଣିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ କଟକ ବଡ଼ ମେଡ଼ିକାଲରେ ଦିବ୍ୟସିଂହ ପ୍ରାଣ ହରାଇଛନ୍ତି । କୁଳମଣି ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ଏକ ମଟରସାଇକେଲରେ ଯଁକୋଟି ଗାଁ ରାସ୍ତା ଦେଇ ସେମାନଙ୍କ ଗାଁ ନୃତ୍ତାଙ୍ଗକୁ ଫେରୁଥିଲେ । ଯଁକୋଟି ନିକଟରେ ପୂର୍ବରୁ ପ୍ରସ୍ତୁତ ଥିବା ୧୦ ରୁ ୧୨ ଜଣ ଲୋକ ଅତର୍କିତ ଭାବେ ସେମାନଙ୍କୁ ଆକ୍ରମଣ କରିଥିଲେ । ବାଇକ୍ ରୁ ତଳକୁ ଖସିପଡ଼ିବା ପରେ ଦୁର୍ବୃତ୍ତମାନେ ବିଭିନ୍ନ ମାରଣାସ୍ତ୍ରରେ ଉଭୟଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ଅଂଶକୁ ହାଣି ପକାଇଥିଲେ ।

ଘଟଣା ପ୍ରଚାରିତ ହୋଇଯିବା ପରେ ଆମ୍ବୁଲାନସ୍ ଡକାଯାଇ ସେମାନଙ୍କୁ ମାହାଙ୍ଗା ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ କୁଳମଣିଙ୍କୁ ମୃତ ବୋଲି ଡାକ୍ତର ଘୋଷଣା କରିଥିଲେ ଏବଂ ଦିବ୍ୟସିଂହଙ୍କୁ କଟକ ପଠାଇଥିଲେ । ମାତ୍ର ଡାକ୍ତର ତାଙ୍କୁ ମଧ୍ୟ ମୃତ ଘୋଷଣା କରିଥିଲେ । ସୂଚନାଥାଉକି, ୨୦୧୮ ଡିସେମ୍ବରରେ ସେହି ଯଁକୋଟି ଗାଁର ବିକାଶ ଜେନା ନାମକ ଜଣେ ବିଜେପି ସମର୍ଥକଙ୍କୁ ହତ୍ୟା କରାଯାଇଥିଲା । ଘଟଣାରେ ସରପଞ୍ଚଙ୍କ ସ୍ୱାମୀ ତଥା ବିଧାୟକଙ୍କ ଖାସ୍ ଲୋକ ପ୍ରଫୁଲ୍ଲ ବିଶ୍ୱାଳଙ୍କର ସଂପୃକ୍ତି ଅଭିଯୋଗ ଆସିଥିଲେ ମଧ୍ୟ ପୁଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା । ମନ୍ତ୍ରୀଙ୍କ ଛତ୍ରଛାୟାରେ ଥିବାରୁ ପୁଲିସ ତାଙ୍କୁ ଛୁଇଁ ପାରୁ ନ ଥିବା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି । ସେହି ପୁଲିସର ନିଷ୍କ୍ରିୟତା ପାଇଁ ଏହି ନୃଶଂସ ଡବଲ୍ ମର୍ଡର ହେଲା ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

ମୃତ କୁଳମଣି ବରାଳଙ୍କର ଅଞ୍ଚଳରେ ବେଶ୍ ଖାଦି ଥିଲା । ମୂଳତଃ କଂଗ୍ରେସ ରାଜନୀତିରୁ ଆସିଥିବା କୁଳମଣି ସ୍ୱର୍ଗତ ଶେଖ୍ ମତଲୁବ ଅଲ୍ଲୀଙ୍କର ଅତି ବିଶ୍ୱସ୍ତ ଥିଲେ । ତିନି ତିନି ଥର ସରପଞ୍ଚ ଏବଂ ଥରେ ବ୍ଲକ୍ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ନିଜ ଲୋକପ୍ରିୟତାର ପ୍ରମାଣ ଦେଇଥିଲେ । ଗତ ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇ ଦଳର ପ୍ରଭାରୀ ଭାବେ କାର୍ଯ୍ୟ କରୁଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବିଜୁ ପକ୍କା ଘର ଯୋଜନାରେ ବ୍ୟାପକ ଦୁର୍ନୀତି ଓ ହରିଲୁଟ୍ ବିରୋଧରେ ପାଟି ଖୋଲୁଥିବାରୁ ସ୍ଥାନୀୟ ବିଜେଡ଼ି ନେତାଙ୍କର ଆକ୍ରୋଶ ଥିଲା ବୋଲି କୁଳମଣିଙ୍କ ପରିବାର ଓ ବିଜେପି ସମର୍ଥକମାନେ ଅଭିଯୋଗ କରିଛନ୍ତି । ଖାସ୍ କରି ସ୍ଥାନୀ ୟ ସରପଞ୍ଚ ଓ ବ୍ଲକ୍ ଅଧ୍ୟକ୍ଷଙ୍କ ଅନ୍ୟାୟ, ଦୁର୍ନୀତି ବିରୋଧରେ କ୍ରମାଗତ ଭାବେ ସ୍ୱର ଉତ୍ତୋଳନ କରିବା ତାଙ୍କ ପାଇଁ ବିପଦ ଡାକିଆଣିଲା ବୋଲି ସ୍ଥାନୀୟ ଅଞ୍ଚଳର କିଛି ବରିଷ୍ଠ ଲୋକ ମତ ଦେଇଛନ୍ତି । କିଛି ଦିନ ତଳେ ତାଙ୍କୁ ହତ୍ୟା ଧମକ ମିଳିଥିଲା ଏବଂ ସେ ସମ୍ପର୍କରେ ପୁଲିସରେ ଏତଲା ଦେଇଥିଲେ ବୋଲି ପରିବାରସୂତ୍ରରୁ ଜଣାପଡ଼ିଛି । ମାତ୍ର ପୁଲିସ ସେ ଦିଗରେ କୌଣସି ତତ୍ପରତା ଦେଖାଇ ନ ଥିଲା ।
କୁଳମଣି ଓ ତାଙ୍କ ସହଯୋଗୀଙ୍କ ନିର୍ମମ ହତ୍ୟା ଘଟଣାକୁ ସ୍ଥାନୀୟ ବିଜେପି ନେତା ଶାରଦା ପ୍ରଧାନ, ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରାଙ୍କଠାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀଙ୍କ ପର୍ଯ୍ୟନ୍ତ ସମସ୍ତେ ନିନ୍ଦା କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ସାମାଜିକ ଜୀବନରେ ମତ ପାର୍ଥକ୍ୟ ଏବଂ ବାଦବିବାଦ ରହିବ କିନ୍ତୁ ହିଂସା ଓ ହତ୍ୟା କରିବାଠାରୁ ଦୁଃଖଦ ଘଟଣା କିଛି ନ ଥାଇପାରେ । ଏହି ଘଟଣାରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ ଆଶା କରିଛନ୍ତି । ଏହି ଘଟଣାରେ ଶାସକ ବିଜେଡ଼ିର ହାତ ରହିଛି ବୋଲି ଜିଲ୍ଲା ସଭାପତି ପ୍ରତିକ୍ରିୟା ଦେଇଛନ୍ତି । ମନ୍ତ୍ରୀ ପ୍ରତାପ ଜେନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, କୁଳମଣି ବରାଳଙ୍କୁ ନିମର୍ମ ଭାବେ ହତ୍ୟା କରାଯାଇଥିବା ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଏହି ଘଟଣାକୁ ମୁଁ ଦୃଢ଼ ଭାବେ ନିନ୍ଦା କରୁଛି ଓ ଏହି ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀ ଦଣ୍ଡ ପାଇବେ ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
No Result
View All Result