୧୦ମ ଓ ୧୨ଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ ଜାନୁଆରୀ ୮ରୁ , ୧୦୦ ଦିନ ପାଇଁ  ହେବ ପାଠପଢ଼ା 

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଜାନୁଆରୀ ଶନିବାର ) ଭୁବନେଶ୍ୱର :-କୋଭିଡ୍‌ କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ଥିବା ବେଳେ ରାଜ୍ୟ ସରକାର ଆସନ୍ତା ୮ ତାରିଖରୁ ସ୍କୁଲ ଖୋଲିବାକୁ ଯାଉଛନ୍ତି । ତେବେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ପାଠ ପଢ଼ିବାକୁ ଯିବେ । ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ହେଉଥିବା ବାର୍ଷିକ ପରୀକ୍ଷା ନିମନ୍ତେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ ପ୍ରସ୍ତୁତ କରିବା ସହିତ ବିଭିନ୍ନ ସମୟରେ ଅନୁଷ୍ଠିତ ସର୍ବଭାରତୀୟ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଅଂଶଗ୍ରହଣ କରିବା ନିମନ୍ତେ ସେମାନଙ୍କୁ ପ୍ରସ୍ତୁତ କରିବାକୁ ହେବ । ସେଥି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶିକ୍ଷାନୁଷ୍ଠାନ ଖୋଲିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଜାନୁଆରୀ ୮ ତାରିଖରୁ ଅପ୍ରେଲ୨୬ ତାରିଖ ପର୍ଯ୍ୟନ୍ତ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ଦେବା ପାଇଁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କର ପାଠପଢ଼ା ଜାନୁଆରୀ ୮ରୁ ଅେ ପ୍ରଲ ୨୮ ପର୍ଯ୍ୟନ୍ତ ଚାଲିବ ।

ଦଶମ ଶ୍ରେଣୀ ପିଲାମାନଙ୍କର ପ୍ରାକଫିକାଲ୍‌ ପରୀକ୍ଷା ଗୁଡ଼ିକ ଅପ୍ରେଲ ୨୭ରୁ ମଇ ୨ ତାରିଖ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅପ୍ରଲ ୨୯ରୁ ମଇ ୧୪ ତାରିଖ ପର୍ଯ୍ୟନ୍ତ ହେବ । ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ମଇ ୩ ତାରିଖରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମଇ ୧୫ରୁ ଜୁନ୍‌ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଉ ପରୋକ୍ତ ନିର୍ଘଣ୍ଟ ଅନୁସାରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଶନିବାର/ରବିବାରକୁ ମିଶାଇ ୧୦୦ ଦିନ ପାଠପଢ଼ା ହେବ । ପାଠ ପଢ଼ା ନିମନ୍ତେ ଏକ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି । ଏହି ମାର୍ଗଦର୍ଶିକା ଅନୁସାରେ ସରକାରୀ ସାହାଯ୍ୟ ପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲିବ । ଏହା ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଗୁଡ଼ିକର ଅନୁ ପାଳନ ବାଧ୍ୟତାମୂଳକ ହେବ । ଏଠାରେ ସୂଚନାଯୋଗ୍ୟ ଯେ, କୋଭିଡ୍‌ ମହାମାରୀ କାରଣରୁ ଗତ ମାର୍ଚ୍ଚ ମାସରୁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ବିଭିନ୍ନ ମାଧ୍ୟମରେ ଅନ୍‌ଲାଇନ୍‌ ଶିକ୍ଷାଦାନର ବ୍ୟବସ୍ଥା କରିଥିଲେ ।