No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ଡିସେମ୍ବର ,ମଙ୍ଗଳବାର ) ଛତ୍ରପୁର :- ଆସନ୍ତା ରବିବାର ଠାରୁ ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମା ତାରାତାରିଣୀ ମନ୍ଦିର ସର୍ବ ସାଧାରଣଙ୍କ ଦର୍ଶନ ସକାଶେ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି । ଚୈତ୍ର ମାସ ଦ୍ବିତୀୟ ମଙ୍ଗଳବାର ପରଠାରୁ କରୋନା ସଂକ୍ରମଣକୁ ରୋକିବା ନେଇ ଜିଲ୍ଲାର ସମସ୍ତ ମନ୍ଦିର ଗୁଡିକ ଜନ ସାଧାରଣଙ୍କ ଜନ ସମାଗମକୁ ରୋକିବା ନେଇ ବନ୍ଦ କରାଯାଇଥିବା ଦୀର୍ଘଦିନର ବ୍ୟବଧାନ ପରେ ସେବାୟତ ମାନଙ୍କ ସହ ଆଲୋଚନା ବିମର୍ଶ କରି ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଅନୁଷ୍ଠିତ ବୈଠକରେ ଘୋଷଣା କରିଛନ୍ତି । ତେବେ ଭକ୍ତଗଣ ମନ୍ଦିରକୁ ଦର୍ଶନ ନିମନ୍ତେ ଯିବା ବେଳେ ମାସ୍କ ପରିଧାନ ସହିତ ସାମାଜିକ ଦୂରତ୍ବ ଓ ସାନିଟାଇଜେସନ୍ ଉପରେ ଅଧିକ ସତର୍କତାମୂଳକ ପଦକ୍ଷେପ ନେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଅଛି । ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ସମସ୍ତଙ୍କ ଉପସ୍ଥିତିରେ ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି । ଜିଲ୍ଲାରେ ରହିଥିବା ସମସ୍ତ ମନ୍ଦିର ଗୁଡିକ ମଧ୍ୟ ସ୍ଥାନୀୟ ତହସିଲଦାର, ମନ୍ଦିର କମିଟି ଓ ସେବାୟତ ମାନଙ୍କ ସହ ଆଲୋଚନା କରି ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
ମନ୍ଦିରର ଗର୍ଭଗୃହ ଗୁଡିକରେ ବାୟୁର ଚଳପ୍ରଚଳ ହୋଇ ନ ଥାଏ । ଉକ୍ତ ସ୍ଥାନରେ ଜନ ଗହଳି ରହିଲେ ସଂକ୍ରମଣର ଆଶା ନିଶ୍ଚିତ ରହୁଛି । ଏଣୁକରି ପୂଜକ ଓ ଭକ୍ତ ମାନଙ୍କ ସୁରକ୍ଷା ଦୃଷ୍ଚିରୁ କୋଭିଡ୍-୧୯ ସତର୍କତା ଜରୁରୀ ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ । କୋଭିଡ୍-୧୯ ବେଳେ ମନ୍ଦିର ବନ୍ଦ କରିବା ନିଷ୍ପତ୍ତି ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିଲା । ଯାହାକୁ ମା ତାରାତାରିଣୀ ମନ୍ଦିରର ପୂଜକ ଗଣ ସହଯୋଗ କରିଥିଲେ । ତେଣୁ କରି ମନ୍ଦିର ଦ୍ବାରା ସଂକ୍ରମଣ ରୋକିବା ସମ୍ଭବପର ହୋଇଥିଲା । ଏଥିଯୋଗୁଁ ପୂଜକ ମାନଙ୍କ ସହଯୋଗ ସକାଶେ ଜିଲ୍ଲାପାଲ ଧନ୍ୟବାଦ ଦେଇଥିଲେ । ଆଗାମୀ ଏକମାସ ପର୍ଯ୍ୟନ୍ତ ନିୟନ୍ତ୍ରଣ କରିବାକୁ ପଡିବ । ମା ତାରାତାରିଣୀ ମନ୍ଦିରର ପାହାଡ ସୁରକ୍ଷା କାର୍ଯ୍ୟ ସମେତ ଦୀପଘର, ସ୍ନାନ ମଣ୍ଡପ, ପ୍ରସାଦ ସେବନ ଗୃହ, ଭିଉ ପଏଣ୍ଟ ଇତ୍ୟାଦି ଅନେକ ଗୁଡିଏ ଉନ୍ନୟନ କାର୍ଯ୍ୟ ଚାଲିଛି ।
ସେହି ହେତୁ ମନ୍ଦିର ଚୂଡାରେ ଉନ୍ନୟନ କାର୍ଯ୍ୟ ସାମଗ୍ରୀ ଗଚ୍ଛିତ ଅଛି । ଏଣୁ ଯାନ ବାହନ ରଖିବା ସ୍ଥାନର ଅଭାବ ରହିଛି । କୌଣସି ଯାନବାହନ ପାହାଡର ୩.୫ କିଲୋମିଟର ଦେଇ ଯାତାୟତକୁ ବାରଣ କରାଯାଇଛି । ପାହାଡ ରାସ୍ତା ସମସ୍ତଙ୍କ ସକାଶେ ଖୋଲା କିନ୍ତୁ ଯାନବାହନ ଗୁଡିକ ମନ୍ଦିର ନିକଟକୁ ନେବାକୁ ବାରଣ କରାଯାଇଛି । ମନ୍ଦିର ତଳେ ଯାନ ବାହନ ପାର୍କିଂ ବ୍ୟବସ୍ଥା କରାଯିବ । ଆସନ୍ତା ୬ ମାସ ଯାଏଁ ମନ୍ଦିର ନିକଟକୁ ଯାନବାହନ ବାରଣ ରହିବ । ପରବର୍ତ୍ତି ପର୍ଯ୍ୟାୟରେ ବ୍ୟାଟେରୀ ଯାନ ବ୍ୟବହାର କରାଯିବ । ସେବାୟତ ଓ ଉନ୍ନୟନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ମାନଙ୍କ ସକାଶେ ପରିଚୟ ପତ୍ର ପ୍ରଦାନ କରାଯିବ । ପୂର୍ବାହ୍ନ ୬ଘ.୩୦ମି. ରୁ ମଧ୍ୟାହ୍ନ ୧୨ଘ.୩୦ମି. ଏବଂ ଅପରାହ୍ନ ୨ଘ. ରୁ ସଂଧ୍ୟା ୫ ଘ. ଯାଏଁ ଭକ୍ତଙ୍କ ଦର୍ଶନ ନିମନ୍ତେ ଖୋଲାଯିବ । ବାରିକେଡ୍ ନିର୍ମାଣ କରି ଅଳ୍ପ ଅଳ୍ପ ଭକ୍ତଙ୍କୁ ଦର୍ଶନ ନିମନ୍ତେ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଦିଆଯିବ । ପାହାଡ ରାସ୍ତା ଦେଇ ପ୍ରଶାସନ ପକ୍ଷରୁ ବସ୍ ଯୋଗେ ମନ୍ଦିର ନିକଟକୁ ଯାତ୍ରୀଗଣ ଦର୍ଶନ ନିମନ୍ତେ ନେବା ଆଣିବା କରାଯିବ । ଏଥି ସକାଶେ କେତେ ଦର ବସ୍ ଭଡା ରହିବ ତାହା ପରବର୍ତ୍ତି ପର୍ଯ୍ୟାୟରେ ସ୍ଥିର କରି ଜଣାଇଦିଆଯିବ । ଭକ୍ତଙ୍କ ସକାଶେ ପାନୀୟ ଜଳ ବ୍ୟବସ୍ଥା ହେବ ପାହାଡର ଚତୁଃପାର୍ଶ୍ବରେ ତଳ ସ୍ଥାନରେ କୌଣସି ପିକନିକ୍ ସକାଶେ ବାରଣ କରାଯାଇଛି ।
ରୋଷେଇ କାର୍ଯ୍ୟ ସମ୍ପୂର୍ଣ୍ଣରୂପେ ମନା କରାଯାଇଛି । ଯଦି କେହି ପିକନିକ୍ କରନ୍ତି ତେବେ ସାମଗ୍ରୀ ଜବତ୍ କରିବାକୁ ସ୍ଥାନୀୟ ତହସିଲଦାରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ମନ୍ଦିର ବେଢାରେ ବିବାହ କାର୍ଯ୍ୟ କିମ୍ବା କୌଣସି କ୍ରିୟଶୀଳତା ବା ସକ୍ରିୟ କାର୍ଯ୍ୟ ହେବନାହିଁ । ପାହାଡ ନିକଟବର୍ତ୍ତି ସ୍ଥାନ ଗୁଡିକ ଟାଟା ଏସି ବ୍ୟାଟେରୀଗାଡି ଲଗାଇ ସଫେଇକାର୍ଯ୍ୟ କରିବାକୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅମୀୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ପୁରୁଷୋତ୍ତମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା, ତହସିଲଦାର ନିତେଶ୍ ତ୍ରିପାଠୀ, ଉପଖଣ୍ଡ ପୋଲିସ୍ ଅଧିକାରୀ ସୀମା ସ୍ବାଇଁ, ଭାରପ୍ରାପ୍ତ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ମନ୍ଦିର ଉନ୍ନୟନ କମିଟିର ଫାଉଣ୍ଡର ସଂପାଦକ ପ୍ରମୋଦ କୁମାର ପଣ୍ଡା, ମନ୍ଦିର ପ୍ରଶାସନିକ ଅଧିକାରୀ ଟି.କେ.ରେଡ୍ଡୀ, ସେବାୟତ ସଭାପତି ତପନ ରଣା, ସଂପାଦକ ବାପୁଜୀ ରଣା, ମିଟୁରଣା, ଧ୍ରୁବଚରଣ ପଣ୍ଡା ପ୍ରମୁଖ ପୂଜକ ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।(ରିପୋର୍ଟ : ଶେଷଦେବ ସାହୁ , ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result