ଓଡିଶା ସ୍ୱତନ୍ତ୍ର ରାଜ୍ୟ ପାଇଁ ସଂପୂର୍ଣ୍ଣ ହକଦାର । କିନ୍ତୁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେବା ସତ୍ତ୍ୱେ ବାରମ୍ବାର ପ୍ରତାରଣା କରୁଛି । ତେଣୁ ଆଗକୁ କିଭଳି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇବ ସେଥିପାଇଁ ଦଳ ଦାବି ଉପସ୍ଥାପନ ଜାରି ରଖିବ ।
ଓଡ଼ିଶା ତାଜା ନ୍ୟୁଜ୍ (୨୦ଡିସେମ୍ବର ରବିବାର ) ଭୁବନେଶ୍ୱର :- ଆଜି ବିଜୁ ଜନତା ଦଳର ରାଜ୍ୟ ମୁଖ୍ୟକାର୍ଯ୍ୟାଳୟଠାରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୯ଟି ପ୍ରସ୍ତାବ ପାରିତ ହୋଇଯାଇଛି । ବୈଠକରେ ୮୦ କାର୍ଯ୍ୟକାରିଣୀ ସଦସ୍ୟ, ନିମନ୍ତ୍ରିତ ଉପସଭାପତି ଓ ବରିଷ୍ଠ ନେତା ଉପସ୍ଥିତ ଥିଲେ । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ବୈଠକ ଆରମ୍ଭ ହୋଇଥିଲା । ଦିବଙ୍ଗତ ନେତାଙ୍କ ପାଇଁ ୧ ମିନିଟ ନିରବ ପ୍ରାର୍ଥନା ହୋଇଥିଲା । ବିଜେଡି ହେଉଛି ଲୋକଙ୍କ ଦଳ; ଲୋକଙ୍କ ସେବାରେ ସମର୍ପିତ । ପ୍ରତିଦିନ ଲୋକଙ୍କ କାମ କରିବାକୁ କାର୍ଯ୍ୟକାରିଣୀରେ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଙ୍ଗଠନିକ ସଂପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଦ୍ୱାରା ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ତୃଣମୂଳସ୍ତରରେ ବିଜେଡିକୁ ଅଧିକ ସଂଗଠିତ କରାଯିବା ସହ ଦଳର ସଦସ୍ୟଙ୍କ ସଂଖ୍ୟା ୧ କୋଟିରୁ ଅଧିକରେ ପହଞ୍ଚିଛି । ଦଳ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ପ୍ରତିଦିନ ସାଧାରଣ ଲୋକଙ୍କ ଆସ୍ଥା ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦଳ ଆଜି ମୁଣ୍ଡ ଟେକି ଠିଆ ହୋଇଛି ।
କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କ ଛବିକୁ କଦାପି ମଳିନ କରିବାକୁ ଦିଆଯିବ ନାହିଁ ଏବଂ ସାରା ରାଜ୍ୟରେ ବିଜେଡି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟ ଘରେ ଘରେ ପହଞ୍ଚାଇବାକୁ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ କହିଥିଲେ । ଏହି କାର୍ଯ୍ୟକାରିଣୀ ବୈଠକରେ ଦଳର ବରିଷ୍ଠ ନେତା ୯ଟି ପ୍ରସ୍ତାବ ଆଗତ କରିଥିଲେ । କେନ୍ଦ୍ରର ଅବହେଳା ଓ ନକରାତ୍ମକ ଆଭିମୁଖ୍ୟ ରାଜ୍ୟ ବିକାଶରେ ବାଧକ ବୋଲି ବରିଷ୍ଠ ନେତାମାନେ ମତ ଦେଇଥିଲେ । ଏସବୁ ସତ୍ତ୍ୱେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ଦିଗଦର୍ଶନ ପାଇଁ ରାଜ୍ୟର ସମସ୍ତ ଲୋକାଭିମୁଖୀ କାର୍ଯ୍ୟ ଜାରି ରହିଛି ଏବଂ ଆଗକୁ ମଧ୍ୟ ଜାରି ରହିବ । କେବଳ ଏତିକି ନୁହେଁ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ରାଜ୍ୟକୁ ବାରମ୍ବାର ଆଘାତ ଦେଇଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଏହାକୁ ସଠିକ ଭାବେ ମୁକାବିଲା କରିପାରିଛନ୍ତି । ସେହିପରି କୃଷି ଓ କୃଷକଙ୍କୁ ଅଗ୍ରାଧିକାର ତଥା ସାମଗ୍ରିକ ବିକାଶ ପାଇଁ ବିଜେଡି ସଦାସର୍ବଦା କାର୍ଯ୍ୟ କରିଆସିଛି । ସ୍ୱାମୀନାଥନ କମିଟି ସୁପାରିସ ଅନୁସାରେ ଏମ୍ଏସ୍ପି ପାଇଁ ଲଢେଇ ଜାରି ରହିବ । ଓଡିଶା ସ୍ୱତନ୍ତ୍ର ରାଜ୍ୟ ପାଇଁ ସଂପୂର୍ଣ୍ଣ ହକଦାର । କିନ୍ତୁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେବା ସତ୍ତ୍ୱେ ବାରମ୍ବାର ପ୍ରତାରଣା କରୁଛି ।