ଓଡ଼ିଶା ତାଜା ନ୍ୟୁଜ୍ (୨୦ ଡିସେମ୍ବର ରବିବାର )ଭୁବନେଶ୍ୱର :- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀଙ୍କ ନେତୃତ୍ୱରେ 5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ ଏବଂ ବାଣିଜ୍ୟ ଓ ପରିବହନ ସ୍ୱତନ୍ତ୍ର ସଚିବ ଶ୍ରୀ ମନୋଜ ମିଶ୍ରଙ୍କ ଏକ ଉଚ୍ଚସ୍ତରୀୟ ଟିମ ପ୍ରସ୍ତାବିତ ମହାନଦୀ ବନ୍ଦର ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏହି ବରିଷ୍ଠ ଅଧିକାରୀଙ୍କ ସମେତ ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ରିଙ୍କେଶ ରାୟ ଏବଂ ଅନ୍ୟ ଅଧିକାରୀମାନେ ପ୍ରସ୍ତାବିତ ଅଞ୍ଚଳ ବୁଲି ଦେଖିଛନ୍ତି । ମହାକାଳପଡ଼ା ବିଧାୟକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ proposed port site ରେ ଉପସ୍ଥିତ ରହି project ବିଷୟରେ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । କେନ୍ଦ୍ରାପଡା ଜିଲ୍ଲାପାଳ ଶ୍ରୀ ସମର୍ଥ ବରମା ମଧ୍ୟ ଆଲୋଚନା ରେ ଭାଗ ନେଇଥିଲେ ।
ଏହା ସ୍ମରଣୀୟ ଯେ, ପାରାଦୀପ ବନ୍ଦର ଟ୍ରଷ୍ଟ ଦ୍ୱାରା ମହାନଦୀ ବନ୍ଦରର ନିର୍ମାଣ ପାଇଁ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରାଳୟ ସହମତି ପ୍ରକାଶ କରିଛି । ଯାହାର ଏମଓୟୁ ସ୍ଵାକ୍ଷର ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଆଖଡାଶାଳି ଗ୍ରାମ ଅଞ୍ଚଳରେ ହେବାକୁ ଯାଉଥିବା ଏହି ବନ୍ଦର ସବୁଦିନିଆ ବହୁମୁଖୀ ସେବା ଯୋଗାଇବ । ବାର୍ଷିକ ୫୪ ମେଟ୍ରିକ୍ ଟନ୍ କ୍ଷମତା ସମ୍ପନ୍ନ ଏହି ବନ୍ଦର ୪,୦୬୨ କୋଟି ଟଙ୍କା ବ୍ୟୟରେ ପିପିପି ମୋଡରେ ନିର୍ମାଣ ହେବାକୁ ଯାଉଛି ; ଯାହାର ୨୨ ମେଟ୍ରିକ୍ ଟନ୍ କ୍ଷମତା ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ । ଏନେଇ ସହାୟକ ଭିତ୍ତିଭୂମି ଯେପରି ରାସ୍ତାଘାଟ, ରେଳ ଯୋଗାଯୋଗ ଆଦି ବିକାଶ ଦାୟିତ୍ୱ ପାରାଦୀପ ପୋର୍ଟ ଟ୍ରଷ୍ଟକୁ ପ୍ରଦାନ କରାଯାଇଛି ।