No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ଡିସେମ୍ବର ,ଶନିବାର )ଭୁବନେଶ୍ୱର :- ପରୀର ହତ୍ୟାକାଣ୍ଡ ଓଡିଶାର ଜନମାନସକୁ ବିଚଳିତ କରିଛି । ଚୋରା ଅଙ୍ଗତଷ୍କରୀର ସଂଗୀନ ଅଭିଯୋଗ ଆସିବା ପରେ ସିବିଆଇ ଦ୍ୱାରା ପରୀ ହତ୍ୟାକାଣ୍ଡର ତଦନ୍ତ, ମୁଖ୍ୟ ଅଭିଯୁକ୍ତକୁ ସୁରକ୍ଷା ପ୍ରଦାନ କରୁଥିବା ପ୍ରଭାବଶାଳୀ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ପାଇଁ ବିଜେପି ମୁଳରୁ ଦାବୀ କରି ଅସୁଛି । ଅନ୍ୟ ପଟେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ରାଜ୍ୟ ସରକାର ହାଇକୋର୍ଟ ଜଜ୍ ଙ୍କ ତତ୍ୱବଧାନରେ ଏସଆଇଟି ଗଠନ କରାଯାଇ ଦୋଷୀକୁ ଦଣ୍ଡ ପ୍ରଦାନ କରିବେ ବୋଲି କହିଥିଲେ । ମାତ୍ର ରାଜ୍ୟସରକାରଙ୍କ ଦ୍ୱାରା ଗଠିତ ଏସଆଇଟି ଟିମ୍ ନା କୈାଣସି ହାଇକୋର୍ଟ ଜଜ୍ଙ୍କ ଦ୍ୱାରା ତତ୍ୱବଧାନରେ ହେଉଛି ନା ରାଜ୍ୟ ସରକାର ଏ ସଂପର୍କରେ କୈାଣସି ମନ୍ତବ୍ୟ ଦେଇଛନ୍ତି । ସେହିପରି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ବର୍ତମାନ ରାଜ୍ୟ ପରିବହନ ନିଗମର ଅଧ୍ୟକ୍ଷ ହୋଇଥିବା କାରଣରୁ ତାଙ୍କ ଯୋଗ୍ୟତା ଉପରେ ମଧ୍ୟ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ରାଜ୍ୟ ସରକାର ଜୋର ଜବରଦସ୍ତ ଭାବେ ଏସଆଇଟିକୁ କୋର୍ଟ ମନିଟରିଂ ବୋଲି କହି କେବଳ ମିଛ କହୁଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏସଆଇଟି ମୁଖ୍ୟ ସେହି ଯୁବକକୁ ଜୋବରଦସ୍ତ ଭାବେ ଦୋଷ ସ୍ୱୀକାର କରିବାକୁ ୫ ଲକ୍ଷ ଟଙ୍କା ଲାଂଚ ଯାଚିଥିବାର ପ୍ରକାଶ ପାଇଛି । ଏପରିକି ଦୋଷ ସ୍ୱୀକାର କଲେ ତାକୁ ନାବାଳକ ଦର୍ଶାଇ ଖସାଇ ଦିଆଯିବ ବୋଲି ଏସଆଇଟି ମୁଖ୍ୟ କହିଥିବାର ପ୍ରକାଶ ପାଇଛି । ଏଭଳି ସଙ୍ଗୀନ୍ ଅଭିଯୋଗ ଆସିବା ପରେ ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା ବି ଏହି ପ୍ରସଙ୍ଗରେ ନିଜେ ଜଣେ ପକ୍ଷ ହୋଇଗଲେ । ତେଣୁ ଯିଏ ଏହି କେସ୍ରେ ଜଣେ ପାର୍ଟି ସେ ଏହି କେସ୍କୁ ତଦନ୍ତ କରିପାରିବ ନାହିଁ । ମାନ୍ୟତା ନଥିବା ଏସଆଇଟି ଯେଉଁଭଳି ଭାବରେ ଗିରଫ କରି ତଦନ୍ତକୁ ଗୋଟିଏ ନିର୍ଦ୍ଧିଷ୍ଟ ଦିଗରେ ନେବା ପାଇଁ ଚେଷ୍ଟା କରୁଛି ଏହା ଅତ୍ୟନ୍ତ ଦୁଃଖଦ ଏବଂ ଅତି ହୀନ କଥା ବୋଲି ଡ. ସାମନ୍ତସିଂହାର କହିଛନ୍ତି ।
ପରୀର କପଡାରୁ ଡିଏନଏ ପରୀକ୍ଷା ଜରିଆରେ ଯଦି ହତ୍ୟାକାରୀକୁ ଗିରଫ କରିବାରେ ଏସଆଇଟି ଟିମ୍ ସଫଳ ହେଲା, ତାହେଲେ ଦୀର୍ଘ ୫ ମାସରୁ ଉର୍ଦ୍ଧ ଧରି ନୟାଗଡ ଜିଲ୍ଲା ପୋଲିସ, ଜିଲ୍ଲା ଏସପି ପ୍ରତ୍ୟୁଷ ଦିବାକର କାହିଁକି ବାହାର କରିପାରିଲେ ନାହିଁ ? ଏସଆଇଟି ମୁଖ୍ୟ ଯୁବକକୁ ଟଙ୍କା ଲାଂଚ ଦେବା କଥା ଆସିବା ପରେ ଏସଆଇଟିର ମୁଖ୍ୟଙ୍କ ତଦନ୍ତ ପାଇଁ କୌଣସି ନୈତିକତା ନାହିଁ । ଯଦି ପୋଲିସ୍ କୌଣସି କାମ କରୁନି ଏବଂ ଏସଆଇଟି ଆସି ଦଶ ଦିନ ମଧ୍ୟରେ ସମସ୍ତ ତଥ୍ୟ ଦେଇଦେଲା, ତେବେ ନୟାଗଡ ଜିଲ୍ଲାର ସ୍ଥାନୀୟ ପୋଲିସ୍ ପଦାଧିକାରୀ ଓ ଏସପିଙ୍କୁ ତୁରନ୍ତ ବହିଷ୍କାର କରାଯାଉ ଏବଂ ଏସଆଇଟି ପ୍ରସଙ୍ଗରେ ମିଥ୍ୟା ତଥ୍ୟ ଉପସ୍ଥାପନା କରିଥିବା ପୋଲିସ ଡିଜି ମଧ୍ୟ ଇସ୍ତଫା ଦେବା ଉଚିତ୍ ବୋଲି ଡ. ସାମନ୍ତସିଂହାର କହିଛନ୍ତି । ଗତକାଲି ପୋଲିସ ଡିଜି ପରୀ ହତ୍ୟାକାଣ୍ଡ ତଦନ୍ତ କରୁଥିବା ଏସଆଇଟି କୋର୍ଟ ମନିଟର ବୋଲି କହିଛନ୍ତି ।
ମାତ୍ର ଏହା ସଂପୂର୍ଣ୍ଣ ମିଥ୍ୟା । ବନ୍ଦ ଲପାଫାରେ ସିଲ୍ ହୋଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କିଭଳି ସର୍ବସାଧାରଣ ହୋଇଛି ? ପୋଲିସ ଡିଜି ଶାସକ ଦଳର ମୁଖପାତ୍ର ସାଜି ମୁଖ୍ୟ ଅଭିଯୁକ୍ତଙ୍କୁ ଘଂଟ ଘୋଡାଇବାର ପ୍ରୟାସ କରୁଛନ୍ତି । ନହେଲେ ଏଭଳି ଅସତ୍ୟ ପ୍ରେସ୍ ରିଲିଜ୍ କେବେ କେହି ଦିଏ ନାହିଁ ବୋଲି ଡ. ସାମନ୍ତସିଂହାର କହିଛନ୍ତି । ସମସ୍ତ ଘଟଣାକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେଉଛି ଯେ, ଓଡିଶା ସରକାର ପରୀ ଘଟଣାକୁ ନେଇ ଭୟଭୀତ ଅଛନ୍ତି । ଏହା କେବଳ ଛୋଟ ଶିଶୁର ହତ୍ୟା ନୁହେଁ ବରଂ ଏହା ପିଲା ଅପହରଣ, ଅଙ୍ଗତଷ୍କରୀ, ଚାଇଲଡ୍ ଟ୍ରାଫିଙ୍ଗ ଭଳି ସମ୍ବେଦନଶୀଳ ପ୍ରସଙ୍ଗ । ଏହି ଘଟଣାର କେନ୍ଦ୍ରବିନ୍ଦୁ ସାଜିଥିବା ଶାସକ ବିଜୁ ଜନତା ଦଳକୁ ସୁରକ୍ଷା ପ୍ରଦାନ ଏବଂ ଘଂଟ ଘୋଡାଇବା ପାଇଁ ରାଜ୍ୟ ସରକାର ବିଧିବଦ୍ଧ ଯୋଜନା ରଚିଛନ୍ତି । ଏହି ପରିପ୍ରେକ୍ଷୀରେ ପୋଲିସ ଡିଜି ଅସତ୍ୟ କହିବା ଏବଂ ଏସଆଇଟି ଓ ସ୍ଥାନୀୟ ପୋଲିସକୁ ସୁରକ୍ଷା ଦେବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଡ. ସାମନ୍ତସିଂହାର କହିଛନ୍ତି ।
No Result
View All Result