ଓଡ଼ିଶା ତାଜା ନ୍ୟୁଜ (୦୯ ଡିସେମ୍ବର , ବୁଧବାର ) ଭୁବନେଶ୍ୱର :- ଉଚ୍ଚମାନର ଚଳଚ୍ଚିତ୍ର ନିର୍ମାଣ କରି ଜାତୀୟ ତଥା ଅର୍ନ୍ତଜାତୀୟ ସ୍ତରରେ ଓଡିଶା ପାଇଁ ଅନେକ ସମ୍ମାନ ଓ ସ୍ୱୀକୃତି ଆଣିଦେଇଥିବା ଅକ୍ଷୟ ପରିଜା ପ୍ରଡକ୍ସନକୁ ଆଉ ଏକ ବଡ ସଫଳତା ମିଳିଛି । ୯ମ ମୁମ୍ବାଇ ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ଅକ୍ଷୟ ପରିଜା ପ୍ରଡକ୍ସନ ଦ୍ୱାରା ନିର୍ମିତ ‘ପାଇକ ବିଦ୍ରୋହ’ ସ୍ୱତନ୍ତ୍ର ଜୁରୀ ପୁରସ୍କାର ହାସଲ କରିଛି ।
ଭାରତୀୟ ପ୍ରଥମ ମୁକ୍ତି ସଂଗ୍ରାମର ମାନ୍ୟତା ଲାଭ କରିଥିବା ୧୮୧୭ର ପାଇକ ବିଦ୍ରୋହ ଉପରେ ଏହା ଆଧାରିତ । ପାଇକ ବିଦ୍ରୋହର କାହାଣୀକୁ ଏହି ଚିତ୍ରରେ ଚମତ୍କାର ରୂପ ଦିଆଯାଇଛି । ଅକ୍ଷୟ ପରିଜାଙ୍କ ପ୍ରଯୋଜିତ ଏହି ଐତିହାସିକ ଚଳଚ୍ଚିତ୍ରରେ ମନୋଜ ମିଶ୍ର ଜୟୀ ରାଜଗୁରୁ ଏବଂ ସମରେଶ ରାଉତରାୟ ବକ୍ସି ଜଗବନ୍ଧୁ ଭୂମିକାରେ ଅଭିନୟ କରିଛନ୍ତି । ନିର୍ଦ୍ଦେଶନା ଦେଇଛନ୍ତି ନିଶ୍ଚୟ ରାଉତ ଓ ଅନୁଜ ତ୍ୟାଗୀ ।
ସିନେମାଟୋଗ୍ରାଫିରେ ପ୍ରତାପ ରାଉତ ଓ ଏଡିଟିଂରେ ଅର୍ଚିତ ଡି. ଋସ୍ତୋଗୀ ଥିବା ବେଳେ କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ବିଶିଷ୍ଟ ସାହିତ୍ୟିକ, ସ୍ତମ୍ଭକାର ତଥା ଚିନ୍ତକ ହରପ୍ରସାଦ ଦାସ । ଐତିହାସିକ ପୃଷ୍ଠଭୂମିର ଏହି ଚଳଚ୍ଚିତ୍ର ପାଇଁ ପୋଷାକ ଡିଜାଇନ୍ କରିଛନ୍ତି ସହ ପ୍ରଯୋଜିକା ବର୍ଣ୍ଣାଳୀ ରଥ । ପୂର୍ବରୁ ଏହା ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଚିତ୍ରୋତଳନ, ଶ୍ରେଷ୍ଠ ସମ୍ପାଦନା ଓ ଶ୍ରେଷ୍ଠ ଚଳଚ୍ଚିତ୍ର (ଜୁରି) ଆଦି ୪ଟି ବିଭାଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିଲା ।














