No Result
View All Result
ଓଡ଼ିଶା ତାଜା ନ୍ୟୁଜ (୫ ଡିସେମ୍ବର ଶନିବାର ) ନୟାଗଡ଼ :- ଆଜି ପୂର୍ବାହ୍ନ ୧୧ଘଟିକା ସମୟରେ ଜିଲ୍ଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହ ସୃଜନ ଠାରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଡା. ଟୁଡୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ବିଶ୍ୱ ମୃତ୍ତିକା ଦିବସ ପାଳନର ଆବଶ୍ୟକତା ସଂପର୍କରେ ସୂଚନା ଦେଇ କହିଲେ ଯେ, ମୃତ୍ତିକାର ଜୈବ ବିଭିଧତାକୁ ସଂରକ୍ଷଣ କରିବା ଆବଶ୍ୟକ । ମାଟି ହେଉଛି ସମସ୍ତ ପ୍ରକାର ଉଦ୍ଭିଦର ଅଭିବୃଦ୍ଧି ପାଇଁ ଏକ ଜୀବନ୍ତ ମାଧ୍ୟମ । ଉଦ୍ଭିଦ ଜଗତ ବଂଚିଲେ ପ୍ରାଣୀ ଜଗତ ବଂଚିବ । ଉଦ୍ଭିଦ ବଂଚିବା ପାଇଁ ମୁଖ୍ୟ ଓ ଗୌଣ ଖାଦ୍ୟ ଉପାଦାନ ମାଟିରୁ ହିଁ ସଂଗ୍ରହ କରିଥାଏ । ମୃତ୍ତିକାର ଜୈବ ବିଭିଦତାକୁ ସଂରକ୍ଷଣ କରିବା ମଣିଷର ପରମ କର୍ତ୍ତବ୍ୟ । ମାଟିର ଉର୍ବରତାକୁ ଚିରଦିନ ପର୍ଯ୍ୟନ୍ତ ବଜାୟ ରଖିବା ସହ ସୀମିତ ପରିମାଣ ଜମିରୁ ଅଧିକ ଅମଳ ପାଇବା ଆଧୁନିକ କୃଷି ପାଇଁ ଏକ ଆହ୍ୱାନ ।
ବିଭିନ୍ନ ଜୈବ ଖତ ଯଥା- ଗୋବର ଖତ, କମ୍ପୋଷ୍ଟ, ସବୁଜ ସାର, ନଡ଼ା ଇତ୍ୟାଦି ଜୈବିକ ପଦାର୍ଥ ଅତିକମରେ ବର୍ଷକୁ ଥରେ ଜମିରେ ପ୍ରୟୋଗ କରିବା ଉଚିତ୍ । ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ରଣପୁର ତଥା ଅଧ୍ୟକ୍ଷ, ଜିଲ୍ଲା ଯୋଜନା ବୋର୍ଡ, ନୟାଗଡ଼ ଶ୍ରୀ ସତ୍ୟନାରାୟଣ ପ୍ରଧାନ ଯୋଗ ଦେଇ କହିଲେ ଯେ, ଜୀବନ ବଂଚିବା ପାଇଁ ମୃତ୍ତିକା ସଂରକ୍ଷଣ ତଥା ମୃତ୍ତିକାର ଜୈବ ବିଭିଦତାର ସଂରକ୍ଷଣ ଆବଶ୍ୟକତା ରହିଛି । ଏବେ ରାସାୟନିକ ସାର ପ୍ରୟୋଗ ଦ୍ୱାରା ମୃତ୍ତିକାର ଜୈବ ବିଭିଦତା ନଷ୍ଟ ହୋଇଯାଉଛି । ସେଥିପାଇଁ ଜମିରେ ରାସାୟନିକ ସାରର ପ୍ରୟୋଗକୁ ବନ୍ଦ କରି ଜୈବ ଖତ ବା କମ୍ପୋଷ୍ଟ, ସବୁଜ ସାର, ଫସଲର ଅବଶେଷାଂସ ଜମିରେ ପ୍ରୟୋଗ କରିବା ଆବଶ୍ୟକ । ଧାନ ପରେ ଜମିରେ ମୁଗ ,ବିରି, ଚିନାବାଦାମ ଆଦି ଚାଷ କରିବା ଆବଶ୍ୟକ ।
ଆଜିକାଲି କମ୍ପୋଷ୍ଟ ବା ଗୋବର ଖତ ମିଳୁ ନ ଥିବାରୁ ଜମିରେ ଧଣିଚା ଚାଷ କରିବା ବିଧେୟ । ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ, ନୟାଗଡ଼ ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଗୋଲାପ ଦଳବେହେରା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତଥା ପ୍ରକଳ୍ପ ନିର୍ଦ୍ଦେଶକ, ଆତ୍ମା ଉପସ୍ଥିତ ରହି ବିଶ୍ୱ ମୃତ୍ତିକା ଦିବସ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହା ପରେ ପରେ ୧୦ଜଣ ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଅତିଥିମାନଙ୍କ ଦ୍ୱାରା ବଂଟନ କରାଯାଇଥିଲା । ସେହିପରି ୫୮ଟି ମୃତ୍ତିକା ପରୀକ୍ଷା କରାଯାଇ ହିତାଧିକାରୀମାନଙ୍କୁ କାର୍ଡ଼ ମଧ୍ୟ ବଂଟନ କରାଯାଇଥିଲା । ଏହି ବୈଠକରେ ଜିଲ୍ଲାସ୍ତରୀୟ ଅଧିକାରୀ,କୃଷି ବିଭାଗର ଅଧିକାରୀ ଏବଂ ଚାଷୀମାନେ ଯୋଗଦାନ କରିଥିଲେ । (ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ , ନୟାଗଡ଼)
No Result
View All Result