ଓଡ଼ିଶା ତାଜା ନ୍ୟୁଜ୍ (୨୬ ନଭେମ୍ବର ଗୁରୁବାର )ବ୍ରହ୍ମପୁର :- ଜଳ ହିଁ ଜୀବନ । ପ୍ରତ୍ୟେକ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଉଦ୍ଯମ କରୁଛନ୍ତି କିନ୍ତୁ ତଳ ସ୍ତରରେ ଦୁର୍ନୀତି ଯୋଗୁଁ ପ୍ରକଳ୍ପର ସ୍ଥାୟିତ୍ବ ନେଇ ବିବାଦ ଦେଖାଯାଉଛି । ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକ୍ ରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଓ ମରାମତିରେ ଦୁର୍ନୀତି ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । କୁକୁଡାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଲାଞ୍ଜିଆ ପଞ୍ଚାୟତ ଅଧିନସ୍ଥ ବୁଡାଲୁଣ୍ଡି ଗ୍ରାମରେ ପାନୀୟ ଜଳ ପ୍ରକଳ୍ପ ଅଦୃଶ୍ୟ ହୋଇଯାଇଛି । ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ର ୨୦୧୭ ମସିହାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଥିବା ସମୟରେ ବୁଡାଲୁଣ୍ଡି ଗ୍ରାମରେ ପନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ନେଇ ୨୮/୧୧/୨୦୧୭ ରେ ଗ୍ରାମ ବାସୀଙ୍କୁ ଚିଠି ଲେଖି ଜଣାଇ ଥିଲେ । ଚିଠିରେ ସେ ଉଲ୍ଲେଖ କରିଥିଲେ ଯେ,ବୁଡାଲୁଣ୍ଡି ଗ୍ରାମରେ ପାନୀୟ ଜଳ ଯୋଗାଣ ବ୍ଯବସ୍ଥା ଲାଗି ନିର୍ଦ୍ଦେଶ ଦିଆଯିବା ସହିତ ୫,୦୦,୦୦୦ ଟଙ୍କା ମଞ୍ଜୁର କରାଯାଇଛି ।ଗ୍ରାମର କେଉଁ ଠାରେ ଏହି ପ୍ରକଳ୍ପ କରାଯିବ ତାହା ସମସ୍ତ ଗ୍ରାମବାସୀ ମିଳିମିଶି ନିର୍ଦ୍ଧାରଣ କରିବେ ।

ଏହି କାର୍ଯ୍ଯ ପାଇଁ ଜଳ ଯୋଗାଣ ବିଭାଗ ଅଧିକାରୀ ଆପଣଙ୍କ ଗ୍ରାମକୁ ଗଲେ ତାହାଙ୍କୁ ଗ୍ରାମବାସୀଙ୍କ ଦ୍ୱାରା ଚିହ୍ନଟ ସ୍ଥାନରେ ପ୍ରକଳ୍ପ ନିର୍ମାଣ କରିବାକୁ କହିବେ । ଆପଣ ଗ୍ରାମର ଉନ୍ନତି ଲାଗି ବିଭାଗ ଦ୍ବାରା କରାଯାଉଥିବା ପ୍ରକଳ୍ପ କାର୍ଯ୍ୟର ଗୁଣବତ୍ତା ପ୍ରତି ନଜର ଦେବେ । କିଛି ଅଭିଯୋଗ ଥିଲେ ତୁରନ୍ତ ମୋ ମୋବାଇଲ୍ ନଂ ୯୪୩୭୦୫୭୪୪୯କୁ ଫୋନ୍ କରି ଜଣାଇବେ । କିନ୍ତୁ ଆଜି ପର୍ଯ୍ୟନ୍ତ ପାନୀୟ ଜଳ ପ୍ରକଳ୍ପ କେଉଁଠି ନିର୍ମାଣ ହୋଇଛି ତାହା ଜଣାପଡୁ ନାହିଁ । ଗତ ୨୦୧୯ ସାଧାରଣ ନିର୍ବାଚନ ବେଳେ ଡ.ସୂର୍ଯ୍ୟ ନାରାୟଣ ପାତ୍ର ପ୍ରଚାରକୁ ଗଲାବେଳେ ପନୀୟ ଜଳ ପ୍ରକଳ୍ପ ହୋଇଛି କି ନାହିଁ ଅନୁଧ୍ୟାନ କଲେ ନାହିଁ । ଏହି ଘଟଣା ସଂପର୍କରେ ହିଞ୍ଜିଳିକାଟୁ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଫୋନ୍ ଯୋଗେ ପଚାରି ବୁଝିବାରୁ ସେ କହିଥିଲେ ଆମ ପାଖକୁ କୌଣସି ଚିଠି କିମ୍ବା ଆଦେଶ ଆସି ନାହିଁ । ଅନ୍ୟ କେଉଁ ସଂସ୍ଥା ଏହି ପ୍ରକଳ୍ପ ଦାୟିତ୍ୱ ନେଇଥାଇପାରେ ।

ଗଞ୍ଜାମ ଜିଲ୍ଲାରେ ଦକ୍ଷ ପ୍ରଶାସନିକ ଅଧିକାରୀ ମାନେ ଅଛନ୍ତି କିନ୍ତୁ ସେମାନଙ୍କ ମଧ୍ଯ ନଜର ନାହିଁ । ବର୍ତ୍ତମାନ ଚର୍ଚ୍ଚାର ବିଷୟ ହେଲା ସେତେବେଳର ମନ୍ତ୍ରୀ ଶ୍ରୀ ପାତ୍ର ସତରେ ପାନୀୟ ଜଳ ଯୋଗାଣ ପାଇଁ ଅର୍ଥ ପ୍ରଦାନ କରିଥିଲେ, ନା ନିର୍ବାଚନକୁ ଆଖି ଆଗରେ ରଖି ଚିଠି ଲେଖି କାମ ସାରି ଦେଇଥିଲେ ! ଯଦି ଅର୍ଥ ପ୍ରଦାନ କରାଯାଇଛି ତାହାହେଲେ ତିନି ବର୍ଷ ପର୍ଯ୍ୟନ୍ତ ପ୍ରକଳ୍ପ ନିର୍ମାଣ ନହୋଇ ରହିଛି କାହିଁକି କି ? ଏହି ଘଟଣା ସଂପର୍କରେ ଜିଲ୍ଲାପାଳ, ପିଡି ଓ ଭିଜିଲାନ୍ସ ଜାଣି ପାରିଲେ ନାହିଁ କେମିତି ? ବୁଡାଲୁଣ୍ଡି ଗ୍ରାମରେ ପାନୀୟ ଜଳ ପ୍ରକଳ୍ପର ସ୍ଥିତି ସଂପର୍କରେ ଗଞ୍ଜାମ ଜିଲ୍ଲାପାଳ ପରିଦର୍ଶନରେ ଗଲେ ହିଁ ସ୍ପଷ୍ଟ ଜଣାପଡିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । (ରିପୋର୍ଟ ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ)