No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ନଭେମ୍ବର ଶୁକ୍ରବାର ) ଗଞ୍ଜାମ ଜିଲ୍ଲାର ତିନୋଟି ସହରରେ ଥିବା ୫ଟି ସରକାରୀ ସ୍କୁଲକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରିବାକୁ ନିଷ୍ପତ୍ତି ହୋଇଛି । ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ) ସହାୟତାରେ ଏହି ସବୁ ସ୍କୁଲରେ ମୌଳିକ ଭିତ୍ତିଭୂମି ସଜାଡ଼ିବାକୁ ଓପେପା (ଓଡ଼ିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ ଅଥରିଟି) ପକ୍ଷରୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ଚୟନ ହୋଇଥିବା ସ୍କୁଲ ଗୁଡ଼ିକ ହେଲା ହିଞ୍ଜିଳିର ବୃନ୍ଦାବନ ଗଭର୍ଣ୍ଣମେଣ୍ଟ ହାଇସ୍କୁଲ ଓ ଏନଏସି ହାଇସ୍କୁଲ, ବ୍ରହ୍ମପୁରର ଭିଭି ଗିରି ଗାର୍ଲସ ସିଟି ଟ୍ରେନିଂ ସ୍କୁଲ ଏବଂ ସିଟି ହାଇସ୍କୁଲ, ଛତ୍ରପୁରର ଅନସ୍ଳୋ ଇନଷ୍ଟିଚ୍ୟୁଟ ।
ଏସବୁ ସ୍କୁଲରେ ପ୍ରସ୍ତୁତ ହେବାକୁ ଥିବା ମୌଳିକ ଭିତ୍ତିଭୂମି ମଧ୍ୟରେ ପ୍ରତି ୪୦/୫୦ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ଶ୍ରେଣୀ କୋଠରୀ, ଛାତ୍ର ଓ ଛାତ୍ରୀଙ୍କ ପାଇଁ ଯଥେଷ୍ଟ ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ, କମ୍ପ୍ୟୁଟର ଲାବୋରେଟାରୀ, ତୃତୀୟରୁ ଉର୍ଦ୍ଧ୍ୱ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ବେଞ୍ଚ ଡେସ୍କ, ପ୍ରଥମ ଶ୍ରେଣୀ ପାଇଁ ଦରି ଏବଂ ଗାର୍ଲସ କମନ ରୁମ୍, କର୍ମଚାରୀ ଏବଂ ପ୍ରଧାନଶିକ୍ଷକଙ୍କ ପାଇଁ ସ୍ୱତନ୍ତ୍ର କୋଠରୀ, ସ୍ୱତନ୍ତ୍ର ଲାଇବ୍ରେରୀ ଏବଂ ଲାବୋରେଟାରୀ ରହିଛି ।
ବର୍ତ୍ତମାନ ଏହି ସ୍କୁଲ ଗୁଡ଼ିକରେ ଥିବା ମୌଳିକ ଭିତ୍ତିଭୂମିକୁ ତଦାରଖ କରିବା ପରେ ଆବଶ୍ୟକ ଭିତ୍ତିଭୂମି ପାଇଁ କେତ ଖର୍ଚ୍ଚ ହେବ ତାହାର ଆକଳନ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ । ଉଲ୍ଲେଖଯୋଗ୍ୟ, ରାଜ୍ୟରେ ୧୦୧ଟି ସ୍କୁଲକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରତି ସ୍କୁଲରେ ମୌଳିକ ଭିତ୍ତିଭୂମିରେ ବିକାଶ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । (ରିପୋର୍ଟ ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ)
No Result
View All Result