ଓଡ଼ିଶା ତାଜା ନ୍ୟୁଜ (୧ ନଭେମ୍ବର ରବିବାର) ବାଲେଶ୍ୱର ,ତିର୍ତ୍ତୋଲ :- ବାଲେଶ୍ଵର ସଦର ଓ ତିର୍ତ୍ତୋଲ ନିର୍ବାଚନ ପାଇଁ ନଭେମ୍ବର ତିନି ତାରିଖରେ ଭୋଟ। ରବିବାର ସନ୍ଧ୍ୟାରେ ସରିବ ପ୍ରଚାର। ହାତରେ ଆଉ ମାତ୍ର ଗୋଟିଏ ଦିନ। ଭୋଟରଙ୍କୁ ନିଜ ଆଡକୁ ଆଣିବା ପାଇଁ ପ୍ରମୁଖ ତିନି ଦଳ ପକ୍ଷରୁ ଚାଲିଛି ଜୋରଦାର ଉଦ୍ୟମ। ବାଲେଶ୍ଵରରେ ବିଜେପି ସ୍ଥିତି ବଜାୟ ରଖିବାକୁ ଚେଷ୍ଟିତ ଥିବାବେଳେ ତିର୍ତ୍ତୋଲରେ ବିଜେଡି କରୁଛି ଅନୁରୂପ ପ୍ରୟାସ। ଚର୍ଚ୍ଚା ହେଉଛି ଦୁଇଟି ନିର୍ବାଚନ ମଣ୍ଡଳୀରେ ବିଜେପି ଓ ବିଜେଡି ମଧ୍ୟରେ ହେବ କଡା ମୁକାବିଲା। କଂଗ୍ରେସ ଏହି ଦୌଡରେ ପଛରେ ପଡିଯାଇଛି। ଲୋକେ କହୁଛନ୍ତି କଂଗ୍ରେସ ଭୋଟ ନିର୍ଣ୍ଣାୟକ ହେବ। ଏହି ଦଳର କର୍ମୀମାନେ ଯାହାକୁ ଭିତିରିଆ ସମର୍ଥନ ଦେବେ ସେଇ ଦଳର ପ୍ରାର୍ଥୀ ଜିତିବ। ଏଭଳି କଥା ଏବେ ରାଜନୈତିକ ବିଶାରଦମାନଙ୍କୁ ଦ୍ଵନ୍ଦ୍ଵରେ ପକାଇଛି।
ସେମାନେ କହୁଛନ୍ତି ଲୋକଙ୍କ କଥା ଯଦି ସତ ହୁଏ ତେବେ କ’ଣ ବିଜେପୁରର ପୁନରାବୃତ୍ତି ହେବ କି ? ଏହି ଉପ ନିର୍ବାଚନରେ ପ୍ରକୃତ ଲଢେଇ ବାଲେଶ୍ଵରରେ ହେଉଛି। ସବୁ ବଡ ନେତା ସେଇଠି ଡେରା ପକାଇଛନ୍ତି। ବାଲେଶ୍ଵର ବାଜି ଜିତିବାକୁ ବିଜେଡି-ବିଜେପି ଓ କଂଗ୍ରେସ ପକ୍ଷରୁ ଚାଲିଛି କସରତ୍। ଦଳୀୟ ପ୍ରାର୍ଥୀଙ୍କ ସହିତ ତାଳ ମିଳାଇ ସ୍ଵାଧୀନ ପ୍ରାର୍ଥୀ ବେଣୁଧର ବାରିକ ଚର୍ଚ୍ଚାରେ ରହିଛନ୍ତି। ତାଙ୍କୁ ପ୍ରଚାରରେ ସହଯୋଗ କରୁଛନ୍ତି କଳାକାର ଓ କିନ୍ନରମାନେ। କୁହାଯାଉଛି ବେଣୁଧରଙ୍କ ପ୍ରତି ଜନ ସମର୍ଥନ ବଢୁଛି। ଯଦି ପୂର୍ବ ନିର୍ବାଚନ ଗୁଡିକୁ ଅନୁଧ୍ୟାନ କରାଯାଏ ତେବେ ତାଙ୍କ ପ୍ରତି ବଢୁଥିବା ଜନ ସମର୍ଥନ ଜିତିବା ପାଇଁ ଯଥେଷ୍ଟ ହେବ ବୋଲି କୁହାଯାଇ ପାରିବ ନାହିଁ। ଶେଷରେ ଭୋଟରମାନେ ଦଳୀୟ ଚିହ୍ନରେ ଭୋଟ ଦେବେ। ଏବେ ତାଙ୍କୁ ଯେତେ ସଂଖ୍ୟକ ଭୋଟ ମିଳିବ କୁହାଯାଉଛି ତାହା ମିଳିବା ପ୍ରାୟତଃ ଆଶା କମ। ବରଂ ଏଇଆ ହେବ ବେଣୁଧରଙ୍କ ଲୋକପ୍ରିୟତା କୌଣସି ଦଳକୁ କ୍ଷତିରେ ପକାଇବ। ୨୦୧୯ରେ ଏହି ଆସନରୁ ଜିତିଥିଲେ ବିଜେପିର ମଦନ ମୋହନ ଦତ୍ତ। ତାଙ୍କର ଅକାଳ ବିୟୋଗ ପରେ ବିଜେପି ମଦନଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିଛି।
କଂଗ୍ରେସରୁ ମମତା କୁଣ୍ଡୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ ନିର୍ବାଚନ ଲଢୁଛନ୍ତି ସ୍ଵରୂପ ଦାସ। ସେହିପରି ତିର୍ତ୍ତୋଲରେ ହେବ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର। କିନ୍ତୁ ଚିତ୍ର ଏବେବି ଅସ୍ପଷ୍ଟ। ଏହି ନିର୍ବାଚନମଣ୍ଡଳୀ ଦାୟିତ୍ଵରେ ରହିଛନ୍ତି ବିଜେଡ଼ିର ତ୍ରିମୂର୍ତ୍ତି ମନ୍ତ୍ରୀ ଅରୁଣ ସାହୁ, ସଞ୍ଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀ ନାୟକ। ଅରୁଣ ସାହୁଙ୍କ ଉପରେ ରହିଛି ଗୁରୁ ଦାୟିତ୍ଵ। ସେ ବିରିଡି ବ୍ଲକ କଥା ବୁଝୁଛନ୍ତି। ସ୍ଥାନୀୟ ଲୋକ କହୁଛନ୍ତି ବିରିଡି ବ୍ଲକରେ ଯିଏ ଲିଡ୍ ନେବ ସିଏ ଜିତିବ। ଆଉ କେତେକଙ୍କ ମତ କଂଗ୍ରେସ ଭୋଟ ନିର୍ଣ୍ଣାୟକ ହେବ। ସେମାନେ କହିଛନ୍ତି ଏହି ନିର୍ବାଚନ ମଣ୍ଡଳୀରେ ଯେଉଁମାନେ ନେତୃତ୍ଵ ନେଉଥିଲେ ସେମାନେ ତାଙ୍କ ସୁବିଧା ପାଇଁ ଦଳ ପରିବର୍ତ୍ତନ କରିଛନ୍ତି। ଭୋଟର ତାଙ୍କ ସାଙ୍ଗରେ ରହିଲେ ଲାଭ କ’ଣ ? କିନ୍ତୁ ଯାହା ଦେଖିବାକୁ ମିଳିଛି କିଛି ପଞ୍ଚାୟତରେ ବିଜେପିର ପ୍ରଭାବ ରହିଛି। ହେଲେ ଭୋଟ ବେଳେକୁ ଏହି ସ୍ଥିତି ରହିବ ବୋଲି କୁହାଯାଇପାରୁନି। ଏହାର କାରଣ ଲୋକେ ଖୋଲାଖୋଲି କହୁଛନ୍ତି କିଏ କ’ଣ ପ୍ରଚାର କରୁଛି ସେଥିରୁ ଆମକୁ କିଛି ମିଳିବାର ନାହିଁ। ନେତା ଏପାଖ ସେପାଖ ହେଉଛନ୍ତି। ଆମେ ହେବାକୁ କ’ଣ ମନା ଅଛି। ତିର୍ତ୍ତୋଲରୁ ବିଜେପିରୁ ରାଜକିଶୋର ବେହେରା ଓ ବିଜେଡ଼ିରୁ ବିଜୟ ଶଙ୍କର ଦାସ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଇଂଜିନିୟର ହିମାଂଶୁ ମଲ୍ଲିକ ନିର୍ବାଚନ ଲଢୁଛନ୍ତି।