ଓଡ଼ିଶା ତାଜା ନ୍ୟୁଜ (୨୯ ଅକ୍ଟୋବର ଗୁରୁବାର ) ଢେଙ୍କାନାଳ :– ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଖଜୁରିଆକଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ରାତିରେ ଛଅ ମଦୁଆଙ୍କ ଉନ୍ମୁକ୍ତ କାଣ୍ଡ । ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ କର୍ମଚାରୀଙ୍କୁ ଗୋଡାଇ ଗୋଡାଇ ମାରିଲେ ମାଡ । ମାଡରେ କର୍ମଚାରୀ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ଜଣେ ମଦୁଆକୁ ଗିରଫ କରିଛି । ଅପରପକ୍ଷରେ ସ୍ଵାସ୍ଥ୍ୟକେନ୍ଦ୍ର ଅବ୍ୟବସ୍ଥାକୁ ନେଇ ଆଜି ଧାରଣାରେ ସ୍ଥାନୀୟ ବାସିନ୍ଦା।ସୂଚନା ମୁତାବକ, ଗତକାଲି ଛଅ ଜଣ ଯୁବକ ସ୍ଥାନୀୟ ଏକ କ୍ରସର ପରିସରରେ ମଦ ପିଇ ଭୋଜିଭାତ କରୁଥିବା ବେଳେ ନିଜ ନିଜ ଭିତରେ ଝଗଡ଼ା ଲାଗି ଆହତ ହୋଇଥିଲେ । ଚିକିତ୍ସା ନିମନ୍ତେ ପାଖାପାଖି ରାତି ଆଠଟା ସମୟରେ ଖଜୁରିଆକଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ ।
ସେଠାରେ ସେମାନେ ଧୈର୍ଯ୍ୟ ହରା ହୋଇ ସ୍ୱାସ୍ଥ୍ୟକେନ୍ଦ୍ରର ଜଗୁଆଳି ଓ ସୁଇପରଙ୍କୁ ପରିସରରେ ଗୋଡାଇ ଗୋଡାଇ ପିଟିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଫଳରେ ଜଗୁଆଳୀ ଜଣଙ୍କ ଗୁରୁତର ଆହତ ହୋଇଥିଲେ। ଖବରପାଇ ବାଲିମି ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ମାନିଆନାଳୀ ଗ୍ରାମର କାଳିଆ ଓରଫ୍ ବିଦୁର ବେହେରାକୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିଲେ।ଗିରଫ ଅଭିଯୁକ୍ତ ନାମରେ ୨୯୪ /୩୨୩ /୩୫୩/ ୩୦୭ / ୩୭୯/ ୩୪/ ଆଇପିସି ଧାରାରେ ୧୫୭/୨୦୨୦-୨୧ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଅଭିଯୁକ୍ତକୁ ଯଥାଶୀଘ୍ର ଧରିବାକୁ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ବାଲିମି ଥାନା ଅଧିକାରୀ ।
ଅପରପକ୍ଷରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥାକୁ ନେଇ ଆଜି ଧାରଣାରେ ବସିଛନ୍ତି ସ୍ଥାନୀୟ ବାସିନ୍ଦା। ସ୍ୱାସ୍ଥ୍ୟକେନ୍ଦ୍ରରେ ବାରମ୍ବାର ଡ଼ାକ୍ତରଙ୍କ ଅନୁପସ୍ଥିତିକୁ ନେଇ ଏସଡିଏମଓ ଓ ସିଡିଏମଓ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ। ଆଗାମୀ ଦିନରେ ଯଦି ଏ ସମସ୍ୟାର ସମାଧାନ ନ ହୁଏ ତେବେ ଜନ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । (ରିପୋର୍ଟ୍ ଅମର ରଞ୍ଜନ ଦାସ)