ଓଡ଼ିଶା ତାଜା ନ୍ୟୁଜ (୨୮ ଅକ୍ଟୋବର ବୁଧବାର) କଟକ :– ରେଭେନ୍ସା ବିକାଶ ଅଭିଯାନ ପକ୍ଷରୁ ଆଜି ଓଡିଶା ଲୋକସେବା ଆୟୋଗ (ଓ.ପି.ଏସ.ସି)ର ଚେୟାରମ୍ୟାନଙ୍କୁ ଭେଟି ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ପାଇଁ ସରକାର ଓପିଏସସିକୁ ଦେଇଥିବା ବେଆଇନ ଅଧିକାରରୁ ନିବୃତ ରହିବା ସହ ସରକାରଙ୍କୁ ଏ ବାବଦରେ ଆଇନ ଜଣାଇଦେବାକୁ ସ୍ମାରକପତ୍ର ମାଧ୍ୟମରେ ଦାବି କରାଯାଇଛି । ଏଠାରେ ସୂଚନାଯୋଗ୍ୟ ରାଜ୍ୟ ସରକାର ଅତ୍ୟନ୍ତ ଅଗଣତାନ୍ତିକ ଓ ଅନ୍ୟାୟ ଭାବେ ବେଆଇନ ବିଶ୍ୱବିଦ୍ୟାଳୟ ସଂଶୋଧିତ ବିଲ ୨୦୨୦କୁ ବିଧାନସଭାରେ ପାରିତ କରିଛନ୍ତି । ଏବଂ ଇତିମଧ୍ୟରେ ସରକାର ବିଭିନ୍ନ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷମାନଙ୍କୁ ଚିଠି ଲେଖି ନିଜର ଆବଶ୍ୟକ ଅଧ୍ୟାପକ ନିଯୁକ୍ତି ପାଇଁ ଓପିଏସସିକୁ ଜଣାଇବାକୁ କହିଛନ୍ତି ।
ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ଦେବାର ଆଇନଗତ ଅଧିକାର ଓପିଏସସି ପାଖରେ ନାହିଁ । ଓପିଏସସି କେବଳ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି ଦିଏ । ସମ୍ବିଧାନର ଧାରା ୩୨୦ ଅନୁଯାୟୀ ବିଶ୍ୱବିଦ୍ୟାଳୟରେ ଓପିଏସସିର ନିଯୁକ୍ତି କରିବା ପ୍ରସଙ୍ଗଟି ସଂପୂର୍ଣ୍ଣ ଭାବେ ଅସିଦ୍ଧ । ମାତ୍ର ସରକାର ଦେଶର ଆଇନକୁ ସଂପୂର୍ଣ୍ଣ ଭାବେ ଉପେକ୍ଷା କରି ଜବରଦସ୍ତି ଏହି କାର୍ଯ୍ୟକୁ ଓପିଏସସିକୁ ଦେଉଛନ୍ତି । ତେଣୁ ସରକାରଙ୍କ ଏହି ବେଆଇନ ଦାୟିତ୍ୱକୁ ଓଡିଶା ଲୋକସେବା ଆୟୋଗର ଚେୟାରମ୍ୟାନ ଫେରାଇଦେବାକୁ ରେଭେନ୍ସା ବିକାଶ ଅଭିଯାନ ପକ୍ଷରୁ ତାଙ୍କ ପାଖରେ ଦାବି କରାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉଚ୍ଚ ଶିକ୍ଷାକୁ ନାନାଦି କୈାଶଳରେ ଧ୍ୱଂସ କରିବାକୁ ଷଡଯନ୍ତ୍ର ଚଳାଇଛନ୍ତି । ତାହାର ଅଂଶ ଭାବରେ ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତା ଅପହରଣ କରିବା ଉଦ୍ଦେଶ୍ୱରେ ସାରା ଦେଶ ତଥା ଆମ ରାଜ୍ୟ ଯେତେବେଳେ କୋଭିଡ ମହାମାରୀ ଆକ୍ରାନ୍ତ ସେତେବେଳେ ଅନ୍ୟାୟ ଭାବେ ବିଶ୍ୱବିଦ୍ୟାଳୟ ସଂଶୋଧିତ ବିଲ ୨୦୨୦କୁ ବିଧାନସଭାରେ ପାରିତ କରି ଏହାକୁ ଯେନତେନ ଭାବେ ଲାଗୁ କରିବାକୁ କୁଚେଷ୍ଟା ଚଳାଇଛନ୍ତି ।
ତେଣୁ ତୁରନ୍ତ ସରକାର ଏହି ଅଗଣତାନ୍ତ୍ରିକ ନିଷ୍ପତିରୁ ନିବୃତ ରହିବା ସହ ଓଡିଶା ଲୋକସେବା ଆୟୋଗ ହାତରେ ବିଶ୍ୱବିଦ୍ୟାଳୟ ନିଯୁକ୍ତି ପ୍ରକ୍ରିୟାକୁ ଟେକି ଦେବାରୁ କ୍ଷାନ୍ତ ହେବା ପାଇଁ ରେଭେନ୍ସା ବିକାଶ ଅଭିଯାନ ପକ୍ଷରୁ ଦାବି କରାଯାଇଛି । ଅନ୍ୟଥା ଏହା ବିରୁଦ୍ଧରେ ସାରା ରାଜ୍ୟରେ ଜନମତ ସଂଗଠିତ କରିବା ସହ ଜନ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି । ଆବଶ୍ୟକ ପଡିଲେ ରେଭେନ୍ସା ବିକାଶ ଅଭିଯାନ ଜନସ୍ୱାର୍ଥ ମାମଲା କରିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ରେଭେନ୍ସା ବିକାଶ ଅଭିଯାନର ସଭାପତି ଚିତ୍ତରଂଜନ ମହାନ୍ତି, ସତ୍ୟ ରାୟ, ପ୍ରଶାନ୍ତ ଦାସ, ସି.ଭି. ଶାସ୍ତ୍ରୀ, ବିଜୟ ରାଉତରାୟ, ବିଶ୍ୱାବସୁ ଦାସ, କ୍ଷିରୋଦ ମହାପାତ୍ର, ଡଲି ଦାସ, ଖଗେଶ୍ୱର ସେଠୀ, ସମ୍ପାଦକ ସିଦ୍ଧାର୍ଥ ରଥ ପ୍ରମୂଖ ଉପସ୍ଥିତ ଥିଲେ । (ରଶ୍ମିତା ମହାପାତ୍ର /କଟକ ରିପୋଟର୍)