ଓଡ଼ିଶା ତାଜା ନ୍ୟୁଜ (୨୮ ଅକ୍ଟୋବର ବୁଧବାର ) ବାଲେଶ୍ୱର :- ନଭେମ୍ୱର ୩ ତାରିଖରେ ହେବ ବାଲେଶ୍ୱର ସଦର ଉପନିର୍ବାଚନ । ସେଥିପାଇଁ ପ୍ରଚାର ଜୋରସୋର୍ରେ ଚାଲିଛି । ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଦ୍ୱିତୀୟ ଥର ପାଇଁ ବାଲେଶ୍ୱର ଯାଇ ବିଜେପି ପ୍ରାର୍ଥୀ ମନସ ଦତ୍ତଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି । ସେ ଆଜି ସକାଳେ ରାସ୍ତା କଡ଼ ଦୋକାନକୁ ଯାଇ ଚା’ ପିଇବା ସହିତ ଭର୍ଚୁଆଲ୍ ରାଲିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ତେଚ୍ଛା ତୀର ମାରିଛନ୍ତି । ଶ୍ରୀମତି ଷଡଙ୍ଗୀ ଆଜି ମେଡିକାଲ୍ ଛକ, ସିନେମା ଓ ଷ୍ଟେସନ୍ ଛକରେ ପ୍ରଚାର କରିଛନ୍ତି । ସେ ଚାହା କିଣି ପିଇବା ପରେ ତାଙ୍କ ସହିତ କଥା ହୋଇଥିଲେ ।
ପରେ ଦାନ୍ତକାଠି ଦୋକାନରୁ ଦାନ୍ତକାଠି, ଫୁଲ ଦୋକାନରୁ ଫୁଲ କିଣିଥିଲେ । ତା’ପରେ ଜଳଖିଆ ଦୋକାନକୁ ଯାଇ ରୁଟି ସେକିଥିଲେ । ଆଉ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଆଉ ଦୋକନୀମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ସାଂସଦଙ୍କୁ ଅବଗତ କରାଇ ଥିଲେ । ଖାଲି ସେତିକି ନୁହେଁ, ସଫେଇ କର୍ମଚାରୀଙ୍କ ସହ ମଧ୍ୟ କଥା ହୋଇ ସୁବିଧା ଅସୁବିଧା ପଚାରି ବୁଝିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ରାଲିକୁ ସମାଲୋଚନା କରିଛନ୍ତି ଅପରାଜିତା । ସେ କହିଛନ୍ତି – “ଏହା ହାସ୍ୟାସ୍ପଦ କଥା । ରାଜ୍ୟ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହିତ ଛିଡ଼ା ହେବା କଥା ।
ମାତ୍ର ମୁଖ୍ୟମନ୍ତ୍ରୀ ତାହା ନକରି ଭର୍ଚୁଆଲ୍ ରାଲି କରୁଛନ୍ତି । ଏହାଠାରୁ ଦୁର୍ଭାଗ୍ୟର କଥା କଣ ଥାଇପାରେ ।” ବିଜେଡିର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ନେଇ ସେ କହିଛନ୍ତି-“ବିଜେଡି କର୍ମୀଙ୍କ କୋଭିଡ୍ କଟକଣା ଉଲ୍ଲଙ୍ଘନ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ୨୧ଟି ଫଟୋ ଓ ଭିଡିଓ ପଠାଇଥିଲି । ଯେଉଁଥିରେ ବିଜେଡି ବିଧାୟକ ଓ କର୍ମୀମାନେ କେମିତି କୋଭିଡ୍ ନିୟମକୁ ଉଲ୍ଲଙ୍ଘନ କରୁଛନ୍ତି, ତାହାର ପ୍ରମାଣ ରହିଛି । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବାର ୧୭ ଦିନ ହୋଇଗଲାଣି । ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି । ଏହା ନିଶ୍ଚିତ ଓଡ଼ିଶାବାସୀ ଦେଖୁଛନ୍ତି ।” (ଦୀପ୍ତିମାନ ପତି /ବାଲେଶ୍ୱର )