ଓଡ଼ିଶା ତାଜା ନ୍ୟୁଜ (୨୭ ଅକ୍ଟୋବର ମଙ୍ଗଳବାର ) ଭୁବନେଶ୍ଵର :- ଟଙ୍କା ଦିଅ ନହେଲେ ଟେଲିକାଷ୍ଟ କରିଦେବୁ… ପଇସା ଦିଅ ନହେଲେ ପୋଲିସକୁ ଡାକି ପର୍ଦ୍ଦାଫାସ କରିଦେବୁ । ଖବର ବଜେଇବୁ, ପୂରା ବରବାଦ କରିଦେବୁ… ଏମିତି କିଛି ଧମକ, ଚମକ ଦେଇ ବଟି ମାଗୁଥିଲେ ଆଉ ଟଙ୍କା ଚଳୁ କରିବାର ଜାଲ ବିଛାଇଥିଲେ ଦଲାଲ ସାମ୍ବାଦିକ । ହେଲେ ମହଙ୍ଗା ପଡିଲା ଦଲାଲ ସାମ୍ବାଦିକଙ୍କ ୪୨୦ କାମ । ଆଉ ଜଣ ଜଣ କରି ୬ ଜଣଙ୍କ ହାତରେ ହାତକଡି ପକାଇ ବାନ୍ଧିନେଲା ପୋଲିସ । ଦୁର୍ଗାପୂଜା ଅବସରରେ ଟଙ୍କା ଲୁଟି ମଉଜ କରିବାର ଯୋଜନା କରିଥିବା କଳା ସାମ୍ବାଦିକଙ୍କ ମୁଖା ଖୋଲିଦେଇଛି କମିଶନରେଟ ପୋଲିସ ।। ପର୍ଦ୍ଦାଫାସ କରିଛି କିଛି ୱେବ୍ ଚ୍ୟାନେଲ ସାମ୍ବାଦିକଙ୍କ କଳା କାରନାମା । ତମାଣ୍ଡୋ ଥାନା ଅନ୍ତର୍ଗତ ଦୁର୍ଗା ଟ୍ରେଡର୍ସ- ଘିଅ କମ୍ପାନୀ ମାଲିକଙ୍କ ସଂସ୍ଥାରେ ରେଡ୍ କରିବାର ଭୟ ଦେଖାଇ ଏ ଦଲାଲ ସାମ୍ବାଦିକମାନେ ଏକାଥରକେ ୩ ଲକ୍ଷ ଟଙ୍କା ଦାବି କରିଥିଲେ ।
ପ୍ରଥମ କିସ୍ତିରେ ୯୯ ହଜାର ଏବଂ ପରେ ୩୪ ହଜାର ଟଙ୍କା ନେଇସାରିଥିଲେ । ଏମାନେ ପୁଣି ଏତେ ସଚ୍ଚୋଟ ଯେ, Phone Pay ଜରିଆରେ ମଧ୍ୟ ଟଙ୍କା ନେଇଥିଲେ । ସମସ୍ତେ ନିଜକୁ ସାମ୍ବାଦିକ କହି, ଏକ ୱେବ୍ ଚ୍ୟାନେଲର ବୁମ୍ ଦେଖାଇ ଟଙ୍କା ନେଇଥିଲେ । ତେବେ ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ ହେବା ପରେ ତଦନ୍ତ କରି ସାମ୍ବାଦିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ଆଉ ସେମାନଙ୍କ ଠାରୁ ନଗଦ ୩୧ ହଜାର ଟଙ୍କା, ୨ଟି କାର, ୪ଟି ବାଇକ୍, ମୋବାଇଲ ଫୋନ ସହ ଆଇକାର୍ଡ( ପ୍ରେସ୍ କାର୍ଡ ) ଜବତ କରାଯାଇଛି । ତେବେ କିଏ ସେ ସାମ୍ବାଦିକ ? ଯେଉଁମାନେ ବୁମ୍ ର ବହପ ଦେଖାଇ, ସାମ୍ବାଦିକତାର ନାଁକୁ ବିକି ଟଙ୍କା ହଡପ କରୁଥିଲେ ।
ଜାଣନ୍ତୁ ସାମ୍ବାଦିକତା ନାଁରେ ଦଲାଲଗିରି କରୁଥିବା ଏହି କଳଙ୍କିତ ୬ ୱେବ ସାମ୍ବାଦିକଙ୍କୁ – କାହ୍ନୁ ଚରଣ ନାୟକ (ଟାଇମ୍ସ ଓଡିଆ), ବିନାୟକ ବେହେରା (ଆଇୟାଇଏ ନ୍ୟୁଜ୍), ବିଶ୍ୱରଞ୍ଜନ ମହାନ୍ତି (ଭିଜନ ଟିଭି), ଲକ୍ଷ୍ମୀକାନ୍ତ ସାହୁ (ଅନୟା ନ୍ୟୁଜ୍), ନୃସିଂହ ବେହେରା (ଟାଇମ୍ସ ଓଡିଆ) ଓ ବଳରାମ ବେହେରା( ଡ୍ରାଇଭର) । ଏବେ ଛତୁ ଫୁଟିଲା ପରି ଅନେକ ୱେବ ଚ୍ୟାନେଲ ଗଢି ଉଠୁଛି । କିଏ ନିଜକୁ ବଞ୍ଚାଇବାକୁ ଚ୍ୟାନେଲ କରୁଛି ତ କିଏ ଲୋକପ୍ରିୟତା ପାଇଁ । ଆଉ ଏମିତି କିଛି ଲୋକ ସାମ୍ବାଦିକତା ନାଁରେ ଟଙ୍କା ଆଦାୟ କରୁଛନ୍ତି । ତେବେ ସାମ୍ବାଦିକତା ନାଁରେ ଦାଦା ବଟି ମାଗିବା କେତେ ଦୂର ଠିକ ? ଶେଷ କଥା :- ଏମିତି କିଛି କଳଙ୍କିତ ଲୋକଙ୍କ ପାଇଁ ସାମ୍ବାଦିକତା ଭଳି ଏକ ପବିତ୍ର ବୃତ୍ତି ଏବଂ ସାମ୍ବାଦିକମାନଙ୍କ ଉପରୁ ଲୋକଙ୍କ ଆସ୍ଥା ତୁଟିଯିବନି ତ ?
ଉପସଂହାର :- ସଂପ୍ରତି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଜରିଆରେ ଦର୍ଶାଇଥିଲେ ଯେ, ବର୍ତ୍ତମାନ ବିନା କୌଣସି ପଂଜୀକରଣରେ ଦେଶରେ ଛତୁଫୁଟିଲା ଭଳି ମାଡିଚାଲିଥିବା ଏଇ ୱେବ୍ ଚାନେଲ ଗୁଡିକ ଉପରେ ଅଂଙ୍କୁଶ ଲଗାଯାଉ । ସାଟେଲାଇଟ ଚାନେଲ ଗୁଡିକ ଠିକ୍ ଭାବରେ କାର୍ଯ୍ୟ କରୁଛନ୍ତି ବୋଲି କେନ୍ଦ୍ର ସରକାର ଜଣାଇ ୱେବ୍ ଚାନେଲ ଉପରେ କଟକଣା ଲାଗୁ କରିବା ପାଇଁ ସୁପାରିଶ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କ ଧାରଣା ଯେ, ଖବରକାଗଜରେ ଖବର ଛପାଇବା ଏବଂ ଟିଭିରେ ଖବର ପ୍ରସାରଣ ପାଇଁ ପଇସା ପଡିଥାଏ । ସାଧାରଣ ଲୋକଙ୍କ ଧାରଣା ଯେ, ବିନା ପଇସାରେ ଏସବୁ ହୁଏନା !! ଏହାର ଫାଇଦା ଉଠାଉଛନ୍ତି କେତେକ ଧୂର୍ତ୍ତ ଓ ଧଡିବାଜ ସାମ୍ବାଦିକ ।। ଅନ୍ୟ ଏକ ଅତି ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା- କେତୋଟି ବଡ ଖବରକାଗଜ ଓ ଅଳ୍ପ କିଛି ଟିଭି ସଂସ୍ଥା କେବଳ ସେମାନଙ୍କର ସ୍ଥାନୀୟ ରିପୋର୍ଟରଙ୍କୁ ମାସିକ ଦରମା ଦେଇଥାନ୍ତି ।
କିନ୍ତୁ ମୁଖ୍ୟତଃ ଗ୍ରାମାଞ୍ଚଳରେ କାମ କରୁଥିବା ବିଭିନ୍ନ ଗଣମାଧ୍ୟମର ହଜାର ହଜାର ରିପୋର୍ଟରଙ୍କୁ ସେମାନଙ୍କ ସଂସ୍ଥା ପାଂଚ ପଇସା ବି ଦରମା ଦିଏନାହିଁ ।। ସେ କ୍ଷେତ୍ରରେ ଏ ସାମ୍ବାଦିକମାନେ କିଭଳି ନାହିରେ ତେଲ ଦେଇ, ହାତରୁ ଖାଇ ଘୋଡା ଆଗରେ ଦୌଡିବେ କୁହନ୍ତୁ ।। ସାମ୍ବାଦିକତା କରିବା ପାଇଁ ମନ ହାଇଁପାଇଁ, ଏଆଡେ ଦରମା ନାହଁ- ଏଭଳି ଏକ ବିଷମ ସଂକଟରେ ଦଳେ ତଥାକଥିତ ସାମ୍ବାଦିକ ଓ ବୁମ୍ ଧାରୀ ରିପୋର୍ଟର ପେଶି ହେଉଥିଲାବେଳେ ନୀତି,ଅନୀତି ଓ ଦୁର୍ନୀତି କୁ ଦେଖି ଆଖି ବୁଜିବାକୁ ବାଧ୍ୟ ହେବେକି ନାହିଁ କୁହନ୍ତୁ, ବର୍ତ୍ତମାନ ସମୟର ବଡ ସାମ୍ବାଦିକ ଓ ଓଡିଶାର ସାମ୍ବାଦିକ ସଂଘମାନେ !?! ବର୍ତ୍ତମାନ ସମୟରେ ସାମ୍ବାଦିକତା କ୍ଷେତ୍ରରେ ଏହା ଏକ ବଡ ବିଷମ ସ୍ଥିତି କି ନୁହେଁ ?? କଣ କହିବେ, ବିଜ୍ଞଜନେ- କୁହନ୍ତୁ ତ ?????