ଓଡ଼ିଶା ତାଜା ନ୍ୟୁଜ୍ (୨୬ ଅକ୍ଟୋବର ସୋମବାର ) ଦିଗପହଣ୍ଡି :- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗ୍ରାମରେ ଗତ ଶନିବାର ସକାଳ ୭ ଘଣ୍ଟା ସମୟରେ ପୂର୍ବ ଶତ୍ରୁତାରୁ ଉକ୍ତ ଗ୍ରାମର ବାଲିସାହି ବାସିନ୍ଦା ବଚନ ସ୍ବାଇଁ ନାମକ ଜଣେ ଯୁବକକୁ ଛୁରୀ ଭୁଷି ହତ୍ୟା ମାମଲାରେ ଦିଗପହଣ୍ଡି ପୋଲିସ ବନ୍ଥପଲ୍ଲୀ ଗ୍ରାମର ଦୁଇଭାଇକୁ ଗିରଫ କରିଥିବା ବେଳେ ହତ୍ୟା ମାମଲାରେ ବ୍ୟବହୃତ ରକ୍ତଭିଜା ଛୁରୀ ଓ ଠେଙ୍ଗା ଜବତ କରିଥିବା ଜଣାପଡ଼ିଛି । ଗିରଫ ଦୁଇଭାଇ ହେଲେ ଉକ୍ତ ଗ୍ରାମର ଦେବନାଥଙ୍କ ଦୁଇପୁଅ କଙ୍ଗୁରୁ ଭୂୟାଁ ଓ ସୁଶାନ୍ତ ଭୂୟାଁ (କାଳିଆ) ବୋଲି ସୂଚନା ମିଳିଛି । ପୋଲିସର କହିବାନୁଯାୟୀ , ମୃତ ବଚନ ଏବଂ କାଳିଆ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା । ତେବେ ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଗ୍ରାମର ଟୁଟୁ ଭୂୟାଁ ନାମକ ଜଣେ ଯୁବକଙ୍କ ଘରେ ଜୁଆଖେଳ ଚାଲିଥିଲା । କିନ୍ତୁ ପରଦିନ ଅର୍ଥାତ ଅକ୍ଟୋବର ୨୪ ସକାଳୁ ପୁଣିଥରେ ଟିଟୁ ଭୂୟାଁ ,
ପେଟା ବିଷୋୟୀ ଓ ସୁଶାନ୍ତ ଭୂୟାଁ ଏବଂ ବଚନ ସ୍ବାଇଁ ମଧ୍ୟରେ ଜୁଆଖେଳ ଆରମ୍ଭ ହୋଇଥିବା ବେଳେ ଏଥିରେ କାଳିଆ ୫ ହଜାର ଟଙ୍କା ଜିତିଥିଲା । ଏହି ଅବସରରେ ମୃତ ବଚନ ପ୍ରଥମେ ସୁଶାନ୍ତକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲା ଏପରିକି ଏକ ବିୟର ବୋତଲ ସାହାଯ୍ୟରେ କାଳିଆକୁ ଶକ୍ତପାହାର ଦେଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପ୍ରଥମେ କାଳିଆ ଧାରୁଆ ଛୁରୀ ସାହାଯ୍ୟରେ ବଚନକୁ ଆକ୍ରମଣ କରିଥିଲା । ଏହାପରେ କଙ୍ଗୁରୁ ମଧ୍ୟ ଏକ ଠେଙ୍ଗା ସାହାଯ୍ୟରେ ଅତର୍କିତ ଆକ୍ରମଣ କରିବା ପରେ ବଚନ ଏକ ନାଳରେ ପଡ଼ିଯାଇଥିବା ବେଳେ ଘଟଣାର କିଛି ସମୟ ମଧ୍ୟରେ ବଚନର ପ୍ରାଣବାୟୁ ଉଡି ଯାଇଥିଲା । ଘଟଣାପରେ ଦିଗପହଣ୍ଡି ପୋଲିସ ଖବର ପାଇବା ପରେ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଓ ତାଙ୍କ ଟିମ୍ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଏମକେସିଜି ପଠାଇଥିଲା ।
ଏନେଇ ମୃତ ବଚନଙ୍କ ଭଉଣୀ ଲକ୍ଷ୍ମୀ ସ୍ବାଇଁ ଶନିବାର ଦିନ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଶ୍ରୀ ସେଠୀ ରବିବାର ଅପରାହ୍ନରେ ଦୁଇଭାଇଙ୍କୁ ଗିରଫ କରିଥିଲା । ଏନେଇ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଥାନା କେସ ନଂ ୨୫୦/ ୨୦ ଆଇପିସି ଧାରା ୩୦୨/୨୯୪/୫୦୬/୩୪ ଅନୁଯାୟୀ ମାମଲା ରୁଜୁ କରି ସୋମବାର କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ତେବେ ହତ୍ୟା ଘଟଣାରେ ସଂପୃକ୍ତ ରହିଥିବା ଭଜରାମ ଭୂୟାଁ , ପଞ୍ଚୁ ଭୂୟାଁ ଓ ଶଙ୍କର ଭୂୟାଁ ଫେରାର ରହିଥିବା ବେଳେ ଯଥାଶୀଘ୍ର ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ପ୍ରଦାନ କରିଛନ୍ତି । (ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ)