
ଓଡ଼ିଶା ତାଜା ନିୟୁଜ୍ (୨୪ ଅକ୍ଟୋବର ଶନିବାର) ବାଲେଶ୍ବର :- ବାଲେଶ୍ବର ଉପ ନିର୍ବାଚନ ମୈଦାନରେ ଘମାଘୋଟ୍ ଲଢ଼େଇ ଆରମ୍ଭ ହୋଇଗଲାଣି । ୩ ପ୍ରମୁଖ ଦଳର ପ୍ରାର୍ଥୀ ଙ୍କୁ ଟକ୍କର ଦେବାକୁ ଅଣ୍ଟା ଭିଡିଛନ୍ତି ୯୦ ବର୍ଷର ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକ୍ । ବେଣୁଙ୍କୁ ନେଇ ରାଜନୈତିକ ମହଲରେ ଜୋର ଚର୍ଚ୍ଚା ଲାଗି ରହିଛି । ବେଣୁ ନିଜ ବେଉସା କରି ଗୁଜୁରାଣ ମେଣ୍ଟା ଥାଆନ୍ତି, ହେଲେ ସେ ଉପନିର୍ବାଚନରେ ପ୍ରାର୍ଥୀ ହେବା ଘଟଣାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଏବଂ ସମାଲୋଚନା ଲାଗି ରହିଛି।

କିଏ କିଏ କହୁଛନ୍ତି ଯେ, ସେ ସ୍ବାଧୀନ ପ୍ରାର୍ଥୀ ହେବା ପଛରେ କିଛି କାରଣ ରହିଛି। ୩ ଦଳର ୩ ପ୍ରାର୍ଥୀଙ୍କୁ ଭାରି ପଡିବେନି ତ ବେଣୁ ? ଅନ୍ୟପଟେ କେଉଁ ପ୍ରାର୍ଥୀଙ୍କ ଭୋଟ୍ ମାଇନ୍ସ କରିବେ ବେଣୁ, ସେନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ସେ ସ୍ବାଧୀନ ପ୍ରାର୍ଥୀ ହେଲେ, କେଉଁ ଦଳର ପ୍ରାର୍ଥୀଙ୍କୁ ମହଙ୍ଗା ପଡିବ, ତାହାକୁ ନେଇ ମଧ୍ୟ ଭୋଟ ଅଙ୍କକଷା ଆରମ୍ଭ ହୋଇଗଲାଣି । ସ୍ଥାନୀୟ ଅଞ୍ଚଳବାସୀ ବେଣୁଙ୍କୁ ସମସ୍ତେ ସମର୍ଥନ କରୁଥିବାବେଳେ ଅଭିନେତା, ଅଭିନେତ୍ରୀ ଏବଂ ଆଇନ୍ଜୀବୀମାନେ ତାଙ୍କ ପାଇଁ ପ୍ରଚାର କରିବେ ବୋଲି ଆଗକୁ ବାହାରିଛନ୍ତି । ବେଣୁ କହିଛନ୍ତି, ସେ ହାରିଲେ କିମ୍ବା ଜିତିଲେ, ତାଙ୍କୁ କିଛି ଫରକ୍ ପଡିବନି ।

ହେଲେ ସେ ଯେଉଁ ଭୋଟ୍ ପାଇବେ, ତାହା କେଉଁ ପ୍ରାର୍ଥୀଙ୍କୁ ମହଙ୍ଗା ପଡିବାପରେ ବୋଲି ରାଜନୈତିକ ମହଲରେ ଗୁଞ୍ଜରଣ ଆରମ୍ଭ ହୋଇଗଲାଣି । ଅନ୍ୟପଟେ ଅଭିନେତ୍ରୀ ରାଣୀ ପଣ୍ଡା ଏବଂ ଅଭିନେତା ଦାମ ପଣ୍ଡା ବେଣୁଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି କହିଛନ୍ତି । ସେମାନେ ବିନା ପଇସାରେ ତାଙ୍କ ପାଇଁ ଘର ଘର ବୁଲି ଭୋଟ ଭିକ୍ଷା କରିବେ । ବର୍ତ୍ତମାନ ସବୁଆଡ଼େ ଚର୍ଚ୍ଚା ଯେ, ବେଣୁ କେଉଁ ପ୍ରାର୍ଥୀଙ୍କ ଭୋଟ୍ ବ୍ୟାଙ୍କ୍ରୁ ନିଜ ଭୋଟ୍ ହାତେଇବେ । (ଦୀପ୍ତିମାନ ପତି /ବାଲେଶ୍ୱର )













