ଓଡ଼ିଶା ତାଜା ନ୍ୟୁଜ (୨୨ ଅକ୍ଟୋବର ଗୁରୁବାର) ବାଲେଶ୍ୱର :- 91ବର୍ଷ ବୟସରେ ବିଧାୟକ ହେବା ପାଇଁ ପ୍ରଥମ ନିର୍ବାଚନ ଲଢ଼ୁଛନ୍ତି ବାଲେଶ୍ୱରର ବେଣୁଧର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରି ପ୍ରଚାର ଆରମ୍ଭ କରିଥିବା ବେଣୁଧର ପେଶାରେ ଜଣେ ବାରିକ । ଲୋକଙ୍କ ବାଳ କାଟି ସେ ପେଟ ପୋଷନ୍ତି । ସେ ଅନେକ ବର୍ଷ ହେବ ବସ୍ତି ବାସିନ୍ଦାଙ୍କ ଅଧିକାର ପାଇଁ ଲଢ଼େଇ କରି ଆସିଛନ୍ତି । ତାଙ୍କ ବୟସ 91 ବର୍ଷ , ହେଲେ ବିଧାୟକ ହୋଇ ସମାଜରେ ଜରୁରୀ ପରିବର୍ତ୍ତନ ଆଣିବାର ନିଜ ଇଚ୍ଛାକୁ ପୂରଣ କରିବାକୁ ସେ ଏବେ ଆଗେଇ ଆସିଛନ୍ତି । ଜୀବନ ସାରା ନିଜ ସ୍ୱଳ୍ପ ଆୟରୁ ଯାହା କିଛି ଅର୍ଥ ସଞ୍ଚୟ କରି ରଖିଥିଲେ ତାହା ଖର୍ଚ୍ଚ କରି ବାଲେଶ୍ୱର ସଦର ପାଇଁ ହେବାକୁ ଥିବା ବିଧାନ ସଭା ଉପନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି ବେଣୁଧର ବାରିକ ।

ଏହି ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରି ପ୍ରଚାର ଆରମ୍ଭ କରିଥିବା ବେଣୁଧର ପେଶାରେ ଜଣେ ବାରିକ । ଲୋକଙ୍କ ବାଳ କାଟି ସେ ପେଟ ପୋଷନ୍ତି । ଯେଉଁ ବୟସରେ ଚାଲି ଚାଲି ପାଦ ଥକି ପଡ଼ିବା କଥା ସେହି ବୟସରେ ବି କମିନି ତାଙ୍କ ମନରେ ଥିବା ସାମାଜିକ ପରିବର୍ତ୍ତନ କରାଇବାର ଇଚ୍ଛା । ନଇଁ ଗଲାଣି ଅଣ୍ଟା । ଶଳଖି ଛିଡା ହେବା ପାଇଁ ସଙ୍ଘର୍ଷ କରିବାକୁ ପଡୁଛି । ହେଲେ କମିନାହିଁ ମନରେ ଉତ୍ସାହ । ନାମାଙ୍କନ ଦାଖଲ କରି ସାରି ଚୁପ ହୋଇ ବସି ନାହାନ୍ତି ବେଣୁଧର । ନିଜର ଦୁଇ ତିନି ଜଣ ବନ୍ଧୁଙ୍କୁ ଧରି ଘର ଘର ବୁଲି ନିଜ ପାଇଁ ଭୋଟ ମଧ୍ୟ ମାଗୁଛନ୍ତି ସେ ।

ସମାଜକୁ ପରିବର୍ତ୍ତନ କରିବା ଓ ଗରିବ ଲୋକଙ୍କ ପାଇଁ ସରକାରୀ ସାହାଯ୍ୟ ସୁନିଶ୍ଚିତ କରାଇବା ପ୍ରତିଶୃତି ନେଇ ସେ ପ୍ରଚାର ଆରମ୍ଭ କରିଦେଇଛନ୍ତି । ବେଣୁଧରଙ୍କର କୌଣସି ବଡ଼ ସେଲୁନ କିମ୍ବା ପାର୍ଲର ନାହିଁ । ସେ ରାସ୍ତା କଡ଼ରେ ଗଛ ମୂଳରେ ବସି ଲୋକଙ୍କୁ ଖିଅର କରନ୍ତି । ପ୍ରାୟ ୫୦ ବର୍ଷ ପୂର୍ବେ ସେ ବାହାନଗା ଅଞ୍ଚଳରୁ ବାଲେଶ୍ୱରର ଗୁଡ଼ିପଦାକୁ ଆସିଥିଲେ । ସେବେ ଠାରୁ ସେଇଠି ରହୁଛନ୍ତି ସେ । ପରିବାର କହିଲେ ଦୁଇ ଝିଅ ଓ ସାନ ଜ୍ୱାଇଁ ତାଙ୍କ ସାଥିରେ ରହନ୍ତି । ତାଙ୍କର ଦୁଇ ପୁଅଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଭୁବନେଶ୍ୱରରେ ଅଲଗା ହୋଇ ରହନ୍ତି । (ଦୀପ୍ତିମାନ ପତି / ବାଲେଶ୍ୱର )













