ଭୁବନେଶ୍ୱର, (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର :- ସମାଜର ଦର୍ପଣ ହେଉଛି ଗଣମାଧ୍ୟମ । ସାମ୍ବାଦିକତା ବୃତ୍ତି ସର୍ବଦା ନିର୍ଭୟ ଓ ନିରପେକ୍ଷ ହେବା ଆବଶ୍ୟକ । ଏହା ଦ୍ୱାରା ସମାଜରେ ପରିବର୍ତ୍ତନ ଘଟିଥାଏ । ତେବେ ସାମ୍ବାଦିକ ବୃତ୍ତିରେ ଦୈନିକ ନୂଆ ଆହ୍ୱାନ ସୃଷ୍ଟି ହୋଇଥାଏ । ଏହାକୁ ସାମ୍ନା କରି ଗଣମାଧ୍ୟମ ନିର୍ଭିକ ଓ ନିରପେକ୍ଷ ଖବର ପ୍ରସାରଣ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତ ପୋଷଣ କରିଛନ୍ତି । ‘ସୂର୍ଯ୍ୟପ୍ରଭା’ର ୧୭ଶ ବାର୍ଷିକ ଉତ୍ସବରେ ଯୋଗଦେଇ ବହୁ ବିଶିଷ୍ଟ ବ୍ୟକ୍ତି ଏହି ମତବ୍ୟକ୍ତ କରିଛନ୍ତି । ଗୀତଗୋବିନ୍ଦ ଭବନଠାରେ ‘ସୂର୍ଯ୍ୟପ୍ରଭା’ର ୧୭ଶ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଂସଦ ଅମର ପଟ୍ଟନାୟକ କହିଲେ ଯେ,ସାମ୍ବାଦିକତା ବୃତ୍ତିରେ ସବୁଦିନ ଏକ ନୂଆ ଆହ୍ୱାନକୁ ସମୁଖୀନ ହେବାକୁ ପଡିଥାଏ । ଏହି ବୃତ୍ତିରେ ସାର୍ବଜନୀନ ଜୀବନରେ ସର୍ବଦା ଭୟର ବାତାବରଣ ମଧ୍ୟରେ ଗତି କରିବାକୁ ପଡିଥାଏ ।

ଏହା ସତ୍ତେ୍ୱ ସାମ୍ବାଦିକତାର ସ୍ୱର ସବୁବେଳେ ନିର୍ଭିକ ଓ ନିରପେକ୍ଷ ହେବା ଆବଶ୍ୟକ କାରଣ ଏହାର ସୁଦୂର ପ୍ରଭାବ ସମାଜରେ ସକରାତ୍ମକ ପରିବର୍ତ୍ତନ ଘଟାଇଥାଏ ବୋଲି ସାଂସଦ ଶ୍ରୀ ପଟ୍ଟନାୟକ କହିଛନ୍ତି । ଯଦି ସାମ୍ବାଦିକମାନେ ଖବର ପରିବେଷଣ ସମୟରେ ନିରପେକ୍ଷତା ଓ ନିର୍ଭିକତା ପ୍ରଦର୍ଶନ ନକରିବେ ତେବେ ସେମାନେ ତାଙ୍କର ଅସ୍ଥିତ୍ୱ ହରାଇବେ ବୋଲି ସେ କହିଥିଲେ । ସୂର୍ଯ୍ୟପ୍ରଭାର ସଂପାଦକ ରବି କାନୁନଗୋଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ବିକାଶ ସ୍ୱାଇଁ ପ୍ରତିଦିନ ଏହି ଅନୁଷ୍ଠାନ କିଛି ନା କିଛି ନୂତନ ଦିଗଦର୍ଶନ ପାଠକଙ୍କୁ ଭେଟି ଦେଇଥାଏ । ଖବର ପ୍ରସାରଣ ସହିତ ସମାଜରେ ସକରାତ୍ମକ ପରିବର୍ତ୍ତନ କରିବାରେ ‘ସୂର୍ଯ୍ୟପ୍ରଭା’ ତାର ସଙ୍କଳ୍ପରୁ କେବେ ବିଚ୍ୟୁତ ହୋଇନାହିଁ ଆଗକୁ ମଧ୍ୟ ନିରନ୍ତର ଏହି ପ୍ରୟାସକୁ ଜାରି ରଖିବ ବୋଲି ଶ୍ରୀ ସ୍ୱାଇଁ କହିଥିଲେ । ‘ସୂର୍ଯ୍ୟପ୍ରଭା’ର ଦୀର୍ଘଦିନର ଜୟଯାତ୍ରା ପାଇଁ ସେ ସମସ୍ତ ପାଠକ ଓ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ସଞ୍ଜିବ ମଲ୍ଲିକ, ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ, ଏନଟିପିସିର ପୂର୍ବତନ ବିତ୍ତ ନିର୍ଦ୍ଦେଶକ କୁଳମଣି ବିଶ୍ୱାଳ, ସ୍ତମ୍ଭକାର ଅରୁଣ ପଣ୍ଡା, ଓଡିଆ ଅଭିନେତା ବବି ମିଶ୍ର ଓ ଅଭିନେତ୍ରୀ କୋଏଲ ପ୍ରମୁଖ ଯୋଗଦେଇ ଖବର କାଗଜ ଓ ସାମ୍ବାଦିକତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହ ସୂର୍ଯପ୍ରଭା ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ରିପୋର୍ଟର – ବୁଲୁ ସାହୁ