ଓଡ଼ିଶା ତାଜା ନିୟୁଜ୍ (୨୦ ଅକ୍ଟୋବର ମଙ୍ଗଳବାର) ଭୁବନେଶ୍ୱର :- ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ଭଳି ଯେ କୌଣସି ପ୍ରକାର ଏକ୍ଜିଟ ପୋଲ ଉପରେ ଭାରତର ନିର୍ବାଚନ ଆୟୋଗ କଟକଣା ଜାରି କରିଛନ୍ତି । ଆସନ୍ତା ନଭେମ୍ବର ୩ରେ ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏଥିପାଇଁ ନଭେମ୍ବର ୩ତାରିଖ ସକାଳ ୬ଟାଠାରୁ ନଭେମ୍ବର ୭ ତାରିଖ ସନ୍ଧ୍ୟା ୬ଟା ୩୦ ମଧ୍ୟରେ କୌଣସି ଏକ୍ଜିଟ ପୋଲ ଆୟୋଜନ କରିବା କିମ୍ବା ଏ ସଂକ୍ରାନ୍ତରେ ଛାପା ବା ବୈଦ୍ୟୁତିକ ଗଣମାଧ୍ୟମରେ ଏ ସଂକ୍ରାନ୍ତ ଖବର ପରିବେଷଣ କରିବା କିମ୍ବା ଅନ୍ୟ ଯେକୌଣସି ପ୍ରକାର ତଥ୍ୟ ପ୍ରଘଟ କରିବା ଉପରେ ନିଷେଧାଦେଶ ଜାରି କରାଯାଇଛି ।
ଏଥିସହିତ ଉପନିର୍ବାଚନ ପାଇଁ ଭୋଟଗ୍ରହଣର ୪୮ ଘଣ୍ଟା ପୂର୍ବରୁ କୌଣସି ବୈଦ୍ୟୁତିକ ଗଣମାଧ୍ୟମରେ ନିର୍ବାଚନ ସଂକ୍ରାନ୍ତ କୌଣସି ଓପିନିଅନ ପୋଲର ଫଳାଫଳ ସମେତ ଅନ୍ୟ ଯେ କୌଣସି ପୋଲ ସର୍ଭେ ସଂକ୍ରାନ୍ତ ତଥ୍ୟ ପ୍ରଘଟ ବା ପ୍ରଦର୍ଶନକୁ ନିଷେଧ କରାଯାଇଛି । ଏ ସମ୍ପର୍କରେ ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ନିୟମାବଳି ଆଧାରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦେଶ କ୍ରମେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ ନଭେମ୍ବର ୩ରୁ ୭ ତାରିଖ ମଧ୍ୟରେ ଓଡ଼ିଶା ସମେତ ୧୩ଟି ରାଜ୍ୟରେ କେତେକ ଲୋକସଭା ଓ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । (ନିଉଜ୍ ଏଡିଟର ସ୍ବରୂପ ଦାସ)