ଓଡ଼ିଶା ତାଜା ନ୍ୟୁଜ (୧୮ ଅକ୍ଟୋବର ରବିବାର) ବ୍ରହ୍ମପୁର :- ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଦ୍ବାରା ସମ୍ପାଦିତ ଜିଲ୍ଲା ଓ ନଗର କଂଗ୍ରେସ ସଭାପତି ତାଲିକାକୁ ଇତି ମଧ୍ୟରେ ଅଖିଳ ଭାରତ କଂଗ୍ରେସ କମିଟି ଅନୁମୋଦନ କରିଥିବା ଜଣାଯାଇଛି । ପ୍ରସ୍ତୁତ ତାଲିକା ଅନୁଯାୟୀ ଓଡ଼ିଶାର ୩୩ ଗୋଟି ସାଙ୍ଗଠନିକ ଜିଲ୍ଲା ଓ ନଗର କଂଗ୍ରେସ ସଭାପତିଙ୍କ ନାମ ଅନୁମୋଦିତ ହୋଇଅଛି । ତାଲିକାରେ ତିନି ଜଣ ବିଧାୟକ ଓ ଦୁଇ ଜଣ ନାରିନେତ୍ରୀଙ୍କୁ ଦଳ ଜିଲ୍ଲା ସଭାପତି ଦେଇଥିବା ବେଳେ ସମ୍ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ତଥା ବିଜେଡ଼ି ଗଡ ଭାବରେ ଖ୍ୟାତ ଗଞ୍ଜାମ ଜିଲ୍ଲାର କଂଗ୍ରେସ ସାଂଗଠନିକ ସଭାପତି ଭାବରେ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କୁ ନିଯୁକ୍ତ କରିଅଛି । ସାଧାରଣରେ ଅଜଣା ଥିବା ସାନଖେମୁଣ୍ଡି ବ୍ଲକ୍ କଙ୍କୋରଡ଼ା ପଞ୍ଚାୟତ ଗମ୍ଭାରିଗୁଡ଼ା ନିବାସୀ ସର୍ବପ୍ରଥମେ ଦୟନିଧିପୁର ସମିତିସଭ୍ୟ ଭାବରେ ବିଜୟୀ ହୋଇ ସମିତି ଅଧ୍ୟକ୍ଷ ଭାବରେ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ ।
ପରବର୍ତ୍ତୀ ସମୟରେ ୨୦୦୯ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ନବଗଠିତ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ନିଜର ଖ୍ୟାତି ବଜାୟ ରଖିଥିଲେ । ନିଜର ସେବା ସୁଲଭ ପ୍ରକୃତିଦ୍ୱାରା ସାଧାରଣରେ ବିଦିତ ଶ୍ରୀ ଜେନା ୨୦୧୪ ମସିହାରେ ନିର୍ବାଚନ ଲଢି ନିଜର କିଛି ସମର୍ଥକଙ୍କ ହୀନ ପ୍ରକୃତି କାରଣରୁ ପରାଜିତ ହୋଇଥିଲେ । ପର ସମୟରେ ପାଟପୁର ଗାନ୍ଧୀ ଛକ ଠାରେ କଂଗ୍ରେସ ଦଳର ଏକ ଆକର୍ଷଣୀୟ ପଦଯାତ୍ରା ଆୟୋଜନ କରି ଶାସକ ଦଳର ଆକ୍ରୋଶର ଶିକାର ହୋଇଥିଲେ । ପ୍ରଶାସନ ଦ୍ବାରା ବାରମ୍ବାର ବିଭିନ୍ନ ମିଛ କେଶରେ ଜଡ଼ିତ କରି ଶ୍ରୀ ଜେନାଙ୍କୁ ଗିରଫ କରିବା ସହିତ ଅଢେଇ ବର୍ଷରୁ ଅଧିକ ସମୟ ଜେଲରେ ରଖିଥିଲେ । ଜୁଲାଇ ୨୩ ,୨୦୧୮ ମସିହାରୁ ଜେଲରୁ ଜାମିନରେ ଆସି ନିଜ ନିର୍ବାଚନ ମଣ୍ଡଳୀରେ ସଂଗଠନ ସଜାଡି ପୁଣି ପ୍ରିୟ ଭାଜନ ହୋଇଥିବା ଏହି ପୂର୍ବତନ ବିଧାୟକ ପ୍ରବଳ ସରକାରୀ ଦଳ ସପକ୍ଷ ହାୱା , ମୁଖ୍ୟମନ୍ତ୍ରୀଙ୍କ ଘନ ଘନ ପ୍ରଚାର , ପ୍ରବଳ ପ୍ରଶାସନିକ ଦବଦବା ସତ୍ତ୍ଵେ ଆଶାତୀତ ଭୋଟରେ ଜିଲ୍ଲାର ଏକମାତ୍ର
କଂଗ୍ରେସ ବିଧାୟକ ଭାବେ ୨୦୧୯ ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିଲେ । ଜନସାଧାରଣଙ୍କ ବିଶ୍ୱସନୀୟତାକୁ ଆଧାର କରି ରମେଶଭାଇ ଭାବରେ ପରିଚିତ ଶ୍ରୀ ଜେନା ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭାବେ ନିଯୁକ୍ତି ପାଇଥିବାରୁ ଅଞ୍ଚଳ କଂଗ୍ରେସ ଅନୁଗତଙ୍କ ମନରେ ଉତ୍ସାହ ଖେଳିଥିବା ବେଳେ ଶ୍ରୀ ଜେନାଙ୍କ ନିଯୁକ୍ତିରେ ଶୁଭେଛା ଜ୍ଞାପନ କରିଛନ୍ତି । ଆସନ୍ତା ଦିନରେ ଜିଲ୍ଲା ସଂଗଠନର ପୁନର୍ଗଠନ ସହ ଜିଲ୍ଲା କଂଗ୍ରେସର ସକ୍ରିୟ ଅଭ୍ୟୁଥାନକୁ ନେଇ ପ୍ରମୁଖ ବିରୋଧୀ ଦଳର ଭୂମିକାରେ ଶ୍ରୀ ଜେନାଙ୍କ ନେତୃତ୍ବକୁ ସ୍ଵାଗତ କରିଛନ୍ତି । ଏହି କ୍ରମରେ ଆଜି ସାନଖେମୁଣ୍ଡି ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀ ଚରଣ ପାତ୍ର ,ଏ ଜୟରାମ ଦୋରା , ଏସ ବାବୁଲା ଦୋରା , ଜି ସାଇରାମ ଚିନ୍ମୟ କୁମାର ହୋତା , ମୁକୁନ୍ଦ ବରାଡ , ରାମଚନ୍ଦ୍ର ପ୍ରଧାନ , ନିରାକାର ପ୍ରଧାନ ,ଆଲୋକ ପ୍ରଧାନ , ଦୁର୍ଗା ପ୍ରସାଦ ପାଢ଼ୀ , ସିମାଞ୍ଚଳ ଗୌଡ , ଦେବାଶିଷ ମହାନ୍ତି ପ୍ରମୁଖ ନିଜନିଜ ଶୁଭେଛା ସହିତ ଆସ୍ଥା ପ୍ରକଟ କରିଛନ୍ତି । (ରିପୋର୍ଟ: ଶେଷଦେବ ସାହୁ)