ଓଡ଼ିଶା ତାଜା ନ୍ୟୁଜ ( ୧୭ ଅକ୍ଟୋବର ଶନିବାର) କଳାହାଣ୍ଡି :– ନାମକୁ ମାତ୍ର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର। ଡାକ୍ତରଙ୍କ ଅଭାବରୁ ରୋଗୀ ହନ୍ତସନ୍ତ। ଏପରି ପରିସ୍ଥିତି ଦେଖାଦେଇଛି ଏବେ କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ । ନର୍ଲା ବ୍ଳକ ଓ ପଡ଼ୋଶୀ ବ୍ଳକରୁ ଲକ୍ଷାଧିକ ଲୋକେ ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିର୍ଭର କରିଥାନ୍ତି । ତେବେ ଆବଶ୍ୟକ ଡାକ୍ତର ଅଭାବରୁ ଗରିବ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୂର ଦୂରଦୂରାନ୍ତରୁ ଆସିଥିବା ରୋଗୀ ଉପଯୁକ୍ତ ଚିକିତ୍ସା ଅଭାବରୁ ପୁଣି ଦୂର ଭବାନୀପାଟଣା, କେସିଙ୍ଗା ଡାକ୍ତରଖାନାକୁ ଯାଇ ଖର୍ଚ୍ଚାନ୍ତରେ ତଳିତଲାନ୍ତ ହେଉଛନ୍ତି ।
ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୯ଗୋଟି ଡାକ୍ତର ପଦ ଖାଲି ରହୁଥିବା ବେଳେ ବ୍ଳକର ୪ଗୋଟି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ରୁପ୍ରା,ଉଲିକୁପା,ପଲମ ଓ ରୁପ୍ରାରୋଡ ମଧ୍ୟରୁ କେବଳ ପଲମଠାରେ ଜଣେ ଡାକ୍ତର ନିଯୁକ୍ତି ହୋଇଛନ୍ତି। ଫଳରେ ଏଠାକାର ସ୍ଵାସ୍ଥ୍ୟ ସେବା କିପରି ଚାଲିଛି ତାହା ସହଜେ ଅନୁମେୟ। ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ବର୍ଷରୁ ଏମ.ବି.ବି.ଏସ ଡାକ୍ତରଙ୍କ ଅନୁପସ୍ଥିତିରେ କେବଳ ଦନ୍ତ ଚିକିତ୍ସକ ଓପିଡିରେ ବସି ରୋଗୀ ସେବା କରୁଛନ୍ତି ପୁଣି କେତେ ବେଳେ ଆୟୁଷ ଡାକ୍ତର ରୋଗୀଙ୍କୁ ଦେଖୁଛନ୍ତି। ଏଣୁ ରାଜ୍ୟ ସରକାର ଯଥାସମ୍ଭବ ଏଠାରେ ଆବଶ୍ୟକ ଏମ.ବି.ବି.ଏସ ଡାକ୍ତର ପୂରଣ ସକାଶେ ଜନସାଧାରଣରେ ଦାବି ହେଉଛି। (ରିପୋର୍ଟ ପ୍ରଦୀପ କୁମାର ଗଉଡ)