ଓଡ଼ିଶା ତାଜା ନ୍ୟୁଜ୍ (୧୬ ଅକ୍ଟୋବର ଶୁକ୍ରବାର ) ସାନଖେମୁଣ୍ଡି :- ଗଞ୍ଜାମ ଜିଲ୍ଲାରେ ତିନିଦିନ ଧରି ଲାଗିରହିଥିବା ବର୍ଷାର ପ୍ରକୋପ କମିଛି ସତ କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି । ଅନେକ ସ୍ଥାନରେ ବ୍ୟାପକ ଭାବେ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ତେବେ ଆସିକା କାଇଁଫୁଲିଆ ଅଞ୍ଚଳରେ ଚାଷୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି । ସୂଚନାନୁସାରେ, ଆସିକା କାଇଁଫୁଲିଆ କେନାଲ ଉପରେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ନୂତନ ସେତୁ ନିର୍ମାଣ ଚାଲିଛି । ସେହିପରି ଲୋକଙ୍କ ଯାତାୟାତ ପାଇଁ ଏକ ଅପ୍ରୋଚ୍ ରୋଡ଼ ନିର୍ମାଣ କରାଯାଇଥିଲା ।
କିନ୍ତୁ ଆପ୍ରୋଚ୍ ରୋଡ଼ଟି ଅତି ଛୋଟ ହୋଇଥିବା ହେତୁ ଜଳ ନିଷ୍କାସନ ହୋଇନପାରି ଚାଷ ଜମିରେ ଜଳ ମାଡିଯାଇଛି । ଫଳରେ ଚାଷୀମାନେ ନାହିଁନଥିବାର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଯାହାର ପ୍ରତିବାଦରେ ଆଖପାଖ ଅଞ୍ଚଳର ଚାଷୀମାନେ ଆପ୍ରୋଚ ରୋଡକୁ ଅବରୋଧ କରିଛନ୍ତି । ଫଳରେ କିଛି ସମୟ ପାଇଁ ଆସିକା- କବିସୂର୍ଯ୍ୟନଗର, ଆସିକା- ନୟାଗଡ, ଆସିକା- ଭୁବନେଶ୍ୱର ଗାଡି ଚଳାଚଳ ବନ୍ଦ ରହିଥିଲା । (ରିପୋର୍ଟ : ଶେଷଦେବ ସାହୁ )