ଓଡ଼ିଶା ତାଜା ନ୍ୟୁଜ (୧୫ ଅକ୍ଟୋବର ଗୁରୁବାର ) ଛତ୍ରପୁର :- ବୁଧବାର ପୂର୍ବାହ୍ନରେ ଛତ୍ରପୁର ବ୍ଲକ ମୁନିଷିପେଣ୍ଠ ଗ୍ରାମର ବାବୁଲୀ ବେହେରା ନାମକ ଜଣେ ବ୍ୟକ୍ତି ଗ୍ରାମ ଦେଇ ଯାଇଥିବା ଋଷିକୁଲ୍ୟା ନଦୀରେ କୌଣସି କାରଣରୁ ଭାସି ଯାଇଥିଲେ । ସୂଚନା ପାଇ ଛତ୍ରପୁର ଆସିଷ୍ଟାଣ୍ଟ ଫାୟର ଅଫିସର ବିଶ୍ୱନାଥ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏଲ୍.ଏଫ୍.ଏମ୍. ମହେଶ୍ୱର ପ୍ରଧାନ, ଡିଆର୍ଏଚ୍ ରାକେଶ ମାନସିଂ, ତପନ କୁମାର ବେହେରା, କାହ୍ନୁ ଶ୍ରୀଚନ୍ଦନ ପରିଡା, ଉମାଶଙ୍କର ମାଝୀ, ଗୋବର୍ଦ୍ଧନ ବେହେରା ପ୍ରମୁଖ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ବାହାରିଥିଲେ । ଅଗ୍ନିଶମ ବିଭାଗର ତପନ କୁମାର ବେହେରା ଓ କାହ୍ନୁ ଶ୍ରୀଚନ୍ଦନ ପରିଡା ଦ୍ୱୟ କର୍ମଚାରୀ ଜୀବନକୁ ବାଜି ଲଗାଇ ଭାସି ଯାଉଥିବା ବାବୁଲୀକୁ ଉଦ୍ଧାର କରିବା ଲାଗି ଗଭୀର ନଦୀକୁ ଲମ୍ଫ ମାରିଥିଲେ ।
ପ୍ରାୟ ୫ କିଲୋମିଟର ଦୂରତ୍ୱ ପର୍ଯ୍ୟନ୍ତ ଗଭୀର ନଦୀରେ ପହଁରି ପହଁରି ମୁନିଷିପେଣ୍ଠ ଗ୍ରାମ ଠାରୁ ଗଞ୍ଜାମ ଋଷିକୁଲ୍ୟା ନଦୀ ମୁହାଁଣରେ ବାବୁଲୀକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଉଦ୍ଧାର କାର୍ଯ୍ୟ ପରେ ବାବୁଲୀକୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏଥିସହ କର୍ମଚାରୀ ତପନ କୁମାର ବେହେରା ମଧ୍ୟ ଅସୁସ୍ଥତା ଅନୁଭବ କରିଥିବା ଯୋଗୁଁ ସେ ମଧ୍ୟ ଚିକିତ୍ସିତ ହୋଇଥିଲେ । ଡାକ୍ତରଙ୍କ ଚିକିତ୍ସା ପରେ ଉଦ୍ଧାର ହୋଇଥିବା ବାବୁଲୀ ଓ କର୍ମଚାରୀ ତପନ ସୁସ୍ଥ ହୋଇ ଫେରିଥିଲେ ।
ଏଭଳି ଦୁଃସାହାସିକ ପଦକ୍ଷେପ ନିମନ୍ତେ ଅଗ୍ନିଶମ ବିଭାଗର ତପନ କୁମାର ବେହେରା(୧୬୩୯) ଓ କାହ୍ନୁ ଶ୍ରୀଚନ୍ଦନ ପରିଡା (୧୮୬୨) ଉକ୍ତ ଦୁଇ କର୍ମଚାରୀଙ୍କୁ ସବୁ ବର୍ଗରୁ ପ୍ରଶଂସାର ସୁଅ ଛୁଟିଛି । (ରିପୋର୍ଟ : ଶେଷଦେବ ସାହୁ )